ନୂଆଦିଲ୍ଲୀ: ଆନ୍ତଃସେବା ସଂଗଠନ (ଆଇଏସ୍ଓ)ର ପ୍ରଭାବଶାଳୀ କମାଣ୍ଡ, ନିୟନ୍ତ୍ରଣ ଓ ଦକ୍ଷ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ତିନି ସେନା- ସ୍ଥଳସେନା, ନୌସେନା ଓ ବାୟୁସେନାରେ ୟୁନିଫାଇଡ୍ (ଏକୀକୃତ) କମାଣ୍ଡ ପାଇଁ ନୂତନ ବିଜ୍ଞପ୍ତି ଜାରି କରିଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ମେ ୨୭ରୁ ଏହି ନିୟମ ଲାଗୁ ହୋଇଥିବା ବିଜ୍ଞପ୍ତି ପ୍ରକାଶ ପାଇଛି। ଆନ୍ତଃସେବା ସଂଗଠନ (କମାଣ୍ଡ, ନିୟନ୍ତ୍ରଣ ଓ ଶୃଙ୍ଖଳା) ଆଇନ ୨୦୨୩ ଅଧୀନରେ ଏହି ନିୟମ ବିଜ୍ଞପ୍ତି ପ୍ରକାଶ ପାଇଛି ଯାହା ସଶସ୍ତ୍ର ବାହିନୀରେ ଅଧିକ ସହଯୋଗ ଓ କମାଣ୍ଡ ଦକ୍ଷତା ବୃଦ୍ଧି କରିବ।
ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଆନ୍ତଃସେବା ସଂଗଠନ (ଆଇଏସ୍‌ଓ)ର ପ୍ରଭାବଶାଳୀ କମାଣ୍ଡ, ନିୟନ୍ତ୍ରଣ ଓ ଦକ୍ଷ କାର୍ଯ୍ୟକଳାପକୁ ସୁଦୃଢ଼ କରିବା, ଯାହାଦ୍ୱାରା ସଶସ୍ତ୍ର ବାହିନୀ ମଧ୍ୟରେ ଏକ ହେବାର ଭାବ ସୁଦୃଢ଼ ହେବ।

Advertisment

ନୂତନ ବିଜ୍ଞପ୍ତି ଜାରି
ନିୟନ୍ତ୍ରଣ ଓ ଶୃଙ୍ଖଳା ଅଧିକ ସମନ୍ବିତ ହେବ

୨୦୨୩ ମୌସୁମୀ ଅଧିବେଶନରେ ସଂସଦର ଉଭୟ ଗୃହରେ ଏହି ବିଲ୍ ପାରିତ ହୋଇଥିଲା। ୨୦୨୩ ଅଗଷ୍ଟ ୧୫ ତାରିଖରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିଲା ଏବଂ ୨୦୨୪ ମେ ୮ ତାରିଖର ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ଏହି ଆଇନ ୨୦୨୪ ମେ ୧୦ ତାରିଖରୁ କାର୍ଯ୍ୟକାରୀ ହୋଇଥିଲା। ଏହି ଆଇନ ଆନ୍ତଃସେବା ସଂଗଠନ (ଆଇଏସ୍ଓ)ର କମାଣ୍ଡର-ଇନ୍-ଚିଫ୍ ଓ ବରିଷ୍ଠ ଅଧିକାରୀମାନଙ୍କୁ ସେମାନଙ୍କ ଅଧୀନରେ ଥିବା କର୍ମଚାରୀଙ୍କ ନେତୃତ୍ୱ ନେବା ଓ ପରିଚାଳନା କରିବାର ଅଧିକାର ଦେଇଛି। ଏହା ସଶସ୍ତ୍ର ବାହିନୀର ପ୍ରତ୍ୟେକ ଶାଖାରେ ଲାଗୁ ହେଉଥିବା ନିର୍ଦ୍ଦିଷ୍ଟ ନିୟମ ଓ ସର୍ତ୍ତାବଳୀକୁ ପରିବର୍ତ୍ତନ ନ କରି ଶୃଙ୍ଖଳା ଓ ସ୍ବଚ୍ଛନ୍ଦ ପ୍ରଶାସନ ବଜାୟ ରଖିବାରେ ସାହାଯ୍ୟ କରେ। ଏହି ଆଇନର ଧାରା ୧୧ ଅନୁଯାୟୀ ଏହାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିବା ପାଇଁ ନୂତନ ନିୟମ ଘୋଷଣା କରାଯାଇଛି। ଏବେ ଏହି ନିୟମ ଲାଗୁ ହେବା ପରେ ଏହି ଆଇନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇଛି। ଏହା ଆଇଏସ୍ଓଗୁଡ଼ିକ ମଧ୍ୟରେ ନେତୃତ୍ୱକୁ ସୁଦୃଢ଼ କରିବ, ଶୃଙ୍ଖଳାଗତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ଏବଂ କାର୍ଯ୍ୟାନୁଷ୍ଠାନ ସଂପର୍କିତ ଦ୍ବନ୍ଦ୍ବକୁ ରୋକିବ।