କେରଳ ଉପକୂଳରେ ନୂଆ ଦ୍ବୀପ!

ତିରୁଅନନ୍ତପୁରମ : କେରଳ ଉପକୂଳରେ ଆରବ ସାଗରର ପାଣି ଭିତରେ ଏକ ଦ୍ବୀପ ଆକୃତିର ଅଞ୍ଚଳ ଗୁଗଲ୍‌ ମ୍ୟାପ୍‌ରେ ଠାବ କରାଯାଇଛି। ବିଶେଷଜ୍ଞମାନଙ୍କୁ ଏହା ଆଶ୍ଚର୍ଯ୍ୟ କରିଛି। ସମୁଦ୍ର ଭିତରେ ଏହି ନୂଆ ସନ୍ଧାନ ମିଳିବାପରେ ପ୍ରକୃତରେ ଏହା କ’ଣ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ସମୁଦ୍ର ତଳେ ଜମା ହୋଇଥିବା ପଟୁମାଟି କିମ୍ବା କୌଣସି ଏକ ନୂଆ ଢାଞ୍ଚା ତାହା ଅନୁଧ୍ୟାନ ପରେ ହିଁ ଜଣାପଡ଼ିବ। ଠାବ ହୋଇଥିବା ଏହି ଦ୍ବୀପ ସଂପର୍କରେ ଚେଲନମ୍‌ କର୍ଷିକା ପର୍ଯ୍ୟଟନ ବିକାଶ ସମିତି ପକ୍ଷରୁ କେରଳ ମତ୍ସ୍ୟ ଏବଂ ମହାସାଗର ଅନୁଧ୍ୟାନ ବିଶ୍ବବିଦ୍ୟାଳୟ (କେୟୁଏଫ୍‌ଓଏସ୍‌)କୁ ଚିଠି ଲେଖିବା ପରେ ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ପାଣି ଭିତରେ ଠାବ ହୋଇଥିବା ଏହି ନୂଆ ଢାଞ୍ଚା ବର୍ତ୍ତମାନ ସୁଦ୍ଧା କାହାରି ନଜରକୁ ଆସିପାରିନାହିଁ। ତେଣୁ ଏହାପୂର୍ବରୁ ଥିଲା କି ନାହିଁ ତାହା ଜାଣିବା ପାଇଁ ବିଶେଷଜ୍ଞମାନେ ଏବେ କାର୍ଯ୍ୟ କରିବେ। ବିନ୍ ଆକୃତିର ଏହି ଅଞ୍ଚଳଟି କେରଳ ଉପକୂଳରୁ ପ୍ରାୟ ୭ କିଲୋମିଟର ଦୂରରେ ରହିଛି। ଏହାର ଆକାର କୋଚିର ଆକାର ତୁଳନାରେ ପ୍ରାୟ ଅଧା ହେବ।

କେୟୁଏଫ୍‌ଓଏସ୍‌ର କୁଳପତି କେ ରିଜି ଜନ୍ କହିଛନ୍ତି, ଆଗକୁ ଅନୁଧ୍ୟାନ କରାଗଲେ ହିଁ ଏହି ଢାଞ୍ଚା କି ପ୍ରକୃତିର ତାହା ଜଣାପଡ଼ିବ। ତେବେ କୋଚିନ ବନ୍ଦରର ‌ଖନନ ବେଳେ ଏଭଳି ଅଞ୍ଚଳ ସୃଷ୍ଟି ହୋଇଥାଇପାରେ ବୋଲି କିଛି ସ୍ଥାନୀୟ ମତ୍ସ୍ୟଜୀବୀ ସନ୍ଦେହ କରୁଛନ୍ତି । ତେଣୁ କର୍ତ୍ତୃପକ୍ଷ ଏହି ଦିଗର ମଧ୍ୟ ଅନୁଧ୍ୟାନ କରିବେ। ତେବେ ଚେଲନମ କର୍ଷିକା ପର୍ଯ୍ୟଟନ ବିକାଶ ‌ସମିତି କହିଛି ସେମାନେ ଏହି ଢାଞ୍ଚାକୁ ଗତ ୪ ବର୍ଷ ହେଲା ଦେଖିଆସୁଛନ୍ତି ଏବଂ ଏହାର ଆକାରରେ କୌଣସି ପରିବର୍ତ୍ତନ ହୋଇନାହିଁ।

ସମ୍ବନ୍ଧିତ ଖବର