ଦିନିକିଆ ସୁସ୍ଥତା ହାରରେ ଭାରତର ଆଉ ଏକ ରେକର୍ଡ; ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ ୬୨,୨୮୨ ରୋଗୀ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨,୨୮୨ ଜଣ ରୋଗୀ ସୁସ୍ଥ ହେବା ଫଳରେ ସୁସ୍ଥତା କ୍ଷେତ୍ରରେ ଭାରତର ଆଉ ଏକ ରେକର୍ଡ ସୃଷ୍ଟି ହୋଇଛି ।

ଅଧିକରୁ ଅଧିକ ରୋଗୀ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ଦୃଷ୍ଟିରୁ ମୋଟ ଆରୋଗ୍ୟ ସଂଖ୍ୟା ୨୧.୫ ଲକ୍ଷ ଅର୍ଥାତ  ୨୧,୫୮,୯୪୬କୁ ଅତିକ୍ରମ କରିଛି । ଆଜି ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪,୬୬,୯୧୮ହୋଇଛି । ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବା ତଥା ଏହି ଧାରା ଅବ୍ୟାହତ ରହିବା ଫଳରେ ସକ୍ରିୟ ରୋଗୀଙ୍କ ହାରାହାରି ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଦେଶରେ ସୁସ୍ଥତା ହାର ଶତକଡା ୭୪ରୁ ବୃଦ୍ଧି ପାଇ ଆଜି ୭୪.୨୮ ପ୍ରତିଶତରେ ପହଞ୍ଚିଛି, ଯାହା ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବା ସୁନିଶ୍ଚିତ କରିଛି ।

ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସୁସ୍ଥତା ହାର ଶତକଡା ୫୦ରୁ ଅଧିକ ହୋଇଛି । ବର୍ତ୍ତମାନ ୬.୯୨,୦୨୮ ଜଣ ସକ୍ରିୟ ରୋଗୀ ରହିଥିବା ବେଳେ ଏହା ଦେଶର ସମୁଦାୟ ସଂକ୍ରମିତ ରୋଗୀ ସଂଖ୍ୟାର ଶତକଡା୨୩.୮୨ ବୋଲି ଜଣାପଡିଛି । ସମସ୍ତ ସକ୍ରିୟ ରୋଗୀ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ସକ୍ରିୟ ଉପଚାର, ଉତ୍କୃଷ୍ଟ ଆମ୍ବୁଲାନ୍ସ ସେବା ଓ ଏମ୍ସ ନୂଆଦିଲ୍ଲୀ ପକ୍ଷରୁ କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ଉଚିତ ପରାମର୍ଶ ଇତ୍ୟାଦି ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ବିଶ୍ଵରେ ଅନ୍ୟାନ୍ୟ ଦେଶ ତୁଳନାରେ ଏହା କମ ଥିବା ବେଳେ ହାରାହାରି ମୃତ୍ୟୁହାର ୧.୮୯ ପ୍ରତିଶତରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮,୦୫,୯୮୫ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ନମୁନା ପରୀକ୍ଷା ସଂଖ୍ୟା ୩,୦୩,୪୬୭,୨୩୭ରେ ପହଞ୍ଚିଛି । ସେହିପରି ନମୁନା ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପରୀକ୍ଷାଗାରର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ ୧୫୦୪ଟି ପରୀକ୍ଷାଗାର ରହିଛି । ସେଥିମଧ୍ୟରୁ ୯୭୮ଟି ସରକାରୀ ଓ ୫୨୬ଟି ଘରୋଇ ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଛି ।

ସମ୍ବନ୍ଧିତ ଖବର