କର୍ଣ୍ଣାଟକ ସଙ୍କଟ ଜାରି, ବିଧାୟକଙ୍କ ଇସ୍ତଫାକୁ ଝୁଲାଇ ରଖିଲେ ବାଚସ୍ପତି

କେବଳ ୫ ବିଧାୟକଙ୍କ ଇସ୍ତଫା ବୈଧ, କୁମାରସ୍ବାମୀଙ୍କ ଇସ୍ତଫା ଦାବି କଲା ବିଜେପି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ୧୩ ମାସ ପୁରୁଣା ଏଚ୍‌ଡି କୁମାରସ୍ବାମୀଙ୍କ ନେତୃତ୍ବାଧୀନ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରର ଭାଗ୍ୟ ଆଜି ବି ଅନିଶ୍ଚିତତା ଭିତରେ ଝୁଲି ରହିଛି। ରାଜ୍ୟ ବିଧାନସଭାରୁ ଇସ୍ତଫା ଦେଇଥିବା ମେଣ୍ଟର ୧୪ ଜଣ ବିଧାୟକ ନିଜ ଜିଦରେ ଅଟଳ ରହିଥିବା ବେଳେ ସେମାନଙ୍କୁ ମନାଇବା ଲାଗି ମେଣ୍ଟର କେତେକ ନେତା ମୁମ୍ବାଇ ଯାଇଛନ୍ତି। ଅନ୍ୟପଟେ ବିଜେପି ଅଭିଯୋଗ କରିଛି ଯେ କୁମାରସ୍ବାମୀ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହରାଇଛନ୍ତି। ତେଣୁ‌ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ। ଏହି ଦାବି ଜଣାଇବା ଲାଗି ଆସନ୍ତାକାଲି ବିଜେପି ନେତାମାନେ ରାଜ୍ୟପାଳଙ୍କୁ ଭେଟିବେ। ସେମାନେ ଧାରଣା ଦେବାକୁ ମଧ୍ୟ ଘୋଷଣା କରିଛନ୍ତି।

ତେବେ ସମସ୍ତଙ୍କର ନଜର ରହିଛି ବାଚସ୍ପତି ରମେଶ କୁମାରଙ୍କ ଉପରେ। ତାଙ୍କର ନିଷ୍ପତ୍ତି ଉପରେ କୁମାରସ୍ବାମୀ ସରକାରର ଭାଗ୍ୟ ନିର୍ଭର କରୁଛି। ତାଙ୍କ ପାଖକୁ ଯେଉଁ ୧୪ ଜଣ ବିଧାୟକ ସେମାନଙ୍କର ଇସ୍ତଫାପତ୍ର ପଠାଇଛନ୍ତି ତାହାକୁ ସେ ଗ୍ରହଣ କରୁଛନ୍ତି ନା ନାହିଁ। ଇତିମଧ୍ୟରେ ଆଜି ବାଚସ୍ପତି କହିଛନ୍ତି ଯେ ୧୪ ବିଧାୟକଙ୍କ ମଧ୍ୟରୁ ମାତ୍ର ୫ ଜଣଙ୍କ ଇସ୍ତଫାପତ୍ର ଠିକ୍ ରହିଛି ଏବଂ ଅନ୍ୟ ୯ ଜଣଙ୍କୁ ପୁଣି ଥରେ ଇସ୍ତଫାପତ୍ର ପଠାଇବାକୁ ପଡ଼ିବ। ଏହି ୧୪ ଜଣଙ୍କ ମଧ୍ୟରୁ କଂଗ୍ରେସର ୧୦ ଜଣ ଥିବା ବେଳେ ଜେଡିଏସର ୩ ଜଣ ଏବଂ ଜଣେ ନିଲମ୍ବିତ କଂଗ୍ରେସ ବିଧାୟକ ଅଛନ୍ତି। ବାଚସ୍ପତି କହିଛନ୍ତି ଯେ ଯେଉଁ ୫ ଜଣଙ୍କ ଇସ୍ତଫାପତ୍ର ଆଇନ ଅନୁଯାୟୀ ବୈଧ ରହିଛି ସେମାନେ ଆସି ତାଙ୍କୁ ଭେଟିବାକୁ ପଡ଼ିବ। ଏଥିପାଇଁ ସେମାନଙ୍କ ଲାଗି ୧୨ ଏବଂ ୧୫ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ବିଧାୟକମାନେ ବିନା ଚାପରେ ଏବଂ ନିଜଆଡ଼ୁ ଇସ୍ତଫା ଦେଇଛନ୍ତି ବୋଲି ତାଙ୍କୁ ବିଶ୍ବାସ ଦେବାକୁ ପଡ଼ିବ। ଏହାପରେ ଯାଇ ସେମାନଙ୍କର ଇସ୍ତଫା ଗ୍ରହଣ କରାଯିବ। ଅନ୍ୟ ବିଧାୟକମାନେ ସେମାନଙ୍କର ଇସ୍ତଫାପତ୍ର ଆଉ ଥରେ ପଠାନ୍ତୁ ବୋଲି ବାଚସ୍ପତି କହିଛନ୍ତି। ଏସଂପର୍କରେ ସେ ରାଜ୍ୟପାଳଙ୍କୁ ଚିଠି ଲେଖି ଜଣାଇଥିବା ପ୍ରକାଶ କରିଛନ୍ତି। ବାଚସ୍ପତିଙ୍କ ଏଭଳି ପଦକ୍ଷେପ କର୍ଣ୍ଣାଟକ ସଙ୍କଟକୁ ନୂଆ ମୋଡ଼ ଦେଇଛି। ମେଣ୍ଟ ସରକାର ସାମୟିକ ଭାବେ ଆଶ୍ବସ୍ତ ‌େହାଇଥିବା ‌େ‌ବଳେ ବିଜେପିକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।

