ଜୁନ ମାସରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ, ମେ ୧୫ରୁ ୩୦ ମଧ୍ୟରେ ହେବ ନିର୍ବାଚନ

ନୂଆଦିଲ୍ଲୀ: କଂଗ୍ରେସ ଦଳରେ ଅଧ୍ୟକ୍ଷ ସମେତ ସଂଗଠନର ଅନ୍ୟାନ୍ୟ ପଦବୀ ପାଇଁ ନିର୍ବାଚନ ମେ ୧୫ ରୁ ୩୦ ମଧ୍ୟରେ ଅନୁଷ୍ଠିତ ହେବ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡକାଯାଇଥିବା କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ପରେ ଦଳର ନେତା କେ.ସି ଭେନୁଗୋପାଲ ଏବାବଦରେ ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ ଜୁନ୍ ୨୦୨୧ ସୁଦ୍ଧା କଂଗ୍ରେସକୁ ନୂଆ ଅଧ୍ୟକ୍ଷ ମିଳିଯିବ | ସୂଚନାଯୋଗ୍ୟ ଯେ ମେ ମାସରେ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ ଏହି ନିର୍ବାଚନ ଶେଷ ହେବା ପରେ କଂଗ୍ରେସରେ ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହେବ ।

ତେବେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଫେବୃଆରୀରେ ସାଙ୍ଗଠନିକ ନିର୍ବାଚନ କରାଇବାକୁ ମଧ୍ୟ ଦାବି ଉଠିଥିଲା | ସୂଚନାନୁସାରେ, କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଦୁଇଜଣ ସଦସ୍ୟ ପ୍ରସ୍ତାବ ଦେଇଥିଲେ ଯେ ଦଳର ଆଭ୍ୟନ୍ତରୀଣ ନିର୍ବାଚନ ଫେବୃଆରୀରେ କରାଯାଉ, ଯାହାଦ୍ୱାରା ବିଧାନସଭା ନିର୍ବାଚନ ପାଇଁ ଏକ ଟିମ ପ୍ରସ୍ତୁତ କରିବାକୁ ପର୍ଯ୍ୟାପ୍ତ ସମୟ ମିଳିପାରିବ । ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଏବଂ ଆସାମରେ କଂଗ୍ରେସ କ୍ଷମତାରେ ନଥିବାବେଳେ,କେବଳ ପୁଡୁଚେରୀରେ କଂଗ୍ରେସ କ୍ଷମତରେ ରହିଛି | ତେବେ ଅନ୍ୟ ନେତାମାନେ କହିଥିଲେ ଯେ ବିଧାନସଭା ନିର୍ବାଚନ ଏବଂ ସାଂଗଠନିକ ନିର୍ବାଚନ ମଧ୍ୟରେ ଲମ୍ବା ସମୟର ଆବଶ୍ୟକ ରହିଛି |

ସୂଚନା ଥାଉ କି ୨୦୧୯ ଲୋକସଭା ନିର୍ବାଚନରେ ​​ଦଳର ପରାଜୟ ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ | ଆଉ ତାଙ୍କ ପରେ ବର୍ତ୍ତମାନ ସୋନିଆ ଗାନ୍ଧୀ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ଦାୟିତ୍ୱରେ ଅଛନ୍ତି | ଏହି ସମୟ ମଧ୍ୟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ସମେତ ଦଳର ଅନେକ ନେତା ରାହୁଲ ଗାନ୍ଧୀଙ୍କୁ ପୁଣିଥରେ କଂଗ୍ରେସ ସଭାପତି କରିବାକୁ ଦାବି କରିଥିଲେ, କିନ୍ତୁ ରାହୁଲ ମନା କରିଦେଇଥିଲେ।

ସମ୍ବନ୍ଧିତ ଖବର