୨୯% ବୃଦ୍ଧି ପାଇ ୧,୨୫୦ କୋଟି ଟଙ୍କା ହେଲା ନୂଆ ସଂସଦ ଭବନ ନିର୍ମାଣ ଖର୍ଚ୍ଚ ଅଟକଳ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ସେଣ୍ଟ୍ରାଲ୍‌ ଭିଷ୍ଟା ପ୍ରୋଜେକ୍ଟ୍‌’ର ମୁଖ୍ୟ ଆକର୍ଷଣ ନୂତନ ସଂସଦ ଭବନ ନିର୍ମାଣ ନିମନ୍ତେ ଆହୁରି ୨୮୨ କୋଟି ଟଙ୍କା ଖର୍ଚ୍ଚ ଲାଗିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

୨୦୨୦ ଡିସେମ୍ବରରେ ନୂଆ ସଂସଦ ଭବନ ପାଇଁ ଭୂମିପୂଜନ ସମୟରେ ଏଥିଲାଗି ୯୭୭ କୋଟି ଟଙ୍କା ବ୍ୟୟ ଅଟ୍ଟକଳ ନିର୍ଦ୍ଧାରଣ କରାଯାଇଥିବା ସରକାର ଘୋଷଣା କରିଥିଲେ। କିନ୍ତୁ, ବର୍ଷକ ପରେ ସେ ବାବଦ ବ୍ୟୟ ୨୯% ବୃଦ୍ଧି ପାଇଛି। ଏହି ପ୍ରକଳ୍ପର କାର୍ଯ୍ୟକାରୀ କରୁଥିବା ‘ଟାଟା ପ୍ରୋଜେକ୍ଟ’ ପ୍ରାୟ ୪୦% କାର୍ଯ୍ୟ ଶେଷ କରିସାରିଲାଣି।

Image Courtesy of NDTV

କିନ୍ତୁ, ସଂସଦ ଭବନ ଯେଉଁ ଅନୁସାରେ କରାଯିବାକୁ ନିର୍ଦ୍ଧାରଣ କରାଯାଇଥିଲା, ସେହିଭଳି ନିର୍ମାଣ ହେବ। ରାଷ୍ଟ୍ରପତି ଭବନ ଠାରୁ ‌ଅଳ୍ପଦୂରରେ ୧୩ ଏକରରୁ ଅଧିକ ଜମି ଉପରେ ନୂତନ ସଂସଦ ଭବନର ୪ ତାଲିଆ ଅଟ୍ଟାଳିକା ନିର୍ମାଣ କରାଯାଉଛି। ଚଳିତ ବର୍ଷ ଦେଶର ୭୫ତମ ସ୍ବାଧୀନତା ଦିବସ ପୂର୍ବରୁ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ପ୍ରଥମେ ମନେହେଉଥିଲା। କିନ୍ତୁ, ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଅକ୍ଟୋବର ମାସ ହୋଇଯିବ ବୋଲି ପରେ ସମୟ ନିର୍ଦ୍ଧାରଣ କରାଯାଇଛି।

ସେହିପରି, କୋଭିଡ୍‌ ସଂକ୍ରମଣ ଯୋଗୁଁ ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ ଯେମିତି କଟକଣା ଲାଗୁ କରାଯାଇଛି, ପାର୍ଲାମେଣ୍ଟ୍‌ ନିର୍ମାଣ କ୍ଷେତ୍ରରେ ସେଭଳି କଟକଣା ନାହିଁ।

ସୂଚନାଯୋଗ୍ୟ, ୧୯୨୭ ମସିହାରେ ଉଦ୍‌ଘାଟିତ ଏହି ବ୍ରିଟିସ୍‌ ଅମଳ ଅଟ୍ଟାଳିକା ଏବେ ଜରାଜୀର୍ଣ୍ଣ ହୋଇପଡ଼ିଲାଣି। ଏହାର ବିଭିନ୍ନ ସ୍ଥାନରୁ ପାଣି ଲିକ୍‌ ହେଉଛି। ଏହାଛଡ଼ା, ଏହି ପୁରାତନ ଅଟ୍ଟାଳିକା ଭୂମିକମ୍ପ ସୁରକ୍ଷିତ ନୁହେଁ  କି, ଏଥିରେ ଅଗ୍ନିକାଣ୍ଡ ସତର୍କତା ବ୍ୟବସ୍ଥା ନାହିଁ।

ସମ୍ବନ୍ଧିତ ଖବର