ସୂଚନାଯୋଗ୍ୟ ଯେ କଂଗ୍ରେସ ଏବଂ ଜେଡିଏସ୍‌ର ୧୪ ବିଧାୟକଙ୍କ ସମେତ ଦୁଇ ଜଣ ସ୍ବାଧୀନ ବିଧାୟକ ମଧ୍ୟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବାରୁ ରାଜନୈତିକ ସଙ୍କଟ ଅତି ଜଟିଳ ସ୍ଥିତିରେ ରହିଛି। ଅନ୍ୟପକ୍ଷରେ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ବେଙ୍ଗାଲୁରୁ ବିଧାନ ସୌଧ ପରିସରରେ ହୋଇଥିଲା। ଏଥିରେ କଂଗ୍ରେସର ୨୧ ଜଣ ବିଧାୟକ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟା କହିଛନ୍ତି ଯେ ଇସ୍ତଫା ଦେଇଥିବା ବିଦ୍ରୋହୀ ବିଧାୟକଙ୍କ କ୍ଷେତ୍ରରେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବା ଉଚିତ। ଏହି ବିଧାୟକମାନଙ୍କ ସଦସ୍ୟତା ରଦ୍ଦ ସହ ସେମାନଙ୍କୁ ଆଗାମୀ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆନଯିବାକୁ ସେ ଦାବି କରିଛନ୍ତି।

୨୨୪ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ଯଦି ୧୪ ଜଣ ବିଧାୟକଙ୍କ ଇସ୍ତଫା ଗୃହୀତ ହୁଏ, ତାହାହେଲେ ସଭ୍ୟସଂଖ୍ୟା ୨୧୦କୁ ହ୍ରାସ ପାଇବ। ଏଭଳି ସ୍ଥଳେ ସ୍ପଷ୍ଟ ବହୁମତ ଲାଗି ୧୦୬ ସଭ୍ୟଙ୍କ ସମର୍ଥନ ଦରକାର। ଦୁଇ ଜଣ ସ୍ବାଧୀନ ବିଧାୟକ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ବିଜେପିକୁ ସମର୍ଥନ ଘୋଷଣା କରିଥିବାରୁ ବିଜେପି ସଂଖ୍ୟା ୧୦୭ରେ ପହଂଚିଥିବା ବେଳେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସଂଖ୍ୟା ୧୦୩କୁ ହ୍ରାସ ପାଇଛି। ଗତ ବିଧାନସଭ‌ା ନିର୍ବ‌ାଚନରେ ବିଜେପିର ୧୦୫ ଜଣ ବିଧ‌‌ାୟକ ନିର୍ବାଚିତ ହୋଇଥିବା ବେଳେ କଂଗ୍ରେସର ୭୮ ଏବଂ ଜେଡିଏସ୍‌ର ୩୭ ଜଣ ନିର୍ବାଚିତ ହୋଇଥିଲେ। ତେବେ ୪ ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ (୧୧୯) ସରକାର ଗଠନ କରିଥି‌ଲା।

ସମ୍ବନ୍ଧିତ ଖବର