ସହରକୁ ଗୈରିକରଣ କଲେ ୟୁପି ସରକାର

ଲକ୍ଷ୍ନୌ: ବିଏସପିର ନୀଳ ଏବଂ ସମାଜବାଦି ପାର୍ଟିର ଲାଲ ଓ ସବୁଜ ରଙ୍ଗ ପରେ ଏବେ ଉତ୍ତର ପ୍ରଦେଶ ସହର ଅନ୍ୟ ଏକ ରଙ୍ଗ କମଳା ରଙ୍ଗରେ ରଙ୍ଗାୟିତ ହେଉଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତ ବୁଧବାର ଦିନ ଲକ୍ଷ୍ନୌରେ ରାଜ୍ୟ ସଡ଼କ ପରିବହନ ନିଗମର ୫୦ଟି କମଳା ରଙ୍ଗର ବସ୍‌ ଉଦ୍‌ଘାଟନ କରିଛନ୍ତି। ମୋଦିଙ୍କ ଅଫିସ ଚେୟାର ଏବଂ କାର୍‌ ସିଟ୍‌ରେ ପ୍ରଥରେ କମଳା ରଙ୍ଗର ଟାଓ୍ଵଲ ପଡ଼ିବା ଆରମ୍ଭ ହେବା ପରେ ସରକାରୀ ପୁସ୍ତିକା, ସ୍କୁଲ୍‌ ବ୍ୟାଗ୍‌ ଏବଂ ବସ୍‌ ଗୁଡ଼ିକୁ ମଧ୍ୟ କମଳା ରଙ୍ଗରେ ରଙ୍ଗାୟିତ କରାଗଲା। ଯୋଗୀ ଶୁଭାରମ୍ଭ କରିଥିବା ୫୦ଟି କମଳା ରଙ୍ଗର ବସ୍‌ ଗ୍ରାମାଞ୍ଚଳ ଗୁଡ଼ିକରେ ସେବା ଯୋଗାଇ ଦେବାର ଲକ୍ଷ୍ୟ ରହିଥିବାବେଳେ ଏହାର ନାଁ ରହିଛି ‘ସଙ୍କଳ୍ପ ସେବା’। ଗତ ଅଗଷ୍ଟ ୨୯ ତାରିଖରେ ଆଦିତ୍ୟନାଥ ରାଜ୍ୟର ଖେଳାଳିମାନଙ୍କୁ ‘ଲକ୍ଷ୍ମଣ ଏବଂ ରାଣୀ ଲକ୍ଷ୍ମୀ ବାଇ ପୁରସ୍କାର ଦେଇଥିବାବେଳେ ସାର୍ଟିଫିକେଟ୍‌ର ପୃଷ୍ଠଭୂମି କମଳା ରଙ୍ଗ ଥିଲା ଏବଂ ପୁରସ୍କାର ବିଜେତାଙ୍କ ସମ୍ପର୍କରେ ପ୍ରକାଶ ପାଇଥିବା ପୁସ୍ତିକାଟି ମଧ୍ୟ କମଳା ରଙ୍ଗ ରଖାଯାଇଥିଲା। ସୂଚନା ବିଭାଗର କଭର ମଧ୍ୟ କମଳା ରଙ୍ଗ ରହିଛି। ଏହି ଡାଏରି ସମାଜବାଦି ସରକାର ସମୟରେ ଲାଲ୍‌ ରଙ୍ଗ ଥିଲା ଏବଂ ମାୟାବତୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନୀଳ ରଙ୍ଗ ଥିଲା। ସଚିବାଳୟ ପ୍ରଶାସନ ବିଭାଗର ଆଇଡେଣ୍ଟି କାର୍ଡ ମଧ୍ୟ ନୀଳ ବଦଳରେ କମଳା ରଖାଯାଇଛି। ରଙ୍ଗ ପରିବର୍ତ୍ତନ ବିଷୟରେ ପ୍ରଶ୍ନ କରିବାରୁ କ୍ୟାବିନେଟ ମନ୍ତ୍ରୀ ଏବଂ ସରକାରୀ ପ୍ରବକ୍ତା ଶ୍ରୀକାନ୍ତ ଶର୍ମା କହିଛନ୍ତି ଆମେ ସବୁ ରଙ୍ଗକୁ ପସନ୍ଦ କରୁ କିନ୍ତୁ କମଳା ଆମର ଫେଭରିଟ୍‌। କାରଣ ଏହା ତ୍ୟାଗ ଏବଂ ସାହସର ପରିଚୟ ଅଟେ। ଜାତୀୟ ପତାକାରେ ମଧ୍ୟ କମଳା ରଙ୍ଗ ଅଛି ତେଣୁ କେହି ବି ଏହାର ବିରୋଧ କରିବା ଉଚିତ୍‌ ନୁହେଁ।

ସମ୍ବନ୍ଧିତ ଖବର