୨୦୨୨ ସୁଦ୍ଧା ନିର୍ମାଣ ହେବ ନୂତନ ସଂସଦ ଭବନ, ପୁରାତନ ସଂସଦ ଭବନ ହେବ ସଂଗ୍ରହାଳୟ

ରାଷ୍ଟ୍ରପତି ଭବନକୁ ଲାଗି ହେବ ପ୍ରଧାନମନ୍ତ୍ରୀଙ୍କ ଆବାସ, ଏମ୍‌ପି କଂପ୍ଲେକ୍ସ, ଖର୍ଚ୍ଚ ହେବ ୧୨ ହଜାର କୋଟି

ନୂଆଦିଲ୍ଲୀ : କେନ୍ଦ୍ରୀୟ ଦିଲ୍ଲୀର ନକ୍ସାରେ ଏକ ବଡ଼ ପରିବର୍ତ୍ତନ ଆଣିବା ପାଇଁ ମୋଦୀ ସରକାର ଯୋଜନା କରୁଛନ୍ତି। ଏହି ଯୋଜନା ଅନୁଯାୟୀ ରାଷ୍ଟ୍ରପତି ଭବନକୁ ଲାଗି ପ୍ରଧାନମନ୍ତ୍ରୀଙ୍କ ନିମନ୍ତେ ଏକ ନୂତନ ଆବାସ ନିର୍ମାଣ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପାଇଁ ଏକ ନୂତନ ଭବନ ନିର୍ମାଣ କରାଯିବ। ସେହିଭଳି ପୁରୁଣା ସଂସଦ ଭବନ ନିକଟରେ ଏକ ନୂଆ ସଂସଦ ଭବନ ନିର୍ମାଣ ହେବ। ନୂତନ ସଂସଦ ଭବନ ନିର୍ମାଣ କାର୍ଯ୍ୟ ଆସନ୍ତା ୨୦୨୨ ମସିହା ମାର୍ଚ୍ଚ ମଧ୍ୟରେ ଶେଷ କରିବାକୁ ମୋଦୀ ସରକାର ଲକ୍ଷ୍ୟ ରଖିଛନ୍ତି।

ବର୍ତ୍ତମାନର ସଂସଦ ଭବନ ଯାହାର ନିର୍ମାଣ କାର୍ଯ୍ୟ ୧୯୨୭ ମସିହାରେ ଶେଷ ହୋଇଥିଲା, ତାହକୁ ଭଙ୍ଗା ନ ଯାଇ ଏକ ସଂଗ୍ରହାଳୟରେ ପରିଣତ କରାଯିବ। ଏହା ନିକଟରେ ସାଂସଦମାନଙ୍କ ପାଇଁ ଏକ ‘ଏମ୍‌ପି କଂପ୍ଲେକ୍ସ’ ନିର୍ମାଣ ହେବ। ଏ ବାବଦରେ ମୋଟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ସେହିଭଳି ଶାସ୍ତ୍ରୀ ଭବନ, ଉଦ୍ୟୋଗ ଭବନ ଏବଂ କୃଷି ଭବନ ବଦଳରେ ଗୋଟିଏ ମାତ୍ର ବିଶାଳ ଅଟ୍ଟାଳିକା ନିର୍ମାଣ ହେବ, ଯେଉଁଥିରେ ୭୦ ହଜାର କେନ୍ଦ୍ର ସରକାରୀ କର୍ମଚାରୀ କାର୍ଯ୍ୟ କରିବେ। ବର୍ତ୍ତମାନ ଏସବୁ ଦପ୍ତର ୩୦ଟି ଭିନ୍ନଭିନ୍ନ କୋଠାରେ କାର୍ଯ୍ୟ କରୁଛି।

ଦେଶ ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ପାଳନ ଅବସରରେ ଦିଲ୍ଲୀର ରୂପରେଖରେ ଅନେକ କିଛି ପରିବର୍ତ୍ତନ ଆଣିବାକୁ ମୋଦୀ ସରକାର ‌ଯୋଜନା କରୁଛନ୍ତି। କେନ୍ଦ୍ର ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରାଳୟକୁ ଏହି ଦାୟିତ୍ବ ଦିଆଯାଇଛି। ଦେଶର ଖ୍ୟାତନାମା ସ୍ଥପତିମାନଙ୍କୁ ଏହାର ଡିଜାଇନ୍‌ ପ୍ରସ୍ତୁତ କରିବାକୁ ‘ସେଣ୍ଟ୍ରାଲ୍‌ ପବ୍ଲିକ ୱାର୍କ‌୍ସ ଡିପାର୍ଟମେଣ୍ଟ (ସିପିଡବ୍ଲ୍ୟୁଡି) ଦାୟିତ୍ବ ପ୍ରଦାନ କରିଛି। କେତେକ ସ୍ଥପତି ମଧ୍ୟ ସେମାନଙ୍କର ନକ୍ସାକୁ ନଗର ଉନ୍ନୟନ ମନ୍ତ୍ରାଳୟରେ ଦାଖଲ କରି ସାରିଛନ୍ତି।

ସମ୍ବନ୍ଧିତ ଖବର