ଭୁବନେଶ୍ବର: ଜଗନ୍ନାଥ ଧାମ କେଉଁଠି ପୁରୀରେ ନା ଦୀଘାରେ ? ଜଗନ୍ନାଥ ଧାମ କହିଲେ ଆପଣ କଣ ବୁଝନ୍ତି- ପୁରୀ ନା ଦୀଘା ? ସାରା ବିଶ୍ବ ଜାଣିଛି ୪ ଧାମ ଭିତରୁ ଗୋଟିଏ ଧାମ ହେଉଛି ଜଗନ୍ନାଥ ଧାମ । ଦେଶ ବିଦେଶରେ କିଏ ଓଡିଶାକୁ ଜାଣୁ ବା ନଜାଣୁ କିନ୍ତୁ ଜଗନ୍ନାଥ ଧାମ କହିଲେ ସେ ଓଡିଶାକୁ ଜାଣେ, ପୁରୀକୁ ବୁଝେ... କିନ୍ତୁ ଇତିମଧ୍ୟରେ ଦୀଘାକୁ ଜଗନ୍ନାଥ ଧାମ କହିବା ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ସରକାର । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଦୀଘାରେ ନବନିର୍ମିତ ଭବ୍ୟ ଜଗନ୍ନାଥ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହୋଇଥିବା ବେଳେ ଏହାର ବିଜ୍ଞାପନ ଏବଂ ନିମନ୍ତ୍ରଣ ପୋଷ୍ଟରରେ ‘ଦୀଘା ଜଗନ୍ନାଥ ଧାମ’ ଲେଖାଥିବା କଥାକୁ ସହଜରେ ଗ୍ରହଣ କରି ନାହାନ୍ତି ଓଡିଶାର ଜଗନ୍ନାଥପ୍ରେମୀ । ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ହିଁ ବୁଝାଏ ବୋଲି କହି ‘ଦୀଘା ଜଗନ୍ନାଥ ଧାମ’କୁ ବିରୋଧ କରାଯାଇଛି । ଯାହାର ପ୍ରତିଫଳନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

Advertisment
DHAM
Photograph: (Sambad.in)

 

ଜଗନ୍ନାଥ ଓଡିଆଙ୍କ ଆରାଧ୍ୟ ଦେବତା, ସେ ସାରା ଜଗତର ଠାକୁର । ବିଶ୍ବବ୍ୟାପୀ ଜଗନ୍ନାଥ ମନ୍ଦିର ହେଉ... ସବୁଠି ବହୁଳ ମାତ୍ରାରେ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରାଯାଉ ଏବଂ ଜଗନ୍ନାଥ ସଂସ୍କୃତି, ଜଗନ୍ନାଥ ଭକ୍ତିପ୍ରୀତିର ପ୍ରଚାର ପ୍ରସାର କରାଯାଉ ମାତ୍ର ଏହାର ଧାମକୁ ନେଇ ଟଣା ଓଟରା ନହେଉ । ପୁରୀକୁ ହିଁ କେବଳ ଜଗନ୍ନାଥ ଧାମ ବୋଲି କୁହାଯାଉ ବୋଲି ଜଗନ୍ନାଥପ୍ରେମୀମାନେ ଦାବି କରିଥିବା ବେଳେ ରସଗୋଲାର କଥା ଉଠାଇଛନ୍ତି । ବହୁ କଷ୍ଟରେ ରସଗୋଲାକୁ ଆମେ ଆମର କହୁଛେ, ତେଣୁ ଜଗନ୍ନାଥ ଧାମକୁ ଛଡେଇ ନେବାକୁ ଷଡଯନ୍ତ୍ର ନହେଉ ବୋଲି ଯୁବ ଲେଖକ ଦେବବ୍ରତ ଦାସ ତାଙ୍କ ସୋସିଆଲ ମିଡିଆରେ ଲେଖିଛନ୍ତି ।

ସେହିପରି ଅନ୍ୟଜଣେ ବରିଷ୍ଠ ଲେଖକ କୃଷ୍ଣ କୁମାର ମହାନ୍ତି ଚାରି ଧାମର ଇତିହାସ କହି ଜଗନ୍ନାଥ ଧାମ କହିଲେ କେଉଁଠି ବୁଝାଏ ବୋଲି ପ୍ରଶ୍ନ କରି ମମତା ସରକାରଙ୍କ ଏଭଳି ଆଭିମୁଖ୍ୟ ଏବଂ ଖବରକାଗଜରେ ପ୍ରକାଶିତ ବିଜ୍ଞାପନକୁ ବିରୋଧ କରିଛନ୍ତି । ସେ କହିଛନ୍ତି ଏହା ଜଗନ୍ନାଥପ୍ରେମୀଙ୍କ ଭାବାବେଗ ପ୍ରତି କୁଠାରଘାତ ।

1SE
Photograph: (Sambad.in)

 

