ନୂଆ ସଂସଦ ଭବନ ନେଇ ପିଆଇଏଲ୍‌ ଖାରଜ: ରବିବାର ଉଦ୍‌ଘାଟନ

ନୂଆ ସଂସଦ ଭବନର ଭିଡିଓ ସେୟାର କଲେ ମୋଦୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ସଂସଦ ଭବନ ଉଦ୍‌ଘାଟନ କରିବାକୁ ଦାବି କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ପିଆଇଏଲ୍‌ ଆଜି ଖାରଜ ହୋଇଯାଇଛି। ଜଷ୍ଟିସ ଜେକେ ମାହେଶ୍ବରୀ ଏବଂ ପିଏସ୍‌ ନରସିଂହଙ୍କ ଖଣ୍ଡପୀଠ ଆଜି ଆବେଦନକାରୀ ଓକିଲ ଜୟା ସୁକିନଙ୍କୁ କହିଛନ୍ତି, ଏହି ପିଟିସନ କାହିଁକି ଏବଂ କେମିତି ଦାଖଲ ହୋଇଛି ତାହା ଆମେ ବୁଝି ପାରୁଛୁ। ସମ୍ବିଧାନର ଧାରା ୩୨ ଅଧୀନରେ କୋର୍ଟ ଏହି ଆବେଦନର ଶୁଣାଣି କରିବେନି ବୋଲି ମନା କରିବା ସହ ଆବେଦାନକାରୀଙ୍କ କି ସ୍ବାର୍ଥ ରହିଛି ବୋଲି ପ୍ରଶ୍ନ କରିଥିଲେ। ଏହାପରେ ଆବେଦନକାରୀ କହିଥିଲେ ଯେ ଯଦି କୋର୍ଟ ଉକ୍ତ ଆବେଦନର ଶୁଣାଣି କରିବାକୁ ଚାହୁନାହାନ୍ତି ତେବେ ତାଙ୍କୁ ଏହି ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦିଆଯାଉ। ଏହାକୁ ନେଇ ଖଣ୍ଡପୀଠ କହିଥିଲେ, ଆପଣଙ୍କ ଉପରେ ଆମେ ଜୋରିମାନା ଲଗାଉନାହୁଁ ଏବଂ ଏଭଳି ଆବେଦନକୁ ଖାରଜ କରୁଛୁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା ପିଆଇଏଲ୍‌କୁ ଖାରଜ କରିବା ପାଇଁ ଯେଉଁ ସବୁ ଯୁକ୍ତି ରଖିଥିଲେ ତାହାକୁ ଖଣ୍ଡପୀଠ ଗ୍ରହଣ କରିଥିଲେ।

