ପେଟ୍ରୋଲ୍ ପମ୍ପ୍ ଖୋଲିବା ନିୟମ କୋହଳ : ତେଲ ବ୍ୟବସାୟ ସହ ସମ୍ପର୍କ ନଥିବା କଂପାନିଙ୍କୁ ବି ଲାଇସେନ୍ସ ମିଳିବ

ନୂଆଦିଲ୍ଲୀ :‌ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି କ୍ଷେତ୍ରରେ ବଡ଼ ଧରଣର ସଂସ୍କାର ଅଣାଯାଇଛି। ‌ବର୍ତ୍ତମାନ କେବଳ ତେଲ ଓ ଗ୍ୟାସ୍‌ କ୍ଷେତ୍ରରେ ବଡ଼ ଧରଣର ପୁଞ୍ଜିନିବେଶ କରିଥିବା ସରକାରୀ ଓ ଘରୋଇ କଂପାନିଗୁଡ଼ିକ ପେଟ୍ରୋଲ୍ ପମ୍ପ୍ ସ୍ଥାପନ କରି ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି କରୁଛନ୍ତି। ଆଗାମୀ ଦିନରେ ତେଲ ବ୍ୟବସାୟ ସହ କୌଣସି ସମ୍ପର୍କ ନଥିବା କଂପାନିଗୁଡ଼ିକ ମଧ୍ୟ ‌ପେଟ୍ରୋଲ୍ ବିକ୍ରି କରିପାରିବେ। ପେଟ୍ରୋଲ୍ ପମ୍ପ୍ ଖୋଲିବା ନିୟମକୁ ସରକାର କୋହଳ କରିଥିବାରୁ ଏହା ସମ୍ଭବ ହେବାକୁ ଯାଉଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି।

ପ୍ରଚଳିତ ନିୟମ ଅନୁସାରେ ତୈଳ ଓ ଗ୍ୟାସ୍‌ କ୍ଷେତ୍ରରେ ୨୦୦୦ କୋଟି ଟଙ୍କା ବିନିଯୋଗ କରିଥିବା କଂପାନିଗୁଡ଼ିକୁ ପେଟ୍ରୋଲ୍ ବିକ୍ରି କରିବା ଲାଇସେନ୍ସ ଦିଆଯାଉଛି। ମାତ୍ର ଆଗାମୀ ଦିନରେ ୨୫୦ କୋଟି ଟଙ୍କାର କାରବାର କରୁଥିବା କଂପାନିଗୁଡ଼ିକୁ ମଧ୍ୟ ପେଟ୍ରୋଲ୍ ଓ ଡିଜେଲ୍‌ ବିକ୍ରି କରିବା ଲାଗି ଲାଇସେନ୍ସ ପ୍ରଦାନ କରାଯିବ। ତେବେ ସେମାନଙ୍କ ପାଇଁ ସର୍ତ୍ତ ରହିବ ଯେ ସିଏନ୍‌ଜି, ଏଲ୍‌ଏନ୍‌ଜି, ଜୈବ ଇନ୍ଧନ ବିକ୍ରି କରିବା ଏବଂ ଇଲେକ୍‌ଟ୍ରିକ୍ ଯାନ ଲାଗି ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରିବା ବିକଳ୍ପ ମଧ୍ୟରୁ ଆବେଦନକାରୀ କଂପାନିକୁ ଯେକୌଣସି ଗୋଟିଏକୁ ଚୟନ କରିବାକୁ ପଡ଼ିବ। ଲାଇସେନ୍‌ସ ପାଇବାକୁ ଥିବା କଂପାନି ଗ୍ରାମାଞ୍ଚଳରେ ୫% ‌ପେଟ୍ରୋଲ୍‌ ପମ୍ପ୍ ୫ ବର୍ଷ ଭିତରେ ସ୍ଥାପନ କରିବେ। ଯେଉଁ କଂପାନି ଏହି ଲକ୍ଷ୍ୟ ହାସଲ କରିବାରେ ବିଫଳ ହେବ ତାକୁ ପ୍ରତି ପେ‌ଟ୍ରୋଲ୍ ପମ୍ପ୍ ପିଛା ୩ କୋଟି ଟଙ୍କାର ଜରିମାନା ଗଣିବାକୁ ହେବ।

