କରୋନା ପାଇଁ ପଶ୍ଚିମବଙ୍ଗ ନିର୍ବାଚନ ନିୟମ ବଦଳାଇଲେ ନିର୍ବାଚନ କମିସନ, ନୂଆ ନିୟମ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ: ଏଣିକି ସନ୍ଧ୍ୟା ୭ଟା ପରେ ସକାଳ ୧୦ଟା ଯାଏଁ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର କରିହେବ ନାହିଁ | ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ​​ନିର୍ବାଚନ ଆୟୋଗ କିଛି କଠୋର ପଦକ୍ଷେପ ନେଇଛନ୍ତି। ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି ଯେ ବର୍ତ୍ତମାନ କୌଣସି ରାଜନୈତିକ ଦଳ ସନ୍ଧ୍ୟା ସାତଟା ପରେ ରାଲି କିମ୍ବା ପ୍ରଚାର କରିପାରିବେ ନାହିଁ। ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ଯାଏଁ ନିର୍ବାଚନ ପ୍ରଚାର କରିହେବ ନାହିଁ | ଏହା ବ୍ୟତୀତ ବର୍ତ୍ତମାନ ଭୋଟ୍ ଦେବାର ୭୨ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ଶେଷ ହେବ।

ଏହାପୂର୍ବରୁ ଏହି ସମୟସୀମା ୪୮ ଘଣ୍ଟା ଥିଲା। ଏହି ପଦକ୍ଷେପ ସଂପର୍କରେ ଆୟୋଗ କହିଛନ୍ତି, ‘ସମସ୍ତ ପ୍ରାର୍ଥୀ ଏବଂ ରାଜନୈତିକ ଦଳଙ୍କୁ କରୋନା ଗାଇଡଲାଇନକୁ କଡାକଡି ପାଳନ କରିବାକୁ ପଡିବ। କୌଣସି ପ୍ରକାରର ନିୟମ ଉଲ୍ଲଂଘନ ହେଲେ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସମାବେଶରେ ଉପସ୍ଥିତ ଥିବା ଲୋକଙ୍କୁ ସାନିଟାଇଜର ଏବଂ ମାସ୍କ ଯୋଗାଇବା ରାଲିର ଆୟୋଜକଙ୍କ ଦାୟିତ୍ୱ ହେବ। ଷ୍ଟାର ପ୍ରଚାରକ ତଥା ଦଳର ପ୍ରାର୍ଥୀମାନେ ନିଜେ ମାସ୍କ ପିନ୍ଧିବା ଉଚିତ ଏବଂ ସମର୍ଥକଙ୍କୁ ମଧ୍ୟ ମାସ୍କ ପିନ୍ଧିବାକୁ କହିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି କମିସନ୍।

ଏହା ବ୍ୟତୀତ ସମର୍ଥକମାନଙ୍କୁ ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ପ୍ରତି ଧ୍ୟାନ ଦେବାକୁ ପ୍ରାର୍ଥୀଙ୍କୁ କହିବାକୁ ପଡିବ | ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆରିଜ ଅଫତାବ ଆଜି ଏକ ସର୍ବଦଳୀୟ ବୈଠକ ଡାକି ଏହି ନିଷ୍ପତ୍ତି ସଂପର୍କରେ ଆଲୋଚନା କରିଛନ୍ତି।| ଏହାପୂର୍ବରୁ କଲିକତା ହାଇକୋର୍ଟ ସିଇଓ ତଥା ରାଜ୍ୟର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ବାଚନର ଅବଶିଷ୍ଟ ଚାରିଟି ପର୍ଯ୍ୟାୟରେ ପ୍ରଚାର ସମୟରେ କୋଭିଡ -୧୯ ର ନିର୍ଦ୍ଦେଶନାମା ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର