ନୂଆ ଆଇଟି ନିୟମ ନେଇ କେନ୍ଦ୍ରକୁ ସୁପ୍ରିମ କୋର୍ଟ ଝଟକା: ହାଇକୋର୍ଟ ଶୁଣାଣି ଉପରେ ସ୍ଥଗିତାଦେଶ ଦେଲେନି

ଅନ୍ୟ ମାମଲା ସହ ଯୋଡ଼ିଦେଲେ, ଜୁଲାଇ ୧୬ରେ ହେବ ଶୁଣାଣି

ନୂଆଦିଲ୍ଲୀ : ନୂଆ ଆଇଟି ନିୟମର ସାମ୍ବିଧାନିକ ବୈଧତା ନେଇ ବିଭିନ୍ନ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ତେବେ ଏହା ଉପରେ ସଂପୃକ୍ତ କୋର୍ଟଗୁଡ଼ିକରେ ଶୁଣାଣିକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ କୋର୍ଟ ଆଜି ମନା କରିଦେଇଥିବା ଜଣାଯାଇଛି। ତେବେ ବିଭିନ୍ନ ହାଇକୋର୍ଟରୁ ମାମଲାଗୁଡ଼ିକୁ ସୁପ୍ରିମ କୋର୍ଟକୁ ସ୍ଥାନାନ୍ତର କରିବା ଲାଗି କେନ୍ଦ୍ର ସରକାର କରିଥିବା ଆବେଦନର ଶୁଣାଣି ଆସନ୍ତା ୧୬ ତାରିଖରେ ହେବ। ପୂର୍ବରୁ ଓଟିଟି ବିଷୟବସ୍ତୁକୁ ନିୟନ୍ତ୍ରଣ ନେଇ ପଡ଼ି ରହିଥିବା ମାମଲା ସହିତ ଏହି ମାମଲାର ଶୁଣାଣି ସେହିଦିନ ହେବ ବୋଲି ସୁପ୍ରିମ କୋର୍ଟ ଆଜି କହିଛନ୍ତି।

ମାମଲା ଆସନ୍ତା ୧୬ ତାରିଖରେ ବିଚାରପତି ଏ ଏମ୍ ଖାନୱିଲକର ଏବଂ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠରେ ହେବ ବୋଲି କୁହାଯାଇଛି। ଏହି ମାମଲାକୁ କେନ୍ଦ୍ରର ଏସ୍‌ଏଲ୍‌ପି (ସ୍ପେସାଲ ଲିଭ୍ ପିଟିସନ୍) ସହିତ ଯୋଡ଼ାଯିବ। ଓଟିଟି ପ୍ଲାଟଫର୍ମର ନିୟନ୍ତ୍ରଣ ପାଇଁ ବିଭିନ୍ନ ହାଇକୋର୍ଟରେ ହୋଇଥିବା ମାମଲାର ବିଚାର ଉପରେ ସୁପ୍ରିମ କୋର୍ଟ ଗତ ମାର୍ଚ୍ଚମାସରେ ସ୍ଥଗିତାଦେଶ ଦେଇଥିଲେ। ହାଇକୋର୍ଟ ଗୁଡ଼ିକରେ ରହିଥିବା ମାମଲା ଗୁଡ଼ିକର ବିଚାରକୁ ସ୍ଥଗିତ ରଖିବା ପାଇଁ ସଲିସିଟର ଜେନେରାଲ କହିବା ପରେ ଖଣ୍ଡପୀଠ କହିଥିଲେ ଆମେ ଏ ନେଇ କୌଣସି ମନ୍ତବ୍ୟ ଦେଉନାହୁଁ। କିନ୍ତୁ ଏହାକୁ ଅନ୍ୟ ମାମଲା ସହିତ ଯୋଡ଼ି ଦେଉଛୁ। ମାମଲା ସ୍ଥାନାନ୍ତର ପିଟିସନ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ଗତ ମଙ୍ଗଳବାର ଦାଖଲ କରାଯାଇଥିଲା।

ସୂଚନା ପ୍ରଯୁକ୍ତି (ଇଣ୍ଟରମିଡିଆରି ଗାଇଡଲାଇନ୍ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌) ନିୟମର ବିଜ୍ଞପ୍ତି ୨୦୨୧ ଫେବ୍ରୁଆରି ୨୫ ତାରିଖରେ ଜାରି ହୋଇଥିଲା। ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ କମ୍ପାନି ଗୁଡ଼ିକୁ ୩ ମାସ ଅର୍ଥାତ୍ ମେ ୨୫ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ତେବେ ଏହି ନିୟମକୁ ଚ୍ୟାଲେଞ୍ଜ କରି ଅତିକମ୍‌‌ରେ ଦେଶର ୫ଟି ହାଇକୋର୍ଟରେ ବର୍ତ୍ତମାନ ସୁଦ୍ଧା ମାମଲା ରହିଛି। ମାମଲାଗୁଡ଼ିକ ମୁଖ୍ୟତଃ ଦିଲ୍ଲୀ, ମାଡ୍ରାସ, ବମ୍ବେ, କେରଳ ଏବଂ କଲିକତା ହାଇକୋର୍ଟରେ ହୋଇଛି। ଗୁଗୁଲ୍‌ ଏବଂ ଫେସବୁକ୍ ଭଳି ସୋସିଆଲ ମିଡିଆ କମ୍ପାନି ଉକ୍ତ ନିୟମକୁ କିଛି ମାତ୍ରାରେ ପାଳନ କରିଥିବା ବେଳେ ସରକାରଙ୍କ ସହିତ ମୁହାଁମୁହିଁ ସ୍ଥିତିରେ ଟ୍ବିଟର ରହିଛି। ରବି ଶଙ୍କର ପ୍ରସାଦ ମନ୍ତ୍ରିମଣ୍ଡଳରୁ ଯିବା ପରେ ନୂଆ ଆଇଟି ମନ୍ତ୍ରୀ ଭାବେ ଅଶ୍ବିନୀ ବୈଷ୍ଣବ ଗତକାଲି ଦାୟିତ୍ବ ଗ୍ରହଣ କରିଛନ୍ତି। ତେବେ ସେ ମଧ୍ୟ ରବି ଶଙ୍କରଙ୍କ ରାସ୍ତାରେ ଅଛନ୍ତି। ଦେଶର ଆଇନ ସବୁଠୁ ଉପରେ। ତେଣୁ ଟ୍ବିଟର ନିୟମ ମାନିବାକୁ ବାଧ୍ୟ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର