ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ପୋର୍ଟବ୍ଲେୟାରଠାରେ ବୀରସଭରକର ଆନ୍ତର୍ଜାତିକ ବିମାନବନ୍ଦରର ନୂତନ ସମନ୍ୱିତ ରହଣି ସ୍ଥଳ ଭବନର ଉଦଘାଟନ କରିଛନ୍ତି । ୭୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ ରହଣି ସ୍ଥଳ ଭବନର ବାର୍ଷିକ ୫୦ ଲକ୍ଷ ଯାତ୍ରୀ ପରିବହନ କ୍ଷମତା ରହିଛି ।

Advertisment

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯଦିଓ କାର୍ଯ୍ୟକ୍ରମ ପୋର୍ଟପ୍ଲେୟାରରେ ହେଉଛି, ତଥାପି ସମଗ୍ର ଦେଶ ବୀର ସଭରକର ଆନ୍ତର୍ଜାତିକ ବିମାନବନ୍ଦରର ଯାତ୍ରୀ ପରିବହନ ସାମର୍ଥ୍ୟ ବୃଦ୍ଧି ଘଟଣାକୁ ଖୁବ୍ ଉତ୍ସୁକତାର ସହ ଦେଖୁଛି ଯାହା ଆଜି ସଫଳ ହୋଇଛି ।

ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ସ୍ୱୟଂ ଉପସ୍ଥିତ ରହିବାର ଇଚ୍ଛା ପ୍ରକଟ କରିଥିଲେ । ସେ ଏହି ସୁଖଦ ମୁହୂର୍ତ୍ତର ଅଭିଜ୍ଞତା ଅର୍ଜନ କରିବା ସହ ନାଗରିକମାନଙ୍କ ଖୁସୀର ମୁହଁ ଦେଖିଥାନ୍ତେ ବୋଲି କହିଥିଲେ । “ଆଣ୍ଡାମାନ ପରିଦର୍ଶନରେ ଆସିବାକୁ ଉତ୍ସୁକ ବ୍ୟକ୍ତିମାନେ ମଧ୍ୟ ଏକ ଅଧିକ ସାମର୍ଥ୍ୟଯୁକ୍ତ ବିମାନବନ୍ଦର ପାଇଁ ଦାବି କରୁଥିଲେ” ବୋଲି ସେ କହିଥିଲେ ।

ପୋର୍ଟବ୍ଲେୟାରରେ ବିମାନବନ୍ଦର ସମ୍ପ୍ରସାରଣ ସୁବିଧା ନେଇ ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଟର୍ମିନାଲର ସାମର୍ଥ୍ୟ ୪୦୦୦ ପର୍ଯ୍ୟଟକ ପରିବହନ ଥିବାବେଳେ ନୂତନ ଟର୍ମିନାଲରେ ୧୧ ହଜାର ପର୍ଯ୍ୟନ୍ତ ପର୍ଯ୍ୟଟନ ପରିବହନ ହେବା ସହ ଯେକୌଣି ସମୟରେ ଦଶଟି ପର୍ଯ୍ୟନ୍ତ ବିମାନ ରହଣି ସୁବିଧା ହେବ । ଅଧିକ ବିମାନ ଓ ପର୍ଯ୍ୟଟନ ଆଗମନ ଯୋଗୁ ଏହି ଅଞ୍ଚଳରେ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ । ପୋର୍ଟ ବ୍ଲେୟାରର ନୂତନ ଟର୍ମିନାଲ ଭବନ ଭ୍ରମଣ, ବ୍ୟବସାୟ ଓ ସଂଯୋଗର ସୁଗମତା ବୃଦ୍ଧି କରିବ ବୋଲି ସେ କହିଥିଲେ ।

publive-image

ଭାରତରେ ଦୀର୍ଘଦିନ ଧରି ବଡ଼ ବଡ଼ ନଗରୀଗୁଡ଼ିକରେ ବିକାଶର ପରିସର ସୀମିତ ଥିଲା ବୋଲି କହିବା ସହ ଆଦିବାସୀ ଓ ଦ୍ୱୀପାଞ୍ଚଳ ଗୁଡ଼ିକର ବିକାଶ କିପରି ଦୀର୍ଘଦିନ ଧରି ବାଧିତ ଥିଲା ତା’ ଉପରେ ଆଲୋକପାତ କରିଥିଲେ । ଗତ ନଅ ବର୍ଷ ମଧ୍ୟରେ ବର୍ତ୍ତମାନର ସରକାର ପୂର୍ବତନ ସରକାରଙ୍କ କେବଳ ତ୍ରୁଟି ବିଚ୍ୟୁତିର ସଂଶୋଧନ କରିନାହାନ୍ତି ବରଂ ଅତ୍ୟନ୍ତ ସମ୍ବେଦନଶୀଳ ହୋଇ ନୂତନ ପଦ୍ଧତି ମଧ୍ୟ ଆପଣାଇଛନ୍ତି । ବିକାଶର ଅନ୍ତର୍ଭୁକ୍ତୀକରଣ ପାଇଁ ଏକ ମଡେଲ ମଧ୍ୟ ବିକଶିତ ହୋଇଛି ଓ ତାହା ହେଲା ‘ସବକା ସାଥ, ସବକା ବିକାଶ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ବୁଝାଇ କହିଥିଲେ ଯେ ଏହି ବିକାଶ ମଡେଲ ହେଉଛି ଖୁବ୍ ବ୍ୟାପକ । ଏଥିରେ ପ୍ରତ୍ୟେକ ଅଞ୍ଚଳ, ସମାଜର ପ୍ରତ୍ୟେକ ବର୍ଗ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସଂଯୋଗୀକରଣ ଭଳି ଜୀବନର ସମସ୍ତ କ୍ଷେତ୍ର ରହିଛି ।

ଦେଶର ବିକାଶ ପାଇଁ ନିଜକୁ ଉତ୍ସର୍ଗ କରିବା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ବିଶ୍ୱରେ ଅନେକ ତଟବର୍ତ୍ତୀ ଦେଶ ଓ ଦ୍ୱୀପର ଉଦାହରଣ ରହିଛି ଯେଉଁମାନେ ଅସ୍ୱାଭାବିକ ପ୍ରଗତି ହାସଲ କରିଛନ୍ତି । ପ୍ରଗତିର ପଥରେ ଅନେକ ଆହ୍ୱାନ ରହିଥିଲେ ମଧ୍ୟ ଯେତେବେଳେ ବିକାଶ ହୁଏ, ତାହା ସବୁର ସମାଧାନ କରିଥାଏ । ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ହେଉଥିବା ବିକାଶମୂଳକ କାର୍ଯ୍ୟ ସମଗ୍ର ଅଞ୍ଚଳର ଆହୁରି ଶକ୍ତି ବୃଦ୍ଧି କରିବ।