ହାଟବଜାରରେ ବଢୁଥିବା ଗହଳିକୁ ନେଇ ଚିନ୍ତା, ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜାରି କଲା ନୂଆ ନିୟମାବଳୀ

ନୂଆଦିଲ୍ଲୀ : ଦେଶରେ ଶୀତଦିନ ଆରମ୍ଭ ହୋଇଯାଇଥିବାରୁ କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଫଳରେ କେନ୍ଦ୍ର ସରକାର ଅତିରିକ୍ତ ସତର୍କତା ଅବଲମ୍ବନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ କିଛି ଦିନ ତଳେ ଜାରିହୋଇଥିବା ନୂଆ ଗାଇଡଲାଇନରେ ରାଜ୍ୟମାନଙ୍କୁ ସତର୍କ କରାଯାଇଥିଲା ।

ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ହାଟ ବଜାର ଗୁଡ଼ିକ ପାଇଁ ଏକ ନୂଆ ଗାଇଡଲାଇନ ଜାରି କରାଯାଇଛି । ଏହି ନୂଆ ଗାଇଡଲାଇନ ଅନୁସାରେ କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଥିବା ବଜାରଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯିବ ନାହିଁ । କେବଳ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ହାଟବଜାର ଗୁଡ଼ିକ ଖୋଲିପାରିବ । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ କରୋନା ଦୃଷ୍ଟିକୋଣରୁ ଦୁର୍ବଳବର୍ଗ ଯେପରିକି ବୟସ୍କ ବ୍ୟକ୍ତି (୬୫ ବର୍ଷରୁ ଅଧିକ), ପୂର୍ବରୁ ଅନ୍ୟରୋଗ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ବୟସର ଶିଶୁମାନେ ଯଥା ସମ୍ଭବ ଘରେ ରହିବା ଉଚିତ । ସେମାନେ କେବଳ ଅତି ଦରକାର ହେଲେ ବଜାରକୁ ଯାଇପାରିବେ ।

 

ସେହିପରି ବ୍ୟବସାୟ ପ୍ରତିଷ୍ଠାନରେ ନିୟୋଜିତ ବୟସ୍କ ବ୍ୟକ୍ତି, ପୂର୍ବରୁ ରୋଗଥିବା ବ୍ୟକ୍ତିମାନେ ଯଥାସମ୍ଭବ ସର୍ବସାଧାରଣଙ୍କ ଠାରୁ ଦୂରତା ରକ୍ଷା କରିବା ଆବଶ୍ୟକ । ଅନ୍ୟପକ୍ଷରେ ଦୋକାନଗୁଡ଼ିକରେ ନିୟମିତ ଭାବେ ପରମଳ ରକ୍ଷା, ସାନଟାଇଜର ବ୍ୟବହାର, ସାମାଜିକ ଦୂରତ୍ବ ରକ୍ଷା ଉପରେ ମଧ୍ୟ ଗୁରୁତ୍ବ ଦିଆଯିବା ଉଚିତ । ଏସବୁ ଗାଇଡଲାଇନଗୁଡ଼ିକ ଯେପରି ପାଳନ ହୋଇପାରିବ ସେଥିଲାଗି ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ବ୍ୟବସାୟିକ ସଂଘ ସହ ଆଲୋଚନା କରାଯାଉଛି ।

ସମ୍ବନ୍ଧିତ ଖବର