ତେଲ ବିକ୍ରି ନିୟମକୁ କୋହଳ କରିବା ପଛର ମୂଳ ଉଦ୍ଦେଶ୍ୟ ହେଉଛି ‌ଏହି କ୍ଷେତ୍ରକୁ ଘରୋଇ କ୍ଷେତ୍ର ଏବଂ ବିଦେଶୀ ପୁଞ୍ଜିନିବେଶ ଆଣିବା। ଶେଷ ଥର ଲାଗି ୧୭ ବର୍ଷ ପୂର୍ବେ ୨୦୦୨ରେ ଏହି ନିୟମରେ ସଂଶୋଧନ ହୋଇଥିଲା। ତେବେ ବର୍ତ୍ତମାନର ବଜାର ସ୍ଥିତିକୁ ବିଚାରକୁ ନେଇ ସରକାର ନିୟମ ବଦଳାଇଥିବା କହିଛନ୍ତି। ‌ଏକ ଉଚ୍ଚ ସ୍ତରୀୟ କମିଟିର ସୁପାରିସ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ତେଲ ବିକ୍ରି କରିବା ନିୟମକୁ ସରକାର କୋହଳ କରିଥିବାରୁ ଆଗାମୀ ଦିନରେ ସାଉଦି ଆରବର ସାଉଦି ଆମା‌ରକୋ, ବ୍ରିଟେନ୍‌ର ବିପି, ପୁମା ଏନ୍‌ର୍ଜି ଭଳି କଂପାନିର ପେଟ୍ରୋଲ୍‌ ପମ୍ପ୍ ଭାରତରେ ଦେଖିବାକୁ ମିଳିପାରେ। ଭାରତରେ ପେଟ୍ରୋଲ୍ ପମ୍ପ୍ ଖୋଲିବା ଲାଗି ବିଦେଶୀ କଂପାନି ଟୋଟାଲ୍ ତରଫରୁ ଆଦାନି ଗ୍ରୁପ୍ ସହିତ ଏମ୍‌ଓୟୁ କରାଯାଇଛି। ଏହି କଂପାନି ୧୫୦୦ ପେ‌ଟ୍ରୋଲ୍‌ ପମ୍ପ୍ ଖୋଲିବାକୁ ଚାହୁଛି। ସେହିପରି ବ୍ରିଟେନ୍‌ର ବିପି ଭାରତରେ ମୁକେଶ ଅମ୍ବାନିଙ୍କ ସହ ହାତ ମିଳାଇଛି। ପୁମା ଏନର୍ଜି ମଧ୍ୟ ତେଲ ବିକ୍ରି କରିବା ଲାଗି ଲାଇସେନ୍ସ ନିମନ୍ତେ ଆବେଦନ କରିଛି।

ବର୍ତ୍ତମାନ ସାରା ଦେଶରେ ତିନି ସରକାରୀ ତେଲ କଂପାନି ଇଣ୍ଡିଆନ୍ ଅଏଲ୍‌, ଭାରତ ପେ‌ଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ର ୬୫,୫୫୪ଟି ପେଟ୍ରୋଲ୍ ପମ୍ପ୍ ରହିଛି। ସେମାନଙ୍କ ବ୍ୟତୀତ ଘରୋଇ କଂପାନି ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌, ନୟାରା ଏନର୍ଜି, ରୟାଲ୍ ଡଚ୍‌ ସେଲ୍‌ର ମଧ୍ୟ ବିପୁଳ ସଂଖ୍ୟାର ପେଟ୍ରୋଲ୍ ପମ୍ପ୍ ରହିଛି।

ସମ୍ବନ୍ଧିତ ଖବର