ଜାତୀୟ ଶିକ୍ଷା ନୀତି-୨୦୨୦ର ବିହଙ୍ଗାବଲୋକନ : ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷାକୁ ପ୍ରାଧାନ୍ୟ
ନୂଆଦିଲ୍ଲୀ : ଗତ ବୁଧବାର କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ଜାତୀୟ ଶିକ୍ଷାନୀତି-୨୦୨୦ରେ ବିଭକ୍ତୀକରଣର ଛାପ ସ୍ପଷ୍ଟ ହୋଇଛି। ଏଥିରେ ଭାଷାକୁ ଗୁରୁତ୍ବ ଦିଆଯାଇ ପଞ୍ଚମ ଶ୍ରେଣୀ ଯାଏ ଶିକ୍ଷଣ ମାଧ୍ୟମ ମାତୃଭାଷା ରଖାଯାଇଛି। ସେହିପରି ଶିକ୍ଷା ସୋପାନକୁ ୫+ ୩ + ୩ + ୪ରେ ବିଭକ୍ତ କରାଯାଇ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏହାକୁ କେନ୍ଦ୍ର କରି ପରସ୍ପର ବିରୋଧୀ ରାଜନେତାମାନେ ବିତର୍କ ଜାରି ରଖିଥିବା ବେଳେ ଏ ପ୍ରକାର ପରିବର୍ତ୍ତନ ସମ୍ପର୍କରେ ଶିକ୍ଷାବିତ୍ଙ୍କ ଆଭିମୁଖ୍ୟ ହିଁ ନିରପେକ୍ଷ ହୋଇପାରିବ। ନୂଆଦିଲ୍ଲୀର ପୁସା ରୋଡ୍ସ୍ଥିତ ସ୍ପ୍ରିଙ୍ଗଡେଲ୍ସର ଅଧ୍ୟକ୍ଷା ଅମିତା ଏମ୍ ଵାଟଲଙ୍କ ମତରେ, ଏକବିଂଶ ଶତାବ୍ଦୀର ଜ୍ଞାନକୌଶଳ ଆହରଣ କରିବା ଲାଗି ଏହା ଏକ ଅପୂର୍ବ ସୁଯୋଗ। ସବୁଠୁ ବଡ଼ କଥା ହେଉଛି ଧନ୍ଦାମୂଳକ ଶିକ୍ଷାର ପ୍ରୋତ୍ସାହନ। ଦେଶ ଆଉ ଅଧିକ ବେକାର ସ୍ନାତକ ଡିଗ୍ରିଧାରୀଙ୍କୁ ଧାରଣ କରିବାକୁ ଚାହେନାହିଁ। ଆଗରୁ ଥିବା ଶିକ୍ଷାନୀତିର ସମସ୍ୟା ହେଲା, ସେଥିରେ ପେସାଦାର ବୃତ୍ତି କହିଲେ କେବଳ ଆଇନ, ହୋଟେଲ୍ ପରିଚାଳନା, ଡାକ୍ତରୀ କି ଇଞ୍ଜିନିଅରିଂ କି ଚାଟାର୍ଡ ଆକାଉଣ୍ଟାସିକୁ ବୁଝାଉଥିଲା। ମାତ୍ର ସମସ୍ତେ ତାହା କରିପାରୁନଥିଲେ। ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ବପୂର୍ଣ୍ଣ ବୋଲି ଭାବିବା ବଡ଼ କଥା ନୁହେଁ, ତେବେ ଷଷ୍ଠ ଶ୍ରେଣୀରୁ ହିଁ ଏହାକୁ ଅଣାଯିବା ଦ୍ବାରା ଛାତ୍ରଛାତ୍ରୀମାନେ ଶ୍ରମକୁ ଠିକ୍ରେ ବୁଝିପାରିବେ। ପଞ୍ଚମ ଶ୍ରେଣୀ ଯାଏ ଶିକ୍ଷଣ ମାଧ୍ୟମକୁ ମାତୃଭାଷା ରଖାଯିବା ସମ୍ପର୍କରେ ସେ କହିଛନ୍ତି ଯେ ମେଟ୍ରୋ ସହରମାନଙ୍କରେ ୪୫ ଜଣ ପିଲା ବସୁଥିବା ଶ୍ରେଣୀରେ ବଙ୍ଗାଳୀ, ଗୁଜରାଟୀ, ତାମିଲ ଓ ତେଲେଙ୍ଗା ଆଦି ପିଲା ରହିଥିବେ। ତେବେ ସେଠି କେବଳ ମାତୃଭାଷା କିପରି ଗୃହୀତ ହେବ।
