ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ଙ୍କ ନୂଆ ରେକର୍ଡ , ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାସ ରାଓ ଦେଶମୁଖଙ୍କୁ ମଧ୍ୟ ପଛରେ ପକାଇଲେ

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ହେଉଛନ୍ତି ସେହି ରାଜ୍ୟର ସବୁଠାରୁ କମ୍‌ ବୟସ୍କ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ। ଏହା ଏକ ରେକର୍ଡ। ହେଲେ ସେ ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି। ନିଜର କାର୍ଯ୍ୟକାଳରେ ଦେବେନ୍ଦ୍ର ଫଡନବିସ ଏହି ନୂଆ ରେକର୍ଡ କରିଥିବା ଜଣାଯାଇଛି।
ଦେବେନ୍ଦ୍ର ଫଡନବିସ ଏବେ ମହାରାଷ୍ଟ୍ରର ଦ୍ୱିତୀୟ ଏଭଳି ମୁଖ୍ୟମନ୍ତ୍ରୀର ମାନ୍ୟତା ପାଇଛନ୍ତି,ଯିଏକି ସର୍ବାଧିକ ଦିନ ଯାଏଁ ଏହି ପଦରେ ତିଷ୍ଠିିଛନ୍ତି। ଏହି ପ୍ରସଙ୍ଗରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାସ ରାଓ ଦେଶମୁଖଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ବିଳାସ ରାଓ ଦେଶମୁଖ ଥିଲେ ମହାରାଷ୍ଟ୍ରର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଯିଏ କି ବସନ୍ତରାଓ ନାୟକଙ୍କ ପରେ ସବୁଠାରୁ ଅଧିକ ଦିନ ଯାଏଁ ମୁଖ୍ୟମନ୍ତ୍ରୀ ଥିବା ବ୍ୟକ୍ତି। ବିଳାସ ରାଓ ଦେଶମୁଖ ୨୦୦୪ ନଭେମ୍ବର ୧ ତାରିଖରୁ ୨୦୦୮ ଡିସେମ୍ବର ୪ ତାରିଖ ଯାଏଁ କ୍ରମାଗତ ଭାବେ ୧୪୯୪ ଦିନ ଯାଏଁ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ୨୦୦୮ ନଭେମ୍ବର୨୬ ତାରିଖରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ବିଳାସରାଓଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା ହେବାକୁ ପଡ଼ିଥିଲା। ଦେବେନ୍ଦ୍ର ଫଡନଭିସ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ୧୪୯୯ ଦିନ ପୂରଣ କରିଛନ୍ତି। ଅପର ପକ୍ଷରେ ବସନ୍ତରାଓ ନାୟକ ମୋଟ୍‌ ୪୦୯୭ ଦିନ ଯାଏଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ବସନ୍ତ ରାଓ ନାୟକ ଲଗାତାର ୧୧ ବର୍ଷ ଯାଏଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ।


୨୦୧୪ରେ ବିଧାନସଭା ନିର୍ବାଚନ ପରେ ଦେବେନ୍ଦ୍ର ଫଡନବିସ ମାତ୍ର ୪୪ ବର୍ଷ ବୟସରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସେ ୨୦୧୪ ଅକ୍ଟୋବର ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ। ସବୁଠାରୁ କମ୍‌ ବୟସରେ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ରହିଛି ଏନସିପି ସୁପ୍ରିକୋ ଶରଦ ପାଓ୍ଵାରଙ୍କ ନାଆଁରେ। ଦେବେନ୍ଦ୍ର ଫଡନବିିସଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ମରାଠା ଆନ୍ଦୋଳନ,ଦଳିତ ଆନ୍ଦୋଳନ ଓ ଚାଷୀ ଆନ୍ଦୋଳନ ଆଦି ହୋଇଥିବା ସତ୍ତ୍ୱେ ତାହାକୁ ଅତ୍ୟନ୍ତ ଦକ୍ଷତାର ସହିତ ସାମ୍ନା କରିବାରେ ସଫଳ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବିସଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି ଓ ସେ ନିଜର ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର