ଏଣିକି ଅନଲାଇନ ସପିଙ୍ଗବେଳେ ସବୁସମୟରେ ଦେବାକୁ ପଡିବ ୧୬ ଅଙ୍କ ବିଶିଷ୍ଟ କାର୍ଡ ନମ୍ବର, ଆରବିଆଇ ଆଣିବାକୁ ଯାଉଛି ନୂଆ ନିୟମ

ନୂଆଦିଲ୍ଲୀ: ଯଦି ଆପଣ ଅଧିକାଂଶ ନେଣଦେଣ ଅନଲାଇନ ମାଧ୍ୟମରେ କରୁଛନ୍ତି ବା ଅନଲାଇନରେ ପ୍ରାୟ ସମୟ ସପିଙ୍ଗ କରୁଛନ୍ତି ତେବେ ଖୁବ ଶୀଘ୍ର ନୂଆ ଢଙ୍ଗରେ ପେମେଣ୍ଟ କରିବାକୁ ପଡିବ | କାରଣ ଖୁବ ଶୀଘ୍ର କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟ୍ କରିବାକୁ ହେଲେ ଆପଣଙ୍କୁ ସିଭିଭି ନମ୍ବର ସହିତ ୧୬ ଅଙ୍କ ବିଶିଷ୍ଟ କାର୍ଡ ନମ୍ବର ଦେବାକୁ ପଡିବ | ଅନଲାଇନ୍ ଠକେଇକୁ ରୋକିବା ପାଇଁ ଆରବିଆଇ ଏହି ପଦକ୍ଷେପ ନେବାକୁ ଯାଉଛି।

ଏହା ସହିତ, ଆରବିଆଇ ସେହି ସବୁ କମ୍ପାନୀଗୁଡିକ ଉପରେ ମଧ୍ୟ ଏକ ଲଗାମ ଲଗାଇବ, ଯେଉଁମାନେ ଗ୍ରାହକଙ୍କ ଡେବିଟ୍-କ୍ରେଡିଟ୍ କାର୍ଡର ତଥ୍ୟ ନିଜ ପାଖରେ ରଖୁଛନ୍ତି | ଆରବିଆଇର ନୂତନ ନିୟମ ପରେ, ଏହିପରି କମ୍ପାନୀଗୁଡିକ ଗ୍ରାହକଙ୍କ କ୍ରେଡିଟ-ଡେବିଟ୍ କାର୍ଡର ତଥ୍ୟକୁ ସେମାନଙ୍କ ସର୍ଭରରେ ସେଭ କରିବାରେ ସମର୍ଥ ହେବେ ନାହିଁ | ଆଉ ଗ୍ରାହକଙ୍କୁ ଯେକୌଣସି ଅନଲାଇନ୍ ପେମେଣ୍ଟ୍ କରିବା ସମୟରେ ତାଙ୍କର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ପଡିବ |

ଅର୍ଥାତ ଏହି ନିୟମ ଲାଗୁ ହେବା ପରେ କେବଳ ସିଭିଭି ନମ୍ବର କାମ କରିବ ନାହିଁ | ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ନୂତନ ନିୟମ ଆସନ୍ତା ବର୍ଷ ଜାନୁଆରୀରୁ କାର୍ଯ୍ୟକାରୀ ହୋଇପାରେ । ଯଦିଓ ପୂର୍ବରୁ ଆରବିଆଇ ଏହି ନିୟମକୁ ଚଳିତ ବର୍ଷ ଜୁଲାଇରୁ କାର୍ଯ୍ୟକାରୀ କରିବାକୁ ଚାହୁଁଥିଲା, କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାରେ ଅସୁବିଧା ହେତୁ ଏହା ହୋଇପାରିନାହିଁ। ଏସବୁକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଜାନୁଆରୀ ୨୦୨୨ ରୁ ଏହି ନିୟମ ଲାଗୁ ହେବ |

ସମ୍ବନ୍ଧିତ ଖବର