ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣ ଯୋଗୁଁ ଦେଶରେ ବାୟୋମେଡିକାଲ ଆବର୍ଜନା ମଧ୍ୟ ବଢ଼ିବାରେ ଲାଗିଛି ଏବଂ ଏହା ସ୍ବାସ୍ଥ୍ୟ ଓ ପରିବେଶ ପ୍ରତି ବିପଦ ସୃଷ୍ଟି କରିଛି। କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଜୀବନକୁ ବାଜି ଲଗାଇ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଦେଶବ୍ୟାପୀ ହସ୍ପିଟାଲଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବା ବେଳେ କୋଭିଡ-୧୯ ବାୟୋମେଡିକାଲ ଆବର୍ଜନା ନଷ୍ଟ କରିବା ଏକ ବଡ଼ ଚ୍ୟାଲେଂଜ ହୋଇଛି। ଆକ୍ରାନ୍ତମାନଙ୍କୁ ଚିକିତ୍ସା କରୁଥିବା ଆଗଧାଡ଼ିର ସଦସ୍ୟମାନେ ପିପିଇ କିଟ୍, ଗ୍ଲୋଭ୍ସ ଏବଂ ଅନ୍ୟ ଉପକରଣ ବ୍ୟବହାର କରୁଛନ୍ତି। ଚିକିତ୍ସା ପରେ ଏ ବାବଦରେ ମେଡିକାଲ ଆବର୍ଜନାକୁ ଏକ ସ୍ବତନ୍ତ୍ର ପଲିଥିନ୍ ବ୍ୟାଗ୍ରେ ସଂଗ୍ରହ କରାଯାଉଛି। ଏହାକୁ ନଷ୍ଟ କରିବା ପାଇଁ ପ୍ଲାଣ୍ଟ୍କୁ ପଠାଯାଉଛି। ତେବେ ବିଭିନ୍ନ ସହରରେ ବାୟୋମେଡିକାଲ ଆବର୍ଜନାର ସଠିକ୍ ପରିଚାଳନା ହେଉନଥିବାରୁ ସଙ୍କଟ ବଢ଼ୁଛି।
ବିଭିନ୍ନ ହସ୍ପିଟାଲ ଏବଂ ସଙ୍ଗରୋଧ କେନ୍ଦ୍ରରୁ ବାହାରୁଥିବା ମେଡିକାଲ ଆବର୍ଜନା ଅସୁରକ୍ଷିତ ଭାବେ ରଖାଯାଉଥିବାରୁ ଏହା ସଫେଇ କର୍ମୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ହସ୍ପିଟାଲଗୁଡ଼ିକୁ ଏ କ୍ଷେତ୍ରରେ ସର୍ବାଧିକ ସତର୍କତା ଅବଲମ୍ବନ କରବାକୁ କହିଛନ୍ତି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ କେବଳ ଦିଲ୍ଲୀର ଦୈନିକ ୨୫ ଟନ୍ ମେଡିକାଲ ଆବର୍ଜନା, ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ୍ରେ ପହଞ୍ଚୁନଥିବା ଏବେ ବଡ଼ ସଙ୍କଟର କାରଣ ହେଲାଣି। ଅନେକ ରାଜ୍ୟରେ ହସ୍ପିଟାଲଗୁଡ଼ିକରେ ଆବର୍ଜନା ପରିଚାଳନା ନେଇ ଉଚିତ ବ୍ୟବସ୍ଥା ନଥିବାରୁ ଏହାଦ୍ବାରା ସଂକ୍ରମଣ ଆଶଙ୍କା ବଢ଼ିଯାଇଛି। କେତେକ ସ୍ଥାନରେ ସାଧାରଣ ଆବର୍ଜନା ପକାଇବା ସ୍ଥଳରେ ମେଡିକାଲ ଆବର୍ଜନା ପକାଯାଉଥିବା ଲକ୍ଷ୍ୟ କରାଯାଇଛି। ଏଭଳି ସ୍ଥିତିର ମୁକାବିଲା ପାଇଁ ଇନ୍ଦୋର, ମୁମ୍ବାଇ, କୋଲକାତା ଭଳି ସହରରେ ଯୁଦ୍ଧସ୍ତରରେ କେତେକ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/djdjdgjdgjdgjdgjdgjdgjdgjdgjgjdjgjj.jpg)