ନୂଆଦିଲ୍ଲୀ: ହଟ୍ଟଗୋଳ ଓ ବିରୋଧୀଙ୍କ କକ୍ଷତ୍ୟାଗ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆଜି ନୂଆ ଆୟକର ବିଲ୍ ଉପସ୍ଥାପନ କରିଛନ୍ତି। ପୁରୁଣା ନିୟମ ତୁଳନାରେ ନୂଆ ଆହୁରି ଜଟିଳ ବୋଲି ବିରୋଧୀମାନେ ଅଭିଯୋଗ କରିବା ସତ୍ତ୍ବେ ତାହା ବାଚନିକ ଭୋଟ୍ରେ ପାରିତ ହୋଇଛି। ଏହାପରେ ବିଲ୍କୁ ଅନୁଧ୍ୟାନ ପାଇଁ ସିଲେକ୍ଟ କମିଟିକୁ ପଠାଇବାକୁ ଅର୍ଥମନ୍ତ୍ରୀ କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସେହି କମିଟି ଗଠନ କରିବେ। କମିଟି ଏହାର ରିପୋର୍ଟ ମାର୍ଚ୍ଚ ୧୦ରେ ଦେବ। ୨୦୨୬ ଏପ୍ରିଲ୍ ୧ରୁ ନୂଆ ନିୟମ ଲାଗୁ ହେବ। ନୂଆ ବିଲ୍ ସମ୍ପର୍କରେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ପୁରୁଣା ଆୟକର ନିୟମ ୧୯୬୧ରେ ୮୦୦ରୁ ଅଧିକ ଅନୁଚ୍ଛେଦ ଥିଲା। ନୂଆ ନିୟମରେ ସେହି ସଂଖ୍ୟା ୫୩୬କୁ ହ୍ରାସ ପାଇଛି। ଆୟକର ନିୟମ ୧୯୬୧କୁ ୧୯୬୨ ମସିହାରେ ଲାଗୁ କରାଯାଇଥିଲା। ସେହି ସମୟରେ ସେଥିରେ ୨୯୮ଟି ଅନୁଚ୍ଛେଦ ଥିଲା। କିନ୍ତୁ ଗତ ୬୦ ବର୍ଷ ଭିତରେ ସେଥିରେ ଏକାଧିକ ଥର ସଂଶୋଧନ କରାଯିବା ପରେ ତାହା ଜଟିଳ ହୋଇପଡ଼ିବା ସହ ଅନୁଚ୍ଛେଦ ସଂଖ୍ୟା ୮୧୯କୁ ବୃଦ୍ଧି ପାଇଛି। ନୂଆ ନିୟମରେ ତାହାକୁ ସରଳ କରିବା ଉଦ୍ୟମ କରାଯାଇଛି। ନୂଆ ଆୟକର ବିଲ୍ ପୃଷ୍ଠା ସଂଖ୍ୟା ୬୨୨ ରହିଛି। ବର୍ତ୍ତମାନ ପ୍ରଚଳନରେ ଥିବା ଆୟକର ଆଇନ ୧୯୬୧ରେ ମୋଟ ଶବ୍ଦ ସଂଖ୍ୟା ୫,୧୨,୫୩୫ ରହିଛି। କିନ୍ତୁ ନୂଆ ବିଲ୍ରେ ଶବ୍ଦ ସଂଖ୍ୟାରେ ପାଖାପାଖି ୫୦ ପ୍ରତିଶତ (୨,୫୨,୮୫୯)ହ୍ରାସ ପାଇଛି। ଫଳରେ ନୂଆ ବିଲ୍ରେ ମୋଟ ଶବ୍ଦ ସଂଖ୍ୟା ୨,୫୯,୬୭୬ରେ ସୀମିତ ରହିଛି।
