ଉତ୍ତର ପୂର୍ବ ଦିଲ୍ଲୀ ଶାନ୍ତ, ଦାୟିତ୍ବ ନେଲେ ନୂଆ ପୁଲିସ କମିସନର

୭ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, ଦଙ୍ଗାକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଉତ୍ତର ପୂର୍ବ ଦିଲ୍ଲୀରେ ବ୍ୟାପକ ହିଂସା ଘଟିଥିବାରୁ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଅନେକ ସତକର୍ତା ପଦକ୍ଷେପ ଗ୍ରହଣ କରାଯାଇଛି। ଏବେ ଏହି ଅଂଚଳରେ ଶାନ୍ତି ଫେରିବା ସହ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି। ପ୍ରଭାବିତ ଅଂଚଳରେ ୭ ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଏବେ କୌଣସି ସ୍କୁଲ୍‌ରେ ପରୀକ୍ଷା ଆୟୋଜନ ନିମନ୍ତେ ସ୍ଥିତି ଅନୁକୂଳ ନୁହେଁ ବୋଲି ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଜି ସ୍କୁଲ୍‌ଗୁଡ଼ିକ କେବଳ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଖୋଲାଯାଇଥିଲା। ଦିଲ୍ଲୀ ହିଂସାରେ ଏ ପର୍ଯ୍ୟନ୍ତ ୪୨ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬୦ ଜଣ ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ହିଂସାଗ୍ରସ୍ତ ଅଂଚଳର କେତେକ ସ୍ଥାନରେ ଦୋକାନ ବଜାର ଖୋଲିଥିବା ଦେଖାଯାଇଥିଲା। ଗୁଜବ ଏବଂ ଉତ୍ତେଜକ ଭାଷଣ ସଂପର୍କରେ ତୁରନ୍ତ ରିପୋର୍ଟ କରିବା ପାଇଁ ଦିଲ୍ଲୀ ସରକାର ଏକ ହ୍ବାଟ୍‌ସଆପ୍‌ ନମ୍ବର ଜାରି କରିବେ ବୋଲି ଘୋଷଣା କରିଛନ୍ତି। ଆଜି ମଧ୍ୟ ପ୍ରଭାବିତ ଅଂଚଳରେ ସୁରକ୍ଷା ବାହିନୀ ଫ୍ଲାଗ୍‌ମାର୍ଚ କରିଥିବା ବେଳେ ଜନତା କୌଣସି ଗୁଜବରେ ବିଶ୍ବାସ ନକରିବାକୁ ପୁଲିସ ପକ୍ଷରୁ ନିବେଦନ କରାଯାଇଛି । ଦିଲ୍ଲୀ ପୁଲିସ ଏବଂ ଗୁଇନ୍ଦା ବିଭାଗ ପକ୍ଷରୁ ଅନେକ ଦଙ୍ଗାକାରୀଙ୍କ ଘର ଚିହ୍ନଟ କରାଯାଇଛି। ଦଙ୍ଗାକାରୀଙ୍କ ସଂପର୍କରେ ପ୍ରମାଣ ମିଳୁଥିବାରୁ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ଚେହେରା ଚିହ୍ନଟ ଟେକ୍‌ଲୋଲୋଜି ଦ୍ବାରା ଅନେକ ଦଙ୍ଗାକାରୀଙ୍କ ସଂପର୍କରେ ପୁଲିସ ତଥ୍ୟ ହାସଲ କରିଛି ଏବଂ ୧ ହଜାରରୁ ଅଧିକ ଦଙ୍ଗା ସଂପର୍କିତ ଟେଲିଫୋନ ବାର୍ତ୍ତାଳପ ସଂପର୍କରେ ମଧ୍ୟ ଖୋଳତାଡ଼ ଚାଲିଛି।

ଦାୟିତ୍ବ ନେଲେ ନୂଆ ପୁଲିସ କମିସନର
ନୂଆଦିଲ୍ଲୀ: ଏସ ଏନ୍‌ ଶ୍ରୀବାସ୍ତବ ଆଜି ଦିଲ୍ଲୀ ପୁଲିସ କମିସନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ କରିବାପରେ ଶ୍ରୀବାସ୍ତବ କହିଛନ୍ତି, ସାମ୍ପ୍ରଦାୟିକ ସଦ୍‌ଭାବନା ବଜାୟ ରଖିବାପାଇଁ ବିଶାଳ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ପୁଲିସ ଅଧିକାରୀମାନେ ଲୋକଙ୍କ ସହ କଥା ହୋଇ ସେମାନେ ନିଜ ଉପରେ ଏବଂ ନିଜ ପଡ଼ୋଶୀଙ୍କ ଉପରେ ବିଶ୍ବାସ ରଖିବାକୁ କୁହାଯାଉଛି। ଦିଲ୍ଲୀରେ ଶାନ୍ତି ଏବଂ ସାମ୍ପ୍ରଦାୟିକ ସଦ୍‌ଭାବନା ଫେରାଇ ଆଣିବା ତାଙ୍କର ପ୍ରମୁଖ ଦାୟିତ୍ବ ବୋଲି ଶ୍ରୀବାସ୍ତବ କହିଛନ୍ତି।

ସମ୍ବନ୍ଧିତ ଖବର