ନୂଆଦିଲ୍ଲୀ: ନିଟ୍ ପରୀକ୍ଷାର ଅନିୟମିତତା ଓ ଦୁର୍ନୀତିକୁ ଦୃଷ୍ଟିରେ ରଖି ନୂଆ ନିୟମ ବାହାର କରିଛନ୍ତି କେନ୍ଦ୍ର ସରାକର। ପରୀକ୍ଷାରେ କାଗଜ ଲିକ ରୋକିବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପରେ ସରକାର ଶୁକ୍ରବାର ଦିନ ପବ୍ଲିକ୍ ଏକ୍ସାମିନେସନ୍ସ (ପ୍ରିଭେନସନ୍ ଅଫ୍ ଅନ୍ଫେୟାର୍ ମିନ୍ସ) ଆଇନ ପ୍ରଣୟନ କରିଛନ୍ତି। ନିଟ୍ ଏବଂ ୟୁଜିସି ପରୀକ୍ଷାକୁ ନେଇ ଏକ ବଡ଼ ବିବାଦ ମଧ୍ୟରେ ଏହି ଆଇନ କାର୍ଯ୍ୟକାରୀ ହେବ, ଯାହା କାଗଜ ଲିକ୍ ଏବଂ ଅନିୟମିତତାକୁ ରୋକିବ। ଏହି ନୂଆ ନିୟମ ଅନୁସାରେ, ଦୋଷୀଙ୍କୁ ୧ କୋଟି ଟଙ୍କାର ଜରିମାନା ସହ ୧ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ।
ଅନ୍ୟାନ୍ୟ ଅଧିନିୟମ ଯଥା ୟୁନିଅନ୍ ପବ୍ଲିକ୍ ସର୍ଭିସ କମିସନ (ୟୁପିଏସ୍ସି), ଷ୍ଟାଫ୍ ସିଲେକସନ କମିସନ (ଏସଏସସି), ରେଳବାଇ, ବ୍ୟାଙ୍କିଙ୍ଗ୍ ନିଯୁକ୍ତି ପରୀକ୍ଷା ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍.ଟି.ଏ) ଭଳି ସାଧାରଣ ସଂସ୍ଥା ଦ୍ୱାରା କରାଯାଇଥିବା ସାଧାରଣ ପରୀକ୍ଷାରେ ଠକାମି ଓ ଅନିୟମିତତାକୁ ରୋକିବା ପାଇଁ ଏହି ଆଇନର ଲକ୍ଷ୍ୟ।
ନିଟ୍-ୟୁଜି ୨୦୨୪ ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତି ଅଭିଯୋଗ ନେଇ ହୋଇଥିବା ଆବେଦନ ଉପରେ ସୁପ୍ରିମ୍କୋର୍ଟ ମଙ୍ଗଳବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ନିଟ୍ ଆଶାୟୀ ଓ ସେମାନଙ୍କ ଅଭିଭାବକଙ୍କ ଅଭିଯୋଗ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ସାମାନ୍ୟ ଅବହେଳା ମଧ୍ୟ ବରଦାସ୍ତ କରାଯିବା ଉଚିତ ନୁହେଁ। ନିଟ୍ ହେଉଛି ଡାକ୍ତରୀ ଓ ଆନୁଷଙ୍ଗିକ ଶିକ୍ଷା କ୍ଷେତ୍ର ପାଇଁ ଭାରତର ମୁଖ୍ୟ ପ୍ରବେଶିକା ପରୀକ୍ଷା। ଏନ୍ଟିଏ ପ୍ରତିବର୍ଷ ଏହି ପରୀକ୍ଷା ଆୟୋଜନ କରିଥାଏ। ଏନ୍ଟିଏ ଓ କେନ୍ଦ୍ରକୁ ନୋଟିସ ଜାରି କରି କୋର୍ଟ କହିଛନ୍ତି ଯେ ୦.୦୦୧ ପ୍ରତିଶତ ଅବହେଳା ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।