ନୂଆ ଆୟକର ବିଲ୍ରେ ବ୍ୟକ୍ତିଗତ ଆୟକର ସ୍ଲାବ୍ରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ନୂଆ ନିୟମରେ ‘ଟିକସ ବର୍ଷ’ ବ୍ୟବହାର କରାଯାଇଛି ଯାହା ଆର୍ଥିକ ବର୍ଷ କିମ୍ବା ଆକଳନ ବର୍ଷ ସ୍ଥାନରେ ବ୍ୟବହାର ହୋଇଛି। ଏବେ ପ୍ରଚଳନରେ ଥିବା ନିୟମରେ ଗୋଟିଏ ଆର୍ଥିକ ବର୍ଷର ଆୟ ଉପରେ ଟିକସକୁ ପରବର୍ତ୍ତୀ ବର୍ଷରେ ଦିଆଯାଉଛି। ଉଦାହରଣ ସ୍ବରୂପ ୨୦୨୩-୨୪ ଆର୍ଥିକ ବର୍ଷ ଆୟର ଟିକସକୁ ୨୦୨୪-୨୫ରେ ପ୍ରଦାନ କରାଯାଉଛି। କିନ୍ତୁ ନୂଆ ନିୟମରେ ନିର୍ଦ୍ଦିଷ୍ଟ ଟିକସ ବର୍ଷ ଅନୁସାରେ ଟିକସ ଦିଆଯିବ। ଫ୍ରିଞ୍ଜ ବେନିଫିଟ୍ ଟ୍ୟାକ୍ସ ଭଳି କେତେକ ପୁରୁଣାକାଳିଆ ଧାରାକୁ ନୂଆ ନିୟମରେ ବାଦ ଦିଆଯାଇଛି। ଟିଡିଏସ୍, ପ୍ରିଜ୍ୟୁମେଟିଭ୍ ଟ୍ୟାକ୍ସେସନ୍, ବେତନ ଓ ଖରାପ ଋଣ ପାଇଁ କାଟ ଆଦି ବିଷୟ ଲାଗି ଟେବୁଲ୍ ବ୍ୟବହାର କରାଯାଇଛି।
ଟିକସ ଠକେଇ ପାଇଁ ୨୦୦% ଜରିମାନା, ଜେଲ୍
ସହର ପାଖ କ୍ଷେତରୁ ଆୟ କୃଷି ଆୟ ନୁହେଁ
ଆୟ ସ୍ରୋତ ଲୁଚାଇଲେ ଆକାଉଣ୍ଟ୍ ସିଜ୍ ହେବ
ନୂଆ ନିୟମ ଅନୁସାରେ କ୍ରିପ୍ଟୋରୁ ସମ୍ପତ୍ତିକୁ ନଗଦ ଟଙ୍କା, ଗହଣା ଭଳି ଦେଖାଯିବ। ବେତନରେ ଷ୍ଟାଣ୍ଡାର୍ଡ ଡିଡକ୍ସନ, ଗ୍ରାଚୁଇଟି, ଲିଗ୍ ଏନ୍କ୍ୟାସ୍ମେଣ୍ଟ ଆଦିକୁ ଗୋଟିଏ ସ୍ଥାନରେ ଦର୍ଶାଯିବ। ପୁରୁଣା ନିୟମରେ ବେତନ, ଘର ସମ୍ପତ୍ତି, ବ୍ୟବସାୟ ଓ ପୁଞ୍ଜି ଲାଭ ଟିକସକୁ ଆୟ ଭାବେ ବିଚାର କରାଯାଉଥିଲା। ନୂଆ ଆଇନରେ ସେଥିରେ ଡିଜିଟାଲ୍ ବା ଅନ୍ଲାଇନ୍ ଆୟକୁ ଯୋଡ଼ାଯାଇଛି। ଫାମିଲି ପେନ୍ସନ୍ରେ ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ଏକ ତୃତୀୟାଂଶ କିମ୍ବା ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ବେତନଭୋଗୀମାନେ ଏବେ ଡିଜିଟାଲ୍ ପ୍ରମାଣପତ୍ର ଦେଇପାରିବେ। ଟିକସ ଆକଳନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ହେବ। କମ୍ପାନିଗୁଡ଼ିକୁ ସିଏସ୍ଆର୍ ଖର୍ଚ୍ଚରେ କାଟ ସୁବିଧା ମିଳିବ ନାହିଁ। ଟିଡିଏସ୍ ରିଟର୍ଣ୍ଣ ଦାଖଲ ନ କଲେ ଦୈନିକ ୫୦୦ ଟଙ୍କାର ଜରିମାନା ଲାଗିବ। ଚଢ଼ଉ, ତଲାସୀ ଆଦି