ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଅଧିକାରୀ ବି.ଭି.ଆର୍ ସୁବ୍ରମଣ୍ୟମଙ୍କୁ ସୋମବାର ନିତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରାଯାଇଛି। ବିଶ୍ୱ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ମନୋନୀତ ହୋଇଥିବା ନୀତି ଆୟୋଗ ବର୍ତ୍ତମାନର ସିଇଓ ପରମେଶ୍ୱରନ ଆୟରଙ୍କ ସ୍ଥାନରେ ସୁବ୍ରମଣ୍ୟମଙ୍କୁ ଦାୟିତ୍ୱ ଦିଆଯାଇଛି ।
କାର୍ମିକ ମନ୍ତ୍ରଣାଳୟର ଏକ ଆଦେଶରେ କୁହାଯାଇଛି ଯେ କ୍ୟାବିନେଟର ନିଯୁକ୍ତି କମିଟି ସୁବ୍ରମଣ୍ୟମଙ୍କ ନିଯୁକ୍ତିକୁ ପଦ ଗ୍ରହଣ ତାରିଖଠାରୁ ଦୁଇ ବର୍ଷ ପାଇଁ ଅନୁମୋଦନ କରିଛି।
ବି.ଭି.ଆର୍.ସୁବ୍ରମଣ୍ୟମ୍ ହେଉଛନ୍ତି ୧୯୮୭ ବ୍ୟାଚର ଜମ୍ମୁ ଓ କଶ୍ମୀର କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ, ଯିଏ କି ଜମ୍ମୁ ଓ କଶ୍ମୀର ଏବଂ କେନ୍ଦ୍ର ସରକାରଙ୍କ ସଚିବ ଭାବରେ କାର୍ଯ୍ୟ କରିଥିଲେ ଓ ତାଙ୍କର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ରହିଛି । ସେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଥିଲେ। ସେ ଉଭୟ ମନମୋହନ ସିଂହ ଏବଂ ନରେନ୍ଦ୍ର ମୋଦୀଙ୍କ ଅଧୀନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ କାର୍ଯ୍ୟ କରିଛନ୍ତି। ଛତିଶଗଡ଼ରେ ବିଦ୍ରୋହକୁ ରୋକିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବିଭିଆର୍ ସୁବ୍ରମଣ୍ୟମ୍ ହେଉଛନ୍ତି ଆନ୍ଧ୍ରପ୍ରଦେଶର ବାସିନ୍ଦା ।