ତେବେ ଦୀଘା ଜଗନ୍ନାଥ ମନ୍ଦିର ପୁରୀ ଶ୍ରୀମନ୍ଦିରର ଅବିକଳ ନକଲ ବୋଲି କୁହାଯାଉଥିବା କଥାକୁ ସମାଲୋଚନା କରିଛନ୍ତି ଅନ୍ୟ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସବ୍ୟସାଚୀ ଅମିତାଭ । ସେ କହିଛନ୍ତି, ଦୀଘାରେ ନିର୍ମିତ ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିର ସୁନ୍ଦର ଓ ସୁଉଚ୍ଚ ହୋଇଥାଇପାରେ, ହେଲେ ଏହା କେବେ ବି ପୁରୀ ବଡ଼ଦେଉଳର ଅବିକଳ ନୁହେଁ । 

DGH
Photograph: (Sambad.in)

 

ପଶ୍ଚିମବଙ୍ଗ ଦୀଘାରେ ବିରାଟ ଜଗନ୍ନାଥ ମନ୍ଦିର ତିଆରି ହୋଇଛି । ଯାହାକୁ ଆଜି ଅକ୍ଷୟ ତୃତୀୟାରେ ଉଦଘାଟନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମନ୍ଦିରର ଉଦଘାଟନ ହୋଇଛି । ପୁରୀ ଜଗନ୍ନାଥ ମନ୍ଦିର ଢାଞ୍ଚାରେ ଦୀଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରରେ କାଠ ବଦଳରେ ପଥର ମୂର୍ତ୍ତିରେ ପୂଜା ପାଇବେ ୩ ଠାକୁର । ପାରମ୍ପରିକ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏହି ଭବ୍ୟ ମନ୍ଦିର ରାଜସ୍ଥାନର ଉତ୍କୃଷ୍ଟ ଗୋଲାପୀ ବାଲିପଥରରେ ନିର୍ମିତ ହୋଇଛି । ୨୦ ଏକର ଜମିରେ ମନ୍ଦିର ପାଇଁ ପଶ୍ଚିମବଙ୍ଗ ସରକାର ୨୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ରାଜସ୍ଥାନର ୮୦୦ ରୁ ଅଧିକ କୁଶଳୀ କାରିଗର ଏହି ମନ୍ଦିର ନିର୍ମାଣ କରିଛନ୍ତି ।  

ଦୀଘା ମନ୍ଦିରରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରି  ଭୋଗମଣ୍ଡପ, ନାଟମଣ୍ଡପ, ଜଗମୋହନ ଏବଂ ପବିତ୍ର ଗର୍ଭଗୃହ ଭଳି କାରୁକାର୍ୟ୍ୟ କରାଯାଇଛି । ମନ୍ଦିର ପ୍ରବେଶ ଦ୍ୱାରରେ ଏକ ଉଚ୍ଚ ୩୪ ଫୁଟର ଲମ୍ବା, ୧୮ ମୁଖା ବିଶିଷ୍ଟ ଅରୁଣ ସ୍ତମ୍ଭ ନିର୍ମାଣ କରାଯାଇଛି । ଏଠାରେ କଳା ପଥରରେ  ମୁକୁଟ ପିନ୍ଧିଥିବା ଅରୁଣ ମୂର୍ତ୍ତି ତିଆରି ହୋଇଛି ।  ମନ୍ଦିରରେ ସିଂହଦ୍ୱାର, ବ୍ୟାଘ୍ରଦ୍ୱାର, ହସ୍ତୀଦ୍ୱାର ଏବଂ ଅଶ୍ୱଦ୍ୱାର ପରି ସମାନ ୪ ଦୁଆର କରାଯାଇଛି । ତା ସହିତ ଲକ୍ଷ୍ମୀ ମନ୍ଦିର ଏବଂ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୋଗ ନୈବେଦ୍ୟ ପ୍ରସ୍ତୁତ କରିବା ପାଇଁ ଏକ ପୃଥକ ଭୋଗଶାଳା ମଧ୍ୟ ରହିଛି । 

ସୁଆର ମହାସୁଆର ନିଯୋଗର ବାରଣ ସତ୍ତ୍ବେ  ପ୍ରତିଷ୍ଠା ଉତ୍ସବରେ ମହାପ୍ରଭୁଙ୍କ ନୀତିକାନ୍ତି ଯୋଗ ଦେଇଥିଲେ ପୁରୀର ପ୍ରାୟ ୭୦ ସେବାୟତ । ତେବେ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ପୁରୀରେ ତୀବ୍ର ବିରୋଧ କରାଯାଇଛି । ପୁରୁଣା ପରମ୍ପରାକୁ ପାଳନ କରି ଦୀଘା ମନ୍ଦିରରେ ଦୈନନ୍ଦୀନ ପତାକା ପରିବର୍ତ୍ତନ ଭଳି ରୀତିନୀତି କରାଯିବ । ମନ୍ଦିରର ଉଦଘାଟନ ପରେ ମନ୍ଦିର ପରିଚାଳନା ଦାୟିତ୍ୱ ଇସ୍କନକୁ ଦିଆଯାଇଛି । ତେବେ ଏହି ମନ୍ଦିର ତିଆରି ପାଇଁ ପ୍ରାୟ ୫ ବର୍ଷ ଲାଗିଥିଲା ।