ଆଡମିରାଲ ଆର. ହରି କୁମାର ନୂଆ ନୌସେନା ମୁଖ୍ୟ

ନୂଆଦିଲ୍ଲୀ : ଆଡମିରାଲ ଆର. ହରି କୁମାର ମଙ୍ଗଳବାର ଦିନ ଭାରତୀୟ ନୌସେନାର ନୂତନ ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ଆଜି ସେବାରୁ ଅବସର ନେଇଥିବା ଆଡମିରାଲ କରମବୀର ସିଂଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ଓ୍ବେଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ଫ୍ଲାଗ ଅଫିସର, କମାଣ୍ଡିଙ୍ଗ ଇନ ଚିଫ ଭାବେ କାର୍ୟ୍ୟ କରୁଥିଲେ ।

ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କୁ ସାଉଥ ବ୍ଲକ ଲନରେ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହା ପରେ ବିଦାୟୀ ନୌସେନା ମୁଖ୍ୟ ଓ ନୂଆ ନୌସେନା ମୁଖ୍ୟ ଜାତୀୟ ଯୁଦ୍ଧ ସ୍ମାରକୀ ଯାଇ ଅମର ଯବାନ ଜ୍ୟୋତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଦାୟିତ୍ବ ନେବା ପରେ ଆଡମିରାଲ ହରି କୁମାର କହିଛନ୍ତି, “ଭାରତୀୟ ନୌ ସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିବା ମୋ ପାଇଁ ଗର୍ବର ବିଷୟ । ଭାରତୀୟ ଜାତୀୟ ସ୍ବାର୍ଥର ସୁରକ୍ଷା ଓ ସାମୁଦ୍ରିକ ଆହ୍ବାନର ମୁକାବିଲା କରିବା ଆମର ମୁଖ୍ୟ ଲକ୍ଷ୍ୟ ରହିବ ।

୧୨ ଏପ୍ରିଲ ୧୯୬୨ ରେ ଜନ୍ମଗ୍ରହଣ କରିଥିବା ଆଡମିରାଲ ହରି କୁମାର ଜାନୁଆରି ୧, ୧୯୮୩ରେ ଭାରତୀୟ ନୌସେନାର ଯୋଗ ଦେଇଥିଲେ । ନିଜର ୩୯ ବର୍ଷର କାର୍ୟ୍ୟକାଳରେ ସେ ନୌସେନାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବୀରେ କାମ କରିଛନ୍ତି ।

ସମ୍ବନ୍ଧିତ ଖବର