ଭ୍ରମଣ, ବ୍ୟବସାୟ ଓ ସଂଯୋଗର ସୁଗମତା ବଢ଼ିବ: ପ୍ରଧାନମନ୍ତ୍ରୀ

ବୀର ସାବରକର ଆନ୍ତର୍ଜାତିକ ବିମାନବନ୍ଦରର ନୂତନ ସମନ୍ୱିତ ଭବନ ଉଦ୍‌ଘାଟିତ

ନୂଆଦିଲ୍ଲୀ, ୧୮/୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆଭାସୀ ମାଧ୍ୟମରେ ପୋର୍ଟବ୍ଲେୟାର ଠାରେ ବୀର ସାବରକର ଆନ୍ତର୍ଜାତିକ ବିମାନବନ୍ଦରର ନୂତନ ସମନ୍ୱିତ ରହଣି ସ୍ଥଳ ଭବନର ଉଦ୍‌ଘାଟନ କରିଛନ୍ତି । ୭୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ ରହଣି ସ୍ଥଳ ଭବନର ବାର୍ଷିକ ୫୦ ଲକ୍ଷ ଯାତ୍ରୀ ପରିବହନ କ୍ଷମତା ରହିଛି।
ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଯଦିଓ କାର୍ଯ୍ୟକ୍ରମ ପୋର୍ଟପ୍ଲେୟାରରେ ହେଉଛି, ତଥାପି ସମଗ୍ର ଦେଶ ବୀର ସାବରକର ଆନ୍ତର୍ଜାତିକ ବିମାନବନ୍ଦରର ଯାତ୍ରୀ ପରିବହନ ସାମର୍ଥ୍ୟ ବୃଦ୍ଧି ଘଟଣାକୁ ଖୁବ୍ ଉତ୍ସୁକତାର ସହ ଦେଖୁଛି।
ପୋର୍ଟବ୍ଲେୟାରରେ ବିମାନବନ୍ଦର ସମ୍ପ୍ରସାରଣ ସୁବିଧା ନେଇ ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଅଧିକ ବିମାନ ଓ ପର୍ଯ୍ୟଟକ ଆଗମନ ଯୋଗୁ ଏହି ଅଞ୍ଚଳରେ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ । ପୋର୍ଟ ବ୍ଲେୟାରର ନୂତନ ଟର୍ମିନାଲ ଭବନ ଭ୍ରମଣ, ବ୍ୟବସାୟ ଓ ସଂଯୋଗର ସୁଗମତା ବୃଦ୍ଧି କରିବ। ଗତ ନଅ ବର୍ଷ ମଧ୍ୟରେ ଆଣ୍ଡାମାନରେ ବିକାଶର ନୂତନ କାହାଣୀ ଲେଖାହୋଇଛି। ପୂର୍ବ ସରକାରଗଣ ଆଣ୍ଡାମାନ ଓ ନିକୋବରକୁ ବଜେଟରେ ୨୩ ହଜାର କୋଟି ଟଙ୍କା ଦେଇଥିବା ବେଳେ ବର୍ତ୍ତମାନର ସରକାର ଗତ ନଅ ବର୍ଷ ମଧ୍ୟରେ ୪୮ ହଜାର କୋଟି ଟଙ୍କା ବଜେଟ୍ ମାଧ୍ୟମରେ ପ୍ରଦାନ କରିଛନ୍ତି । ନଅ ବର୍ଷ ପୂର୍ବେ ସରକାରଙ୍କ ଅମଳରେ ୨୮ ହଜାର ଘରକୁ ପାଇପ ଜଳ ଯୋଗାଯାଇଥିବା ବେଳେ ବର୍ତ୍ତମାନର ସରକାର ଗତ ନଅ ବର୍ଷରେ ୫୦ ହଜାର ଘରକୁ ଏହା ଯୋଗାଇ ଦେଇଛନ୍ତି। ‘ବିକାଶ ଓ ଐତିହ୍ୟ ଏକାଠି ଯାତ୍ରା କରୁଥିବା ଆଣ୍ଡାମାନ ବର୍ତ୍ତମାନ ବିକାଶର ଏକ ମହାମନ୍ତ୍ରର ଉଦାହରଣ ପାଲଟିଛି’ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦିଓ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ିବାର ବହୁ ପୂର୍ବରୁ ଆଣ୍ଡାମାନରେ ତ୍ରିରଙ୍ଗା ପତାକା ଉତ୍ତୋଳନ ହୋଇଥିଲା ତଥାପି ଯେକୌଣସି ବ୍ୟକ୍ତି ଦ୍ୱୀପରେ କେବଳ ଦାସତ୍ୱର ଛାପ ଦେଖିବାକୁ ପାଇବ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଯେଉଁ ସ୍ଥାନରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ ଠିକ୍ ସେହି ସ୍ଥାନରୁ ପତାକା ଉତ୍ତୋଳନ କରିବାର ସୁଯୋଗ ପାଇଥିବାରୁ ଶ୍ରୀ ମୋଦୀ ସେଥିପାଇଁ କୃତଜ୍ଞତା ଜଣାଇଥିଲେ। ବର୍ତ୍ତମାନର ସରକାର ରସ୍ ଦ୍ୱୀପକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ନାମିତ କରିଥିଲେ । ଆବଲକ, ସ୍ୱରାଜ ଓ ନୀଲ ଦ୍ୱୀପକୁ ଶହୀଦ ଦୀପର ନାଁ ଦେଇଥିଲେ । ୨୧ଟି ଦ୍ୱୀପର ନାମକରଣ ପରମବୀର ଚକ୍ର ସମ୍ମାନ ବିଜେତାଙ୍କ ନାମରେ ନାମିତ ହୋଇଥିବା ମଧ୍ୟ ସେ ପ୍ରକାଶ କରିଥିଲେ। ‘ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ବିକାଶ ଦେଶର ଯୁବଗୋଷ୍ଠୀ ନିମନ୍ତେ ପ୍ରେରଣାର ସ୍ରୋତ’ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର