ନୂଆ ନୌସେନା ମୁଖ୍ୟ ହେଲେ ଆଡ୍‌ମିରାଲ୍‌ କରମବୀର ସିଂ  

ନୂଆଦିଲ୍ଲୀ: ନୌସେନାର ନୂଆ ପ୍ରମୁଖ ଭାଇସ ଆଡ୍‌ମିରାଲ୍‌ କରମବୀର ସିଂ ପଦ ଭାର ସମ୍ଭାଳିଛନ୍ତି | ଆଡ୍‌ମିରାଲ୍‌ କରମବୀର ସିଂ ଆଡ୍‌ମିରାଲ୍‌ ସୁନୀଲ ଲାମ୍ବାଙ୍କଠାରୁ ଦାୟିତ୍ୱ ନେଇଛନ୍ତି | ଆଡ୍‌ମିରାଲ୍‌ କରମବୀର ସିଂ କହିଛନ୍ତି ଯେ ମୋର ପୂର୍ବ ଅଧିକାରୀମାନେ ସୁନିଶ୍ଚିତ କରିଛନ୍ତି ଯେ ନୌସେନା ଏବେ ଶିଖରରେ ପହଂଚିଛି | ମୋର ଚେଷ୍ଟା ରହିବ କିଭଳି ସେହି ଚେଷ୍ଟାକୁ ଜାରି ରଖିବି | ରାଷ୍ଟ୍ରକୁ ଏଭଳି ନୌସେନା ପ୍ରଦାନ କରିବି ଯାହାକି ମଜଭୁତ,ବିଶ୍ୱସନୀୟ ଓ ସମୁଦ୍ର କ୍ଷେତ୍ରର ସୁରକ୍ଷା କରିବାକୁ ପ୍ରସ୍ତୁତ ରହିଥିବ |

ତେବେ ଆଡ୍‌ମିରାଲ୍‌ କରମବୀର ସିଂଙ୍କ  ନିଯୁକ୍ତିକୁ ନେଇ ଆପତ୍ତି ଉଠିଥିଲା | ଆଣ୍ଡାମାନ ନିକୋବରର କମାଣ୍ଡ ମୁଖ୍ୟ ଭାଇସ ଆଡ୍‌ମିରାଲ୍‌ ବିମଲ ବର୍ମା ନିଯୁକ୍ତିକୁ ନେଇ ଆପତ୍ତି ଉଠାଇଥିଲେ | ଶନିବାର ପ୍ରତିରକ୍ଷା ମନ୍ତ୍ରାଳୟ ବିମଲ ଵର୍ମାଙ୍କ ଯାଚିକାକୁ ଖାରଜ କରିଦେଇଥିଲା |

ବିମଲ ଵର୍ମାଙ୍କ କହିବା କଥା ଥିଲା ଯେ ସେ ଆଡ୍‌ମିରାଲ୍‌ କରମବୀର ସିଂଙ୍କ ଠାରୁ ୬ ମାସ ବରିଷ୍ଠ | ତେଣୁ ତାଙ୍କୁ ନୌସେନା ପ୍ରମୁଖ ଭାବେ ନିଯୁକ୍ତି ଦିଆଯାଉ | ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ କେବଳ ବରିଷ୍ଠତା ଭିତ୍ତିରେ ନୌସେନା ମୁଖ୍ୟ କରାଯାଇପାରିବ ନାହିଁ | ଅନ୍ୟ କିଛି ମାପଦଣ୍ଡ ମଧ୍ୟ ଗୁରୁତ୍ୱ ରଖୁଥିବାର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା |

ସମ୍ବନ୍ଧିତ ଖବର