ରବିବାରଠାରୁ ଲାଗୁ ହେବ ନୂଆ ମୋଟର ଯାନ ଆଇନ, ଜାଣନ୍ତୁ..କେଉଁ ନିୟମ ଉଲ୍ଲଙ୍ଘନ କଲେ କେତେ ଜରିମାନା ଦେବେ

ନୂଆଦିଲ୍ଲୀ : ଆସନ୍ତା କାଲିଠାରୁ ସାରା ଦେଶରେ ଲାଗୁ ହେବ ନୂଆ ମୋଟର ଯାନ ଆଇନ । ସଂସଦର ଗତ ବଜେଟ ଅଧିବେଶନରେ ଏହି ବିଲଟି ସଂସଦର ଉଭୟ ଗୃହ ଓ ପରେ ରାଷ୍ଟ୍ରପତିଙ୍କ ମଂଜୁରୀ ପରେ ଆଇନରେ ପରିଣତ ହୋଇଥିଲା । ଏହି ନୂଆ ଆଇନ ଲାଗୁ ହେବା ପରେ ସାରା ଦେଶରେ ଟ୍ରାଫିକ ଓ ଯାନ ବାହାନ ସଂପର୍କିତ ଆଇନ ବେଶ କଠୋର ହୋଇଯିବ । ଏହା ଦ୍ୱାରା ଦେଶର ସଡ଼କଗୁଡ଼ିକ ଅଧିକ ସୁରକ୍ଷିତ ହୋଇପାରିବ ଓ ଯାନବାହାନ ଚାଳକଙ୍କ ମଧ୍ୟରେ ଏକ ଦାୟିତ୍ୱବଦ୍ଧତା ଆସିବ ବୋଲି ସରକାର କହିଛନ୍ତି ।

କେଉଁ ନିୟମ ଉଲ୍ଲଙ୍ଘନ କଲେ କେତେ ଜରିମାନା ?

• ଅଧିକ ବେଗରେ ଗାଡ଼ି ଚଳାଇଲେ—-ଟ. ୧,୦୦୦ରୁ ୪,୦୦୦
• ବିନା ବୀମାରେ ଗାଡ଼ି ଚଳାଇଲେ—–ଟ.୨,୦୦୦ରୁ ୪,୦୦୦ ବା/ଓ ଜେଲଦଣ୍ଡ
• ହେଲମେଟ ନ ପିନ୍ଧିଲେ—–ଟ.୧,୦୦୦ ଓ ୩ ମାସ ପାଇଁ ଲାଇସେନ୍ସ ରଦ୍ଦ
• ଚାଳକ ନାବାଳକ/ନାବାଳିକା ହୋଇଥିଲେ —-ଟ. ୨୫,୦୦୦ ଓ ୩ ବର୍ଷ ପର୍ଯ୍ୟନ୍ତ ଜେଲ
• ଟ୍ରାଫିକ ପୁଲିସ ନିର୍ଦ୍ଦେଷ ନମାନିଲେ —–ଟ.୨,୦୦୦
• ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ—-ଟ.୫,୦୦୦
• ଲାଇସେନ୍ସ ପରୀକ୍ଷାରେ ବିଫଳ ହୋଇ ମଧ୍ୟ ଗାଡ଼ିଚଳାଇଲେ—ଟ.୧୦,୦୦୦
• ବିପଦପୂର୍ଣ୍ଣ ଗାଡିଚାଳନା—-ଟ.୫,୦୦୦
• ମଦ ପିଇ ଗାଡ଼ି ଚଳାଇଲେ-ଟ.୧୦,୦୦୦
• ସିଟ ବେଲ୍ଟ ନ ପିନ୍ଧିଲେ—-ଟ.୧,୦୦୦
• ଓଭରଲୋଡିଂ—-ଟ.୨୦,୦୦୦

ନୂଆ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଆମ୍ବୁଲାନ୍ସ ପରି ଜରୁରୀକାଳୀନ ସେବା ଯୋଗାଉଥିବା ଯାନକୁ ବାଟ ନ ଛାଡିଲେ ମଧ୍ୟ ୫ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡିପାରେ, ଜେଲ ଯିବାକୁ ପଡିପାରେ କିମ୍ବା ଉଭୟ ଜେଲ ଦଣ୍ଡ ସହ ଜରିମାନା ଦେବାକୁ ପଡିପାରେ । ମଦ ପିଇ ଡ୍ରାଇଭିଂ କଲେ ଜୋରିମାନା ପରିମାଣ ୨ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ସହିତ ଜେଲ ମଧ୍ୟ ଯିବାକୁ ପଡିପାରେ । ସେହିପରି ଅଧିକ ବେଗରେ ଡ୍ରାଇଭିଂ କଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ହେବ । କାର ବା ଅନ୍ୟ ଗାଡ଼ି ଚାଳନା ବେଳେ ସିଟ ବେଲଟ ନ ଭିଡିଲେ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ପଡିପାରେ । ଏବେ ଏହା ମାତ୍ର ୧୦୦ ଟଙ୍କା ରହିଛି । ମୋଟର ସାଇକେଲ ଚଳାଇବା ବେଳେ ହେଲମେଟ ନ ପିନ୍ଧିଲେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିପାରେ । କେତେକ କ୍ଷେତ୍ରରେ ଲାଇସେନ୍ସ ମଧ୍ୟ ୩ ମାସ ପାଇଁ ବାତିଲ ହୋଇପାରେ । ଗାଡ଼ି ଚଳାଇଲା ବେଳେ ମୋବାଇଲରେ କଥା ହେଲେ ମଧ୍ୟ ତଣ୍ଡ ଗଣିବାକୁ ପଡିପାରେ ।

ସମ୍ବନ୍ଧିତ ଖବର