ଚୀନ୍‌ ବିରୋଧରେ ନୂଆ କଟକଣା : ଭାରତର ସରକାରୀ ପ୍ରକଳ୍ପରେ ସାମିଲ ହୋଇପାରିବେନି ଚୀନ୍‌, ପାକିସ୍ତାନୀ କଂପାନୀ

ନୂଆଦିଲ୍ଲୀ : ଚୀନ ସହିତ ସୀମାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବା ବେଳେ ଭାରତ ସରକାର ଆଜି ବିଳମ୍ବିତ ରାତିରେ ଏକ ନୂଆ ଆଦେଶ ଜାରି କରିଛନ୍ତି। ଏଥିରେ ଚୀନ ଏବଂ ପାକିସ୍ତାନ ଉପରେ ନୂ୍ଆ କଟକଣା ଲଗାଯାଇଥିବାର କୁହାଯାଇଛି। ଏହି ଦୁଇ ଦେଶର କୌଣସି ସଂସ୍ଥା ଭାରତରେ କୌଣସି ସରକାରୀ ପ୍ରକଳ୍ପରେ ଭାଗ ନେଇପାରିବେ ନାହିଁ। ଭାରତର କୌଣସି ସରକାରୀ ବା ରାଷ୍ଟ୍ରାୟତ୍ତ ସଂସ୍ଥାକୁ ସେମାନେ ସାମଗ୍ରୀ କିମ୍ବା ସେବା ଯୋଗାଇ ପାରିବେ ନାହିଁ। ତେବେ ନେପାଳ ଓ ଭୁଟ୍ଟାନ ପାଇଁ ରିହାତି ଦିଆଯାଇଥିବାର ସୂଚନା ମିଳିଛି।

ଆଜି ବିଳମ୍ବିତ ରାତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରତିରକ୍ଷା ଏବଂ ଜାତୀୟ ସୁରକ୍ଷା ଦୃ‌ଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି। ଏଥିଲାଗି ଜେନେରାଲ ଫାଇନାନ୍ସ ରୁଲ୍ସ-୨୦୧୭ରେ ଆବଶ୍ୟକ ସଂଶୋଧନ କରାଯାଇଛି। ଜଣେ ସରକାରୀ ଅଧିକାରୀ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଭାରତର କୌଣସି ସରକାରୀ ବା ସରକାରଙ୍କ ଅଧୀନର କୌଣସି ପ୍ରକଳ୍ପ‌ କାମରେ ଚୀନ କଂପାନୀ ସାମିଲ ହୋଇପାରିବେ ନାହିଁ। ଯେଉଁ କଂପାନୀ ସରକାରଙ୍କ ଠାରୁ ଆର୍ଥିକ ସହାୟତା ପାଉଛନ୍ତି ସେମାନେ ମଧ୍ୟ ଚୀନ ଓ ପାକିସ୍ତାନୀ କଂପାନୀ ସହିତ କାରବାର କରିପାରିବେ ନାହିଁ। ଏହି ନୂଆ କଟକଣା ପାଳନ କରିବା ଲାଗି ସମସ୍ତ ରାଜ୍ୟ ସରକାରମାନଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି। ତେବେ ଘରୋଇ କଂ‌ପାନୀ ପ୍ରତି କଟକଣା ଲାଗୁ ହେବନାହିଁ।

ସୂଚନାଯୋଗ୍ୟ ଯେ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଗତ ମାସ ରକ୍ତାକ୍ତ ସଂଘର୍ଷ ଘଟି ଭାରତର ୨୦ ଯବାନ ସହିଦ ହୋଇଥିଲେ। ଏଥିରେ ଚୀନର ମଧ୍ୟ ୩୦ରୁ ଅଧିକ ସୈନିକ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ଭାରତ ସରକାର ଚୀନ ବିରୋଧରେ ଅନେକ ଅର୍ଥନୈତିକ କଟକଣା ଜାରି କରିଥିଲା। କେବଳ ଏତିକି ନୁହେଁ ଚୀନର ଅନେକ ଆପ୍ ବିରୋଧରେ ମଧ୍ୟ କଟକଣା ଜାରି କରାଯାଇଥିଲା।

ତେବେ ସୀମାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ଲାଗି ଭାରତ ଓ ଚୀନ ଅଧିକାରୀମାନେ ଅନେକ ଥର ଆଲୋଚନା କରିଛନ୍ତି। କେତେକ ଅଞ୍ଚଳରୁ ଚୀନ ସେନା ହଟିଥିଲେ ମଧ୍ୟ ଅନ୍ୟ କେତେକ ଅଞ୍ଚଳ ଛାଡ଼ି ଯାଉ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି କଟକଣା ଜାରି କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର