ଚିକାଗୋ : ୨୦୨୩ରୁ ୨୦୨୫ ମସିହା ପାଇଁ ‘ଦି ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକାଜ୍’ (ଓସା)ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲୀନା ମିଶ୍ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଶାରଦାକାନ୍ତ ପଣ୍ଡା ଉପସଭାପତି, ସାନ୍ତ୍ବନା ଦାଶ ସଚିବ ଓ ଶୁଭ୍ରାଂଶୁ ମିଶ୍ର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଜୁଲାଇ ୭ରୁ ୯ ତାରିଖ ପର୍ଯ୍ୟନ୍ତ ଚିକାଗୋଠାରେ ଅନୁଷ୍ଠିତ ବାର୍ଷିକ ସମ୍ମିଳନୀ ଅବସରରେ ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶପଥ ଗ୍ରହଣ କରିଥିଲେ।
ଏହି ବାର୍ଷିକ ସମ୍ମିଳନୀରେ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ସାମାଜିକ ମୂଲ୍ୟବୋଧ ଉପରେ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଆମେରିକାରେ ରହୁଥିବା ଓଡ଼ିଆମାନଙ୍କ ଦ୍ବାରା ନୃତ୍ୟ,ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଏକ କ୍ଷୁଦ୍ର ତଥା ଅବିକଳ ଓଡ଼ିଶାର ପରିବେଶ ସୃଷ୍ଟି କରିଥିଲା। ଏହି ସମ୍ମିଳନୀରେ ଓଡ଼ିଆ ପିଠା ପ୍ରସ୍ତୁତିଠାରୁ ଆରମ୍ଭ କରି ଝୋଟି ଓ ଅନ୍ୟାନ୍ୟ ପାରମ୍ପରିକ କଳା ଓ ଶୈଳୀ କ୍ଷେତ୍ରରେ ପାରଦର୍ଶିତା ଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
୧୯୬୯ ମସିହାରେ ପ୍ରତିଷ୍ଠିତ ‘‘ଦି ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକାଜ୍’ ପ୍ରବାସୀ ଓଡ଼ିଆମାନଙ୍କର ସର୍ବପୁରାତନ ବୃହତ ସଙ୍ଗଠନ। ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଏକତା ଓ ଭାତୃଭାବ ସୃଷ୍ଟି ସହ ଓଡ଼ିଆ ଅସ୍ମିତାକୁ ବିଶ୍ବସ୍ତରରେ ଉପସ୍ଥାପନ କରିବା ଦିଗରେ ଏହି ସଙ୍ଗଠନ ନିରବିଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି।