ମୁମ୍ବାଇ : ଓଡ଼ିଶାର ଏମ୍ଏସ୍‌ଏମ୍ଇ କ୍ଷେତ୍ର ୧୮.୧୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛି। ଏହି ସଂସ୍ଥାଗୁଡ଼ିକୁ ପ୍ରତିଦ୍ବନ୍ଦ୍ବିତାକ୍ଷମ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ରାଜ୍ୟରେ ୪.୯୪ ଲକ୍ଷ ପଞ୍ଜୀକୃତ ଏମ୍ଏସ୍‌ଏମ୍ଇ ଥିବା ବେଳେ ୨୦୨୧-୨୨ ଆର୍ଥିକ ବର୍ଷ ସୁଦ୍ଧା ସେଥିରେ ୨୩,୬୯୦ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଏମ୍ଏସ୍‌ଏମ୍ଇ କ୍ଷେତ୍ରର ଅଭିବୃଦ୍ଧି ଲକ୍ଷ୍ୟ ହାସଲ କରିବା ଓ ଓଡ଼ିଶାର କ୍ଷୁଦ୍ର ବ୍ୟବସାୟୀଙ୍କୁ ସୁବିଧାରେ ଋଣ ପ୍ରଦାନ କରିବା ଲାଗି ଆଦିତ୍ୟ ବିର୍ଲା ଫାଇନାନ୍ସ ଲିମିଟେଡ୍‌ ପକ୍ଷରୁ ରାଜ୍ୟରେ ଥିବା ୧୧ଟି ଶାଖାରେ ମାଇକ୍ରୋ ଲୋନ୍ ଏଗେନ୍‌ଷ୍ଟ୍‌ ପ୍ରପର୍ଟି (ମାଇକ୍ରୋ ଏଲ୍‌ଏପି) ଆରମ୍ଭ କରାଯାଇଛି। ଏଥିରେ ଗ୍ରାହକମାନେ ୬ ବର୍ଷର ଅବଧି ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଅଧିକ ପାଣ୍ଠି ଚାହୁଥିବା ବ୍ୟବସାୟୀମାନେ ୧୫ ବର୍ଷିଆ ଅବଧି ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। କମ୍ କାଗଜପତ୍ର କାମ, ଆକର୍ଷଣୀୟ ସୁଧ ଓ ସହଜ ପରିଶୋଧ ବିକଳ୍ପରେ ଏହି ଋଣ ମିଳିବ। ଓଡ଼ିଶାରେ ମାଇକ୍ରୋ ଏଲ୍‌ଏପିର ଶୁଭାରମ୍ଭ କରାଯାଇଥିବାରୁ କଂପାନିର ଏମ୍‌ଡି ଓ ସିଇଓ ରାକେଶ ସିଂହ ଖୁସି ବ୍ୟକ୍ତ କରିଛନ୍ତି।