ନୂଆଦିଲ୍ଲୀ : ରବିବାର ନୂଆ ସଂସଦ ଭବନ ଉଦ୍‌ଘାଟନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନ ଉଦ୍‌ଘାଟନ କରିବେ। ଉଦ୍‌ଘାଟନ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବଡ଼ି ଭୋର ସମୟରୁ ଯଜ୍ଞ ହେବ । ସକାଳ ୯ଟା ପର୍ଯ୍ୟନ୍ତ ପୂଜାକାର୍ଯ୍ୟ ଚାଲିବ ଏବଂ ତା’ପରେ ପ୍ରାର୍ଥନା ହେବ। ଅପରାହ୍ନ ବେଳକୁ ଉଦ୍‌ଘାଟନ ଉତ୍ସବ ଅଛି। ସକାଳ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ଉପାଧ୍ୟକ୍ଷ ହରିବଂଶ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିବେ। ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପୂଜାକାର୍ଯ୍ୟ ହେବ। ପୂଜାକାର୍ଯ୍ୟ ପାଇଁ ଦେଶବ୍ୟାପୀ ବିଭିନ୍ନ ସ୍ଥାନରୁ ସ୍ବତନ୍ତ୍ର ପୂରୋହିତ ମାନେ ଆସିବେ। ପୂଜା ପରେ ନୂଆ ସଂସଦ ଭବନରେ ବାଚସ୍ପତିଙ୍କ ଚେୟାର ନିକଟରେ ସେଙ୍ଗୋଲ ସ୍ଥାପନ କରାଯିବ। ଏହି ସମୟରେ ଏକ ପ୍ରାର୍ଥନା ସଭା ହେବ। ଏଥିରେ ଶଙ୍କରାଚାର୍ଯ୍ୟ, ପଣ୍ଡିତ ଏବଂ ସନ୍ଥମାନେ ଉପସ୍ଥିତ ରହିବେ। ପୂର୍ବାହ୍ନ ୧୧.୩୦ ସମୟରେ ସଂସଦର ସମସ୍ତ ସଦସ୍ୟଙ୍କ ସହ ନିମନ୍ତ୍ରିତ ଅତିଥି, ଲୋକସଭା ବାଚସ୍ପତି, ରାଜ୍ୟସଭା ଅଧ୍ୟକ୍ଷ ଏବଂ ଅନ୍ୟ ଅତିଥିମାନେ ନୂଆ ସଂସଦର ଲୋକସଭା ଚ୍ୟାମ୍ବରରେ ବସିବେ। ମୁଖ୍ୟ କାର୍ଯ୍ୟକ୍ରମ ଅପରାହ୍ନ ୧.୩୦ରେ ଆରମ୍ଭ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା, ମନମୋହନ ସିଂହ, ପୂର୍ବତନ ଲୋକସଭା ବାଚସ୍ପତି ଶିବରାଜ ପାଟିଲ, କଂଗ୍ରେସ ସଭାପତି ତଥା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମକୁ ଆମନ୍ତ୍ରିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୧ଟି ବିରୋଧୀ ଦଳ ସଂସଦ ଭବନ ଉଦ୍‌ଘାଟନକୁ ବର୍ଜନ କରିବେ ଏବଂ ଏନ୍‌ଡିଏର ୧୮ଟି ଦଳ ସମେତ ୨୫ଟି ଦଳ କାର୍ଯ୍ୟକ୍ରମରେ ସାମିଲ ହେବେ।

ନୂଆ ସଂସଦ ଭବନର ଭିଡିଓ ସେୟାର କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ସଂସଦ ଭବନର ଏକ ଭିଡିଓ ସେୟାର କରିଛନ୍ତି। ଟ୍ବିଟରରେ ଭିଡିଓ ପୋଷ୍ଟ୍‌ କରି ମୋଦୀ ଅନୁରୋଧ କରିଛନ୍ତି ଯେ ନାଗରିକମାନେ ‘ମାଇଁ ପାର୍ଲାମେଣ୍ଟ ମାଇଁ ପ୍ରାଇଡ୍‌’ ହାସଟାଗ ବ୍ୟବହାର କରି ନିଜ ଭଏସ୍‌ ଓଭର ସହ ଏହି ଭିଡିଓ ସେୟାର କରନ୍ତୁ। ମୋଦୀ କହିଛନ୍ତି, ନୂଆ ସଂସଦ ଭବନ ପ୍ରତି ଭାରତୀୟଙ୍କୁ ଗର୍ବିତ କରିବ। ଏହି ଭିଡିଓରେ ନୂଆ ସଂସଦ ଭବନର ଏକ ଝଲକ୍‌ ଅଛି। ମୋର ଏକ ସ୍ବତନ୍ତ୍ର ଅନୁରୋଧ। ଏହି ଭିଡିଓକୁ ନିଜ ଭଏସ୍‌ ଓଭର ସହ ସେୟାର କରନ୍ତୁ ଯେଉଁଥିରେ ଆପଣଙ୍କ ବିଚାରଧାରା ପ୍ରତିଫଳିତ ‌ହୋଇଥିବ। ମୁଁ ଏଥିରୁ କିଛି ଟ୍ବିଟ୍‌କୁ ରିଟ୍ବିଟ୍‌ କରିବି। ତେବେ ‘ମାଇଁ ପାର୍ଲାମେଣ୍ଟ ମାଇଁ ପ୍ରାଇଡ୍‌’ ହାସଟାଗ କରିବାପାଇଁ ଆଦୌ ଭୁଲନ୍ତୁନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର