ବଜାଅ ଲାଉଡ଼ସ୍ପିକର, ମସଜିଦ ବାହାରକୁ ଆସିବନାହିଁ ଶବ୍ଦ!

ଲଖନଉ: ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ଘଟଣା ପରେ ଉତ୍ତରପ୍ରଦେଶର ଯୋଗୀ ସରକାର ସତର୍କ ହୋଇଯାଇଛନ୍ତି | ବିନା ଅନୁମତିରେ କୌଣସି ଶୋଭାଯାତ୍ରା ଏବଂ ଧାର୍ମିକ ଯାତ୍ରା ହୋଇପାରିବ ନାହିଁ ବୋଲି ଯୋଗୀ ନିର୍ଦ୍ଦେଶ ଦେବା ସହ ଏବେ ଲାଉଡ଼ସ୍ପିକର ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରିଛନ୍ତି | ଯୋଗୀ କହିଛନ୍ତି ଯେ ଜଣଙ୍କର ଧାର୍ମିକ ଚିନ୍ତାଧାରା ଅନୁଯାୟୀ ଉପାସନା ପଦ୍ଧତି ଅନୁସରଣ କରିବାର ସ୍ୱାଧୀନତା ରହିଛି। ଲାଉଡ଼ସ୍ପିକର ବ୍ୟବହାର କରାଯାଇପାରିବ, କିନ୍ତୁ ଏହା ନିଶ୍ଚିତ ହେବା ଉଚିତ ଯେ ଏହାର ଶବ୍ଦ ଯେଭଳି ଧାର୍ମିକ ପରିସରରୁ ବାହାରକୁ ଆସିବ ନାହିଁ |

ଲାଉଡ଼ସ୍ପିକରର ଶବ୍ଦ ଯେଭଳି ଅନ୍ୟ ଲୋକଙ୍କ ପାଇଁ କୌଣସି ଅସୁବିଧା ସୃଷ୍ଟି କରିବ ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ ଯୋଗୀ କହିଛନ୍ତି | କେବଳ ଏତିକି ନୁହେଁ, ନୂତନ ସ୍ଥାନରେ ଲାଉଡ଼ସ୍ପିକର ସ୍ଥାପନକୁ ଅନୁମତି ନଦେବା ପାଇଁ ଯୋଗୀଙ୍କ ନିର୍ଦ୍ଦେଶରେ କୁହାଯାଇଛି। ସେହିପରି ଆଗାମୀ ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ପର୍ବ ଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଯୋଗୀଙ୍କ ନିର୍ଦ୍ଦେଶ ମୁତାବକ ବର୍ତ୍ତମାନ ରମଜାନ ମାସ ଚାଲିଛି |

ଇଦ୍ ପର୍ବ ଏବଂ ଅକ୍ଷୟ ତୃତୀୟା ମଧ୍ୟ ଗୋଟିଏ ଦିନରେ ହେବାର ଅଛି | ଏଭଳି ପରିସ୍ଥିତିରେ ସାମ୍ପ୍ରତିକ ପରିବେଶକୁ ଦୃଷ୍ଟିରେ ରଖି ପୁଲିସକୁ ଅତିରିକ୍ତ ସମ୍ବେଦନଶୀଳ ହେବାକୁ ପଡ଼ିବ। ସେହିପରି ଯୋଗୀ କହିଛନ୍ତି ଯେ ସମସ୍ତ ସରକାରୀ କର୍ମଚାରୀ ନିଜ ନିଜ ଅଞ୍ଚଳରେ ରୁହନ୍ତୁ | ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ପୁଲିସ କର୍ମୀ ନିୟୋଜନ ସହ ପେଟ୍ରୋଲିଙ୍ଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଉ | ସେହିପରି ମେ ୪ ତାରିଖ ପର୍ଯ୍ୟନ୍ତ ସମସ୍ତ ପୁଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ସମ୍ବନ୍ଧିତ ଖବର