ଡିସେମ୍ବର ପାଇଁ ଗାଇଡଲାଇନ ଜାରିକଲେ କେନ୍ଦ୍ର ସରକାର, ସ୍ଥାନୀୟ ଅଞ୍ଚଳରେ କଟକଣା ଲାଗୁ ପାଇଁ ରାଜ୍ୟମାନଙ୍କୁ କ୍ଷମତା

ନୂଆଦିଲ୍ଲୀ : ଦେଶର କେତେକ ରାଜ୍ୟରେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାରୁ ତାହାର ମୁକାବିଲା କରିବାକୁ କେନ୍ଦ୍ର ସରକାର କେତେକ ସତର୍କତାମୂଳକ ପଦକ୍ଷେପ ଘୋଷଣା କରିଛନ୍ତି । ଏସବୁ ନୂଆ ଗାଇଡଲାଇନ  ଆସନ୍ତା ଡିସେମ୍ବର ୧ଠାରୁ ୩୧ ପର୍ଯ୍ୟନ୍ତ ଲାଗୁ କରାଯିବ ।

ସ୍ଥାନୀୟ ସ୍ତରରେ କରୋନା ମହାମାରୀର ସ୍ଥିତିକୁ ଦୃଷ୍ଟିରେ ରଖି କଟକଣା ଜାରି କରିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରମାନଙ୍କୁ କ୍ଷମତା ଦିଆଯାଇଛି । ତେବେ ଏସବୁ କଟକଣା କେବଳ କଣ୍ଟେନମେଣ୍ଟ ଜୋନରେ ଲାଗୁ କରାଯାଇପାରିବ ।  କିନ୍ତୁ କଣ୍ଟେନମେଣ୍ଟ ଜୋନ ବାହାରେ ରାଜ୍ୟସ୍ତର, ଜିଲ୍ଲା, ସବଡିଭିଜନ କିମ୍ବା ସହର ସ୍ତରରେ  କେନ୍ଦ୍ର ସରକାରଙ୍କ ବିନା କୌଣସି ଲକଡାଉନ ବା ସଟଡାଉନ ଲାଗୁ କରାଯାଇପାରିବ ନାହିଁ ।

କଣ୍ଟେନମେଣ୍ଟ ଜୋନରେ କଟକଣା କଡ଼ାକଡ଼ି ପାଳନ କରିବାକୁ ସ୍ଥାନୀୟ ପ୍ରଶାସନ, ପୁଲିସର ଦାୟିତ୍ବ ରହିବ । ତେବେ ଏସବୁ ଜୋନରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ । ଆବଶ୍ୟକ ପଡ଼ିଲେ ରାତ୍ରିକାଳୀନ କର୍ଫ୍ୟୁ ପାଇଁ ମଧ୍ୟ ସ୍ଥାନୀୟ ପ୍ରଶାସନକୁ କ୍ଷମତା ଦିଆଯାଇଛି ।

ଅନ୍ୟପକ୍ଷରେ ରାଜ୍ୟମାନେ ସାଧାରଣ ସ୍ଥାନରେ ସାମାଜିକ ଦୂରତ୍ବ ନିୟମକୁ କଡ଼ାକଡ଼ିଭାବେ ଲାଗୁ କରିବେ । ଅଫିସ ଗୁଡ଼ିକ ମଧ୍ୟରେ ସାମାଜିକ ଦୂରତ୍ବ ପାଳନ ପାଇଁ କର୍ମଚାରୀମାନଙ୍କ ଉପସ୍ଥାନ ହ୍ରାସ, ସମୟରେ ପରିବର୍ତ୍ତନ ଆଦି ପଦକ୍ଷେପ ନିଆଯାଇପାରିବ ।

ସମ୍ବନ୍ଧିତ ଖବର