ଅପରପକ୍ଷେ, କେନ୍ଦ୍ର ଓ ରାଜ୍ୟ ଯୁଗ୍ଣତାଲିକାରେ ଶିକ୍ଷା ରହିଥିବାରୁ ରାଜ୍ୟମାନେ ନିଜ ସୁବିଧା ଅନୁସାରେ ଏ ନେଇ ନିଷ୍ପତ୍ତି ନେଇପାରିବେ ବୋଲି ସେ କହିଛନ୍ତି। ସେହିପରି ଶିକ୍ଷା ସୋପାନର ୫+ ୩ + ୩ + ୪ ବିଭକ୍ତୀକରଣ ସମ୍ପର୍କରେ ସେ କହିଛନ୍ତି ଯେ ଶେଷ ୪ ହେଉଛି ନବମରୁ ଦ୍ବାଦଶ ଶ୍ରେଣୀ, ଯାହା କି ଅଦ୍ୟାବଧି ରହିଛି। ତାହା ପୂର୍ବର ୩ ହେଉଛି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଏବଂ ତାହାର ପୂର୍ବ ୩ ହେଉଛି ତୃତୀୟରୁ ପଞ୍ଚମ। ତେବେ ଏ ସବୁ ରହିଛି ଓ ରହିଥିବ। ତେବେ ଫରକ ରହିଛି ପ୍ରଥମ ୫ରେ ଯାହା କି ପ୍ରିସ୍କୁଲ, ନର୍ସରି, ପ୍ରିପାରୋଟରି, ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଭାବେ ପରିଚିତ। ଏଥିରେ ଏବେ ସରକାରୀ ଓ ବେସରକାରୀ ବିଦ୍ୟାଳୟମାନଙ୍କରେ ବୟସରେ ଘୋର ତାରତମ୍ୟ ରହିଛି। ସରକାରୀ ସ୍କୁଲ୍ ପାଇଁ ପିଲାଟିଏ ୬ ବର୍ଷ ପରେ ହିଁ ପ୍ରଥମ ଶ୍ରେଣୀ ଯାଉଥିବା ବେଳେ ଘରୋଇ ବିଦ୍ୟାଳୟରେ ୩ ବର୍ଷ+ରୁ ପ୍ରଥମ ଶ୍ରେଣୀ। ଏଣିକି ସମସ୍ତଙ୍କୁ ୬+ବର୍ଷରୁ ଶିକ୍ଷାଦାନ ଆରମ୍ଭ କରିବାକୁ ହେବ। ଏଥିରେ କିଛି ଅସୁବିଧା ନାହିଁ। କାରଣ କାନାଡ଼ା କି ଫିନ୍ଲାଣ୍ଡର ଶିକ୍ଷାବ୍ୟବସ୍ଥାରେ ଜଣକୁ ୬ କି ୭ ବର୍ଷ ହେଲେ ହିଁ ଔପଚାରିକ ଶିକ୍ଷାଗ୍ରହଣ କରିପାରିବ। ତାହା ପୂର୍ବରୁ ପିଲାମାନେ ଖେଳ କସରତ, ପରୀକ୍ଷାମୂଳକ ଶିକ୍ଷା, ସାମାଜିକ କି ଭାବପ୍ରବଣ ଶିକ୍ଷା ଆଦି ଆହରଣ କରିବାକୁ ହେବ। ଏହାଦ୍ବାରା ଶୈଶବ ସୁଖମୟ ହେବା ସହ ପିଲାଙ୍କ ଉପରେ ଅତର୍କିତ ମାନସିକ ଚାପ ପଡ଼ିବା ହ୍ରାସ ହେବ।