ଏୟାର ମାର୍ସାଲ ଭିଆର ଚୌଧୁରୀ ହେବେ ଭାରତୀୟ ବାୟୁସେନାର ନୂଆ ମୁଖ୍ୟ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏୟାର ମାର୍ସାଲ ଭି.ଆର.ଚୌଧୁରୀଙ୍କୁ ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ନିଯୁକ୍ତ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୩୦ରେ ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସାଲ ଆରକେଏସ୍ ଭାଦୁରିଆ ଅବସର ଗ୍ରହଣ କରିବା ପରେ ସେ ଦାୟିତ୍ବ ଗ୍ରହଣ କରିବେ । ସେ ଏବେ ବାୟୁସେନାର ଉପମୁଖ୍ୟ ଓ ଓ୍ବେଷ୍ଟର୍ଣ୍ଣ ଏୟାର କମାଣ୍ଡର କମାଣ୍ଡର-ଇନ-ଚିଫ ଅଛନ୍ତି । ତାଙ୍କ ନିଯୁକ୍ତି ବିଷୟରେ ଆଜି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ଡିସେମ୍ବର ୨୯, ୧୯୮୨ରେ ଭାରତୀୟ ବାୟୁସେନାରେ ଜଣେ ଲଢୁଆ ପାଇଲଟଭାବେ ଯୋଗ ଦେଇଥିବା ଏୟାର ମାର୍ସାଲ ଭି.ଆର.ଚୌଧୁରୀଙ୍କ ୩୮୦୦ ଘଣ୍ଟାରୁ ଅଧିକ ସମୟ ଧରି ଉଡ଼ାଣ ଅଭିଜ୍ଞତା ରହିଛନ୍ତି । ସେ ବିଭିନ୍ନ ପ୍ରକାରର ଲଢୁଆ ଓ ତାଲିମ ବିମାନ ଚଳାଇବାର ଅଭିଜ୍ଞତା ରଖିଛନ୍ତି । ବାୟୁସେନାରେ ନିଜର ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ସେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି ।

ସେ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନଡିଏ)ର ଜଣେ ଛାତ୍ର ହୋଇଥିବାବେଳେ ଓ୍ବେଲିଂଟନ ସ୍ଥିତି ଡିଫେନ୍ସ ସର୍ଭିସେସ ଷ୍ଟାଫ କଲେଜରେ ମଧ୍ୟ ତାଲିମ ନେଇଛନ୍ତି ।

ସମ୍ବନ୍ଧିତ ଖବର