ସ୍କୁଲ ଗାଡ଼ିରେ ଏଣିକି ରହିବେ ମହିଳା କଣ୍ଡକ୍ଟର, ଛୁଆଙ୍କୁ ଘରେ ଛାଡିବା ଉପରେ ଦେବେ ଗୁରୁତ୍ୱ

ଲଖନଉ: ଉତ୍ତରପ୍ରଦେଶ ରାଜଧାନୀ ଲଖନଉର ଟ୍ରାଫିକ ପୁଲିସ ଏବେ ସ୍କୁଲ ପିଲାଙ୍କ ସୁରକ୍ଷାକୁ ନଜରରେ ରଖି ଗୁରୁତ୍ୱପୂର୍ଣ୍ଣ ନିୟମ ପ୍ରଣୟନ କରିଛି | ପ୍ରଥମ ପର୍ଯ୍ୟାୟରେ ଟ୍ରାଫିକ ପୁଲିସ ପକ୍ଷରୁ ୧୦୦ଟି ସ୍କୁଲକୁ ନିର୍ଦ୍ଦେଶନାମା ଜାରି କରାଯାଇଛି | ଟ୍ରାଫିକ ପୁଲିସ ବିଦ୍ୟାଳୟ କର୍ତ୍ତୃପକ୍ଷ, ସ୍କୁଲ ଗାଡି ଚାଳକ ଓ ଅଭିଭାବକଙ୍କ ସହ ବୈଠକ କରି ନିଷ୍ପତ୍ତି ନେଇଛି ଯେ ବିଦ୍ୟାଳୟ ଛୁଟି ପରେ ସ୍କୁଲ ଗାଡ଼ିରେ ଯାଉଥିବା ପିଲାମାନଙ୍କ ସୁରକ୍ଷା ଦାୟିତ୍ୱ ସମ୍ପୂର୍ଣ୍ଣ ସ୍କୁଲର ରହିବ | ସ୍କୁଲ ବସରେ ଯାଉଥିବା ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଣେ ମହିଳା କଣ୍ଡକ୍ଟର ନିୟୋଜିତ ରହିବେ |

ଏହି ମହିଳା କର୍ମଚାରୀ ସମସ୍ତ ଶିଶୁଙ୍କୁ ଘରେ ପହଂଚାଇବା ପର୍ଯ୍ୟନ୍ତ ଗାଡ଼ିରେ ରହିବେ | ମହିଳା କର୍ମଚାରୀ ଜଣକ ଛାତ୍ର/ଛାତ୍ରୀଙ୍କୁ ଅଭିଭାବକଙ୍କ ଜିମା ଦେବା ପରେ ହିଁ ନିଜର ଦାୟିତ୍ୱକୁ ସମ୍ପୂର୍ଣ୍ଣ କରିବେ | ଯଦି ଫାଟକ ବାହାରେ ଛାଡ଼ିଦେଇ ଆସନ୍ତି, ତେବେ ଅଭିଭାବକ ଚାହିଁଲେ ମହିଳା କର୍ମଚାରୀଙ୍କ ବିରୋଧରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିପାରିବେ | ଲଖନଉର ଟ୍ରାଫିକ ଡିସିପି ଖ୍ୟାତି ଗର୍ଗ କହିଛନ୍ତି ଯେ କିଛି ଦିନ ତଳର ଏକ ଦୁଃଖଦ ଘଟଣାରୁ ଏଭଳି କରିବାକୁ ନିଷ୍ପତ୍ତି ନିଆଯାଇଛି | କିଛି ଦିନ ତଳେ ଯେତେବେଳେ ଏକ ସ୍କୁଲ ବସ ଜଣେ କୁନି ଶିଶୁକୁ ଛାଡିବାକୁ ଯାଇଥିଲା, ସେତେବେଳେ ବସ କଣ୍ଡକ୍ଟର ଛୁଆଟିକୁ ଘର ଫାଟକ ସାମ୍ନାରେ ଛାଡିଦେଇଥିଲେ | ତେବେ ଶିଶୁଟି ଘର ଭିତରକୁ ନ ଯାଇ ବସ ସାମ୍ନାକୁ ଆସିଯାଇଥିଲା |

ଆଉ ବସ ଡ୍ରାଇଭର ଜାଣି ନ ପାରି ଛୁଆଟି ଉପରେ ଗାଡି ଚଢ଼ାଇଦେଇଥିଲେ | ଯେଉଁଥିରେ ଶିଶୁର ମୃତ୍ୟୁ ହୋଇଯାଇଥିଲା | ଆଉ ଏହି ଘଟଣା ପରେ ଶିଶୁକୁ ଅଭିଭାବକଙ୍କ ଜିମା ଦେବାକୁ ନିଷ୍ପତ୍ତି ନିଆଯାଇଛି |

ସମ୍ବନ୍ଧିତ ଖବର