ନ୍ୟୁୟର୍କ: ଭାରତୀୟ ବଂଶୋଦ୍ଭବ କୁଖ୍ୟାତ ଆତଙ୍କବାଦୀ ସିଦ୍ଧାର୍ଥ ଧରକୁ ଯୁକ୍ତରାଷ୍ଟ୍ର ଆମେରିକା ଗତ ମଙ୍ଗଳବାର ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିଛି। ସଂପ୍ରତି ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଦୁର୍ଦ୍ଦାନ୍ତ ଏବଂ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ଜଣେ ସକ୍ରିୟ ଏବଂ ବଳିଷ୍ଠ ସଦସ୍ୟ ଥିବା ଭାରତୀୟ ବଂଶୋଦ୍ଭବ ସିଦ୍ଧାର୍ଥ ଧର ବଶ୍ୱ ଆତଙ୍କବାଦୀ ତାଲିକାରେ ସ୍ଥାନ ପାଇବା ପରେ ଭାରତରେ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ, କିଏ ଏହି ଭାରତୀୟ ବଂଶୋଦ୍ଭବ କୁଖ୍ୟାତ ଆତଙ୍କବାଦୀ ସିଦ୍ଧାର୍ଥ ଧର୍‌ ତାହା ଜାଣିବାକୁ ଏବେ ସବୁ ମହଲରେ ଉତ୍କଣ୍ଠା ସୃଷ୍ଟି ହୋଇଛି।

Advertisment

ହସ୍ତଗତ ହୋଇଥିବା ବିବରଣୀରୁ ଜଣାଯାଇଛି, ବ୍ରିଟେନ୍‌ରେ ରହୁଥିବା ସିଦ୍ଧାର୍ଥ ଧର୍‌ ମୂଳତଃ ହେଉଛି ଜଣେ ହିନ୍ଦୁ। ପରେ ସେ ଧର୍ମ ପରିବର୍ତ୍ତନ କରି ଇସ୍‌ଲାମ ଗ୍ରହଣ କରିବା ସହ ନିଜ ନାମକୁ ଆବୁ ରୁମାୟସ୍‌ କରି ଦେଇଥିଲା। ପ୍ରଥମେ ସେ ବର୍ତ୍ତମାନ ନିଷ୍କ୍ରିୟ ହୋଇ ପଡ଼ିଥିବା ବ୍ରିଟେନ୍‌ର ଆତଙ୍କବାଦୀ ସଂଗଠନ ଅଲ୍‌-ମୁହାଜିରନ୍‌ର ଜଣେ ଆଗଧାଡ଼ିର ସଦସ୍ୟ ଥିଲା। ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥାଇ ସେ ବ୍ରିଟେନ୍‌ ପୋଲିସ୍‌ ହାତରେ ଗିରଫ ମଧ୍ୟ ହୋଇଥିଲା।

publive-image India Today

ପରେ, ୨୦୧୪ରେ ଜେଲ୍‌ରୁ ବେଲ୍‌ରେ ମୁକୁଳିବା ପରେ ସେ ତା’ ସ୍ତ୍ରୀ ଓ ପିଲାଙ୍କୁ ଧରି ସିରିୟା ପଳାୟନ କରିଥିଲା ଏବଂ ସେଠାରେ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ରେ ଯୋଗ ଦେଇଥିଲା। ସେଠାରେ ସେ ନିଜ ଆତଙ୍କବାଦୀ କାର୍ଯ୍ୟକଳାପର ପରାକାଷ୍ଠା ଦେଖାଇ ଖୁବ୍‌ଶୀଘ୍ର ଆଇଏସ୍‌ଆଇଏସ୍‌ର ଜଣେ ବରିଷ୍ଠ କମାଣ୍ଡର ରୂପେ ସ୍ୱୀକୃତି ପାଇଥିଲା। ଏପରିକି ଆଇଏସ୍‌ଆଇଏସ୍‌ର ଘାତକ ଥିବା ମହମ୍ମଦ ଇମ୍‌ଓ୍ଵାଜି ୨୦୧୫ରେ ଏକ ଡ୍ରୋନ୍‌ ଆକ୍ରମଣରେ ପ୍ରାଣ ହରାଇବା ପରେ ସେ ପାଲଟି ଥିଲା ନୂଆ ଘାତକ। ସେବେଠାରୁ ସେ ଆଇଏସ୍‌ଆଇଏସ୍‌ରେ ‘ନ୍ୟୁ ଜେହାଦୀ ଜନ୍‌’ ନାମରେ ପରିଚିତି ପାଇଥିଲା।

ଗୁପ୍ତଚର ବୃତ୍ତି କରୁଥିବା ସନ୍ଦେହରେ ୨୦୧୬ରେ ଆଇଏସ୍‌ଆଇଏସ୍‌ ପକ୍ଷରୁ ଯେଉଁ ଏକାଧିକ ଲୋକଙ୍କୁ ଅତ୍ୟନ୍ତ ଜଘନ୍ୟ ଓ ନିର୍ମମ ଭାବେ ବେକକାଟି ହତ୍ୟା କରାଯିବା ସହ ତାହାର ଭିଡିଓ ଚିତ୍ର ଜାରି କରା ଯାଇଥିଲା ସେଥିରେ ମୁଖାପିନ୍ଧା ଘାତକ ଥିଲା ଆଇଏସ୍‌ଆଇଏସ୍‌ର ‘ନ୍ୟୁ ଜେହାଦୀ ଜନ୍‌’। ଆଇଏସ୍‌ଆଇଏସ୍‌ କବଳରୁ ୨୦୧୬ରେ ଖସି ଆସିବାରେ ସମର୍ଥ ହୋଇଥିବା ନାବାଳିକା ଯୌନ ଦାସୀ ନିହାଦ୍‌ ବାକ୍ରାଟ୍‌ ମଧ୍ୟ କହିଛି ଯେ ‘ନ୍ୟୁ ଜେହାଦୀ ଜନ୍‌’ ତାକୁ ଅପହରଣ କରିନେଇ ଆଇଏସ୍‌ଆଇଏସ୍‌ରେ ଯୌନ ଦାସୀ କରି ରଖିଥିଲା। ଏବେ ଯୁକ୍ତରାଷ୍ଟ୍ର ଆମେରିକା ସିଦ୍ଧାର୍ଥ ଓରଫ ଆବୁ ରୁମାୟସ୍‌ ଓରଫ ‘ନ୍ୟୁ ଜେହାଦୀ ଜନ୍‌’କୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିବା ପରେ ତା’ର କାରନାମା ପଦାକୁ ଆସିଛି।