କଲମ୍ବୋ : ପୂର୍ବରୁ ୪ ଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଥିବା ରାନିଲ ବିକ୍ରମସିଂଘେ ପୁଣି ଥରେ ଏହି ଦ୍ବୀପରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଆର୍ଥିକ ସଂକଟ, ଦେଶବ୍ୟାପୀ ଚାଲିଥିବା ହିଂସା ମଧ୍ୟରେ ରାନିଲ ଆଜି ଶପଥ ନେଇଛନ୍ତି ।
ବୁଧବାରଦିନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଓ ରାନିଲଙ୍କ ମଧ୍ୟରେ ଅନୁଷ୍ଠିତ ଏକ ରୁଦ୍ଧଦ୍ବାର ବୈଠକ ପରେ ତାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ରାନିଲ ପୂର୍ବରୁ ୪ ଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରହିଥିବାରୁ ତାଙ୍କର ଏ କ୍ଷେତ୍ରରେ ଗଭୀର ଅଭିଜ୍ଞତା ରହିଛି । ଗତ ୨୦୧୮ ମସିହାରେ ତତକାଳୀନ ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର କରିଥିଲେ । ତେବେ ଏହି ଘଟଣାର ୨ ମାସ ପରେ ତାଙ୍କୁ ପୁଣି ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ କରାଯାଇଥିଲା ।
ଶ୍ରୀଲଙ୍କା ସଂସଦରେ ରାନିଲଙ୍କର ମାତ୍ର ଗୋଟିଏ ଆସନ ଥିଲେ ବି ବିରୋଧି ଦଳମାନେ ତାଙ୍କୁ ସମର୍ଥନ ଜ୍ଞାପନ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ମୁଖ୍ୟ ବିରୋଧୀ ଦଳ ସମାଗି ଜନ ବଲଓ୍ବେଗୟା ଓ ଆଉ କେତେକ ବିରୋଧୀ ଦଳ ତାଙ୍କୁ ସମର୍ଥନ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ହେବାପରେ ରନିଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ତିନିଦିନ ତଳେ ଇସ୍ତଫା ଦେଇଥିବା ମହିନ୍ଦା ରାଜପକ୍ଷେ । ଏହି ସଂକଟ ସମୟରେ ସେ ଦେଶକୁ ଉଦ୍ଧାର କରିବେ ବୋଲି ମହିନ୍ଦା ଆଶା ପ୍ରକାଶ କରିଛନ୍ତି ।