ଆସିଲା ଫାଷ୍ଟଲୁକ : ଭିତରୁ ଏମିତି ଦେଖାଯାଏ ନୂଆ ସଂସଦ, ଭିଡିଓ ଦେଖିଲେ ବାରମ୍ବାର ଦେଖିବାକୁ ଇଚ୍ଛା ହେବ

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନର ଉଦଘାଟନ କରିବେ | ତେବେ ଆଜି ନୂତନ ସଂସଦର ଭିତର ପାର୍ଶ୍ଵର ଭିଡିଓ ସାମ୍ନାକୁ ଆସିଛି | ସଂସଦର ଉଭୟ ବାହାର ଓ ଭିତର ଦୃଶ୍ୟ ମଧ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି | ଭିଡିଓରେ ଅଶୋକ ସ୍ତମ୍ଭଠାରୁ ଆରମ୍ଭ କରି ସାଂସଦମାନଙ୍କ ବସିବା କୋଠରୀ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଭିଡିଓ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ ସହ ଲେଖିଛନ୍ତି ଯେ ନୂତନ ସଂସଦ ଭବନ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରାଇବ। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଏହି ଭିଡିଓକୁ ସେୟାର କରନ୍ତୁ | #MyParliamentMyPride ହାସ ଟ୍ୟାଗ ଦେଇ ଟ୍ୱିଟ କରିବାକୁ ସେ ଅପିଲ କରିଛନ୍ତି | ଉଲ୍ଲେଖ ଥାଉ କି ୨୦୨୦ ଡିସେମ୍ବର ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ।

ଜାନୁଆରି ୨୦୨୧ରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଅହମଦାବାଦର ଏଚ୍‌ସିପି ଏହାର ଡିଜାଇନ କରିଥିବା ବେଳେ ଆର୍କିଟେକ୍ଟ ବିମଳ ପଟେଲ ଏହାର ପ୍ଲାନିଂ ଓ ମ୍ୟାନେଜମେଣ୍ଟ କରିଥିଲେ। ଟାଟା ପ୍ରୋଜେକ୍ଟସ ଲିମିଟେଡ୍ ଦ୍ବାରା ବର୍ତ୍ତମାନର ସଂସଦ ଭବନ ପାର୍ଶ୍ବରେ ଏହାର ନିର୍ମାଣ କରାଯାଇଛି। ପୁରାତନ ସଂସଦ ଭବନରେ ଲୋକସଭାରେ ୫୪୩ ଓ ରାଜ୍ୟସଭାରେ ୨୫୦ ଲୋକ ବସିବାର କ୍ଷମତା ଥିବା ବେଳେ ନୂତନ ଭବନରେ ଯଥାକ୍ରମେ ୮୮୮ ଓ ୩୦୦ ସାଂସଦ ବସିବାର କ୍ଷମତା ରହିଛି।


ନୂତନ ସଂସଦ ଭବନ ୬୪,୫୦୦ ବର୍ଗମିଟର ଭୂମି ଉପରେ ପ୍ରତିଷ୍ଠିତ ଥିବା ବେଳେ ପୁରାତନ ଭବନର କ୍ଷେତ୍ରଫଳ ପ୍ରାୟ ୨୪,୨୮୧ ବର୍ଗମିଟର। ନୂତନ ଭବନରେ ପୁରାତନର ସେଣ୍ଟ୍ରାଲ ହଲ ପରି କୌଣସି ହଲ୍ ନାହିଁ। ତା’ ବଦଳରେ ନୂତନ ସଂସଦ ଭବନର ଲୋକସଭା ଚାମ୍ବରରେ ଯୁଗ୍ମ ଅଧିବେଶନ ଅନୁଷ୍ଠିତ ହେବ।ନୂତନ ଭବନରେ ସବୁ ପ୍ରକାର ଆଧୁନିକ ସୁବିଧା ରହିଛି। ଏଥିରେ ସନାତନ ପରମ୍ପରା ଓ ବାସ୍ତୁଶାସ୍ତ୍ରର ଅନୁସରଣ କରାଯାଇଛି। ଅନେକ କଳାତ୍ମକ ପେଣ୍ଟିଂ, ଡେକୋରେଟିଭ୍ ଆର୍ଟ, ୱାଲ ପ୍ୟାନେଲ, ଷ୍ଟୋନ ଷ୍ଟ୍ରକ୍ଚର ଓ ଧାତବ ବସ୍ତୁ ଦ୍ବାରା ଭବନକୁ ସଜାଯାଇଛି। ପ୍ରାୟ ୧,୨୦୦ କୋଟି ଟଙ୍କା ବ୍ୟୟରେ ନୂତନ ସଂସଦ ଭବନ ନିର୍ମାଣ ହୋଇଛି।

ସମ୍ବନ୍ଧିତ ଖବର