ହାତ କେମିତି ଭାଙ୍ଗିଲା ଶୁଣି ଶୁଣି ବିରକ୍ତ ହେବା ପରେ ମୁଣ୍ଡକୁ ଆସିଲା ଏହି ବୁଦ୍ଧି

ନୂଆଦିଲ୍ଲୀ: ମନେକରନ୍ତୁ ଆପଣଙ୍କ ହାତ ଭାଙ୍ଗିଯାଇଛି ଓ ଯନ୍ତ୍ରଣାରେ ଆପଣ ଛଟପଟ ହେଉଥିବାବେଳେ ହାତରେ ବ୍ୟାଣ୍ଡେଜ ଗୁଡା଼ଇହୋଇଥିବ | ଏହି ସମୟରେ ଜଣେ କି ଦୁଇ ଜଣ ଆପଣଙ୍କୁ ଯଦି ପଚାରିବେ ଆପଣ ହାତ ଭାଙ୍ଗିବାର କାରଣ କହିପାରିବେ | କିନ୍ତୁ ଯେତେବେଳେ ବହୁ ସଂଖ୍ୟାରେ ଲୋକ ବାରମ୍ବାର ଆପଣଙ୍କୁ ସେହି ଗୋଟିଏ କଥା ପଚାରିବେ ଯେ ହାତ କେମିତି ଭାଙ୍ଗିଲା, ସେତେବେଳେ ଆପଣଙ୍କୁ ନିଶ୍ଚୟ ବିରକ୍ତ ଲାଗିବ | ଏମିତି ଏକ ଘଟଣା ଜଣେ ଶିଶୁଙ୍କ ସହ ଘଟିଥିଲା |

ଆଉ ଏହାପରେ ଶିଶୁଜଣକ ଏଭଳି ଏକ ବାଟ ଆପଣାଇଲେ ଯେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ସୋସିଆଲ ମିଡିଆରେ ଏବେ ଏମିତି ଜଣେ ଶିଶୁଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି | ବାସ୍ତବରେ ଶିଶୁ ଜଣକ ପଡିଯାଇଥିଲେ ଓ ତାଙ୍କ ହାତ ଭାଙ୍ଗିଯାଇଥିଲା | ତାଙ୍କ ବାପା ହାତରେ ବ୍ୟାଣ୍ଡେଜ ଗୁଡ଼ାଇ ଦେଇଥିବାବେଳେ ଗୋଟିଏ ହାତ ଅଚଳ ଯୋଗୁଁ ଶିଶୁ ଜଣକ ମନ ଦୁଃଖରେ ଥିଲେ |

ତେବେ ପଡିଶା ଘର ଲୋକ ତାଙ୍କୁ ବାରମ୍ବାର ପଚାରିଥିଲେ ଯେ ହାତ କେମିତି ଭାଙ୍ଗିଲା, କିଏ ବାଡ଼େଇକି ଭାଙ୍ଗିଦେଲା, କେତେବେଳେ ଏହା ଘଟିଲା ? ଏଥିରେ ବ୍ୟସ୍ତ ହୋଇ ଶିଶୁ ଜଣକ ବନ୍ଧୁ, ସମ୍ପର୍କୀୟ ଏବଂ ଅନ୍ୟ ଲୋକଙ୍କ ପ୍ରଶ୍ନକୁ ଏଡାଇବା ପାଇଁ ଏକ ନିଆରା ଉପାୟ ଆପଣେଇଛି | ପିଲାଟି ପ୍ଲାଷ୍ଟରରେ ଲେଖିଛି ଯେ, ସେ ସାଇକେଲରୁ ଖସି ପଡ଼ିଥିଲେ ଏବଂ ହାତ ଭାଙ୍ଗି ଯାଇଛି। ଶିଶୁର ଏହି ଉତ୍ତର ଦେଖି ୟୁଜର୍ସମାନେ ଏହାକୁ ସଠିକ୍ ଉପାୟ ବୋଲି କହୁଛନ୍ତି |

ସମ୍ବନ୍ଧିତ ଖବର