ପାଇଁ ଡିଜିଟାଲ୍ ମାଧ୍ୟମରେ ପଠାଯାଇଥିବା ନୋଟିସ୍କୁ ଆଇନ ଦୃଷ୍ଟିରୁ ବୈଧ ବିଚାର କରାଯିବ। ଚଢ଼ଉ ବେଳେ ଜବତ କରାଯାଇଥିବା ସମ୍ପତ୍ତି ପାଇଁ ଯଦି ଟିକସଦାତା ମାଲିକାନା ଅଧିକାର ପ୍ରମାଣ କରି ଟିକସ ଦେବେ ତେବେ ତାଙ୍କୁ ସମ୍ପତ୍ତି ଫେରସ୍ତ ମିଳିବ।
ସହରଠାରୁ କ୍ଷେତର ଦୂରତାକୁ ଆକାଶ ମାର୍ଗରେ ମପାଯିବ। ସହର ନିକଟସ୍ଥ କ୍ଷେତରୁ ହେଉଥିବା ଆୟକୁ କୃଷି ଆୟ ଭାବେ ନୁହେଁ, ପୁଞ୍ଜି ଲାଭ ଭାବେ ବିଚାର କରାଯିବ। ପ୍ରତି ଦାନର ଅଡିଟ୍କୁ ବାଧ୍ୟତାମୂଳକ କରାଯାଇଛି। ବିକ୍ରି ହୋଇ ନଥିବା ରିଅଲ ଇଷ୍ଟେଟ୍ ସମ୍ପତ୍ତି ଉପରେ ଦୁଇ ବର୍ଷର ଟିକସ ଛାଡ଼ ସୁବିଧାମିଳିବ। ଟିକସ ଚୋରି କଲେ ୨୦୦ ପ୍ରତିଶତ ଜରିମାନା ଗଣିବାକୁ ପଡ଼ିବ। ୫୦ ଲକ୍ଷ ଟଙ୍କାରୁ ଅଧିକ ଟିକସ ଚୋରି କଲେ ଜେଲ୍ ହେବ। ନୂଆ ବିଲ୍ରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)କୁ ସ୍ବତନ୍ତ୍ରତା ଦିଆଯାଇଛି। ଏନ୍ପିଏସ୍, ବୀମା, ଗ୍ରାଚୁଇଟି ଓ ପିଏଫ୍ ଉପରେ ଟିକସ ରିହାତି ଜାରି ରହିବ। ସରକାରଙ୍କଠାରୁ ଆୟର ସ୍ରୋତ ଲୁଚାଇଲେ ଆକାଉଣ୍ଟ ସିଜ୍ ହେବ। ଆୟକରକୁ ଅଧିକ ସ୍ୱଚ୍ଛ କରିବା ପାଇଁ ଇ-ଫାଇଲିଂ ଓ ଇ-କେୱାଇସିକୁ ଗୁରୁତ୍ବ ଦିଆଯାଇଛି। କେତେକ କ୍ଷେତ୍ରରେ କୃଷି ଆୟ ଉପରେ ଅତିରିକ୍ତ ଟିକସ ରିହାତି ମିଳିବ।
କ’ଣ ବଦଳିଲା
-ଜଟିଳ ବଦଳରେ ସରଳ ଭାଷା
-କୌଣସି ଅତିରିକ୍ତ ଟିକସ ନାହିଁ
-ଶବ୍ଦ ସଂଖ୍ୟା ୫,୧୨, ୫୩୫ରୁ ୨,୫୯,୬୭୬କୁ ହ୍ରାସ
-ଅଧ୍ୟାୟ ସଂଖ୍ୟା ୪୭ରୁ ୨୪କୁ ହ୍ରାସ
-ଅନୁଚ୍ଛେଦ ସଂଖ୍ୟା ୮୧୯ରୁ ୫୩୬
-ତାଲିକା ସଂଖ୍ୟା ୧୮ରୁ ୫୭କୁ ବୃଦ୍ଧି
-ଫର୍ମୁଲା ସଂଖ୍ୟା ୬ରୁ ୪୬କୁ ବୃଦ୍ଧି
-ଆୟକର ସ୍ଲାବ୍ରେ କୌଣସି ପରିବର୍ତ୍ତନ ହୋଇନି
-‘ଆକଳନ ବର୍ଷ’ ଓ ‘ପୂର୍ବବର୍ଷ’ ସ୍ଥାନରେ ‘ଟିକସ ବର୍ଷ’
-ବର୍ଣ୍ଣନା, ବ୍ୟାଖ୍ୟା ସ୍ଥାନରେ ଟେବୁଲ୍, ଫର୍ମୁଲା
-ନୂଆ ଟିକସଦାତା ବିଶେଷାଧିକାର