ନୂଆ ସାଟେଲାଇଟ୍‌ ଚିତ୍ର: ବିବାଦୀୟ ସ୍ଥଳରୁ ଭିତ୍ତିଭୂମି ମୂଳପୋଛ କଲା ଚୀନ୍‌

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍‌ ମଧ୍ୟରେ ୧୬ ରାଉଣ୍ଡ୍‌ କମାଣ୍ଡରସ୍ତରୀୟ କଥାବାର୍ତ୍ତା ପରେ ପୂର୍ବ ଲଦାଖର ବିବାଦୀୟ ସ୍ଥଳରୁ ଉଭୟ ପକ୍ଷର ସେନା‌ ପ୍ରତ୍ୟାହାର ପାଇଁ ବାଟ ଫିଟିଥିଲା। ନିକଟରେ ଜାରି ହୋଇଥିବା ଏକ ନୂଆ ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି ଯେ ପୂର୍ବ ଲଦାଖର ଗୋଗ୍ରା ହଟ୍‌ ସ୍ପ୍ରିଙ୍ଗ୍‌ର ଏଲ୍‌ଏସି ନିକଟସ୍ଥ ୩ କିମି ଅଞ୍ଚଳରେ ଚୀନ୍‌ ଯେଉଁ ବିଶାଳ ଭିତ୍ତିଭୂମି ନିର୍ମାଣ କରିଥିଲା ସେସବୁକୁ ମୂଳପୋଛ କରିଦେଇଛି। ପୂର୍ବରୁ ବିବାଦୀୟ ଅଞ୍ଚଳରେ ଚୀନ୍‌ ଏଲ୍‌ଏସି ନିକଟରେ ସ୍ଥାୟୀ ଘାଟି ନିର୍ମାଣ କରିଥିଲା। କିନ୍ତୁ ନୂଆ ଚିତ୍ରରେ ସମଗ୍ର ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଖାଲି ହୋଇଯାଇଛି। ଉଭୟ ଭାରତ-ଚୀନ୍‌ର ସେନା ଓ ଭିତ୍ତିଭୂମି ପ୍ରତ୍ୟାହାର କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୨ ତାରିଖରେ ଶେଷ ହୋଇଥିଲା। ଏସ୍‌ସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ଏହା ବାଟ ଫିଟାଇବ ବୋଲି କୁହାଯାଉଥିଲା। କିନ୍ତୁ ଗତକାଲି ଏସ୍‌ସିଓ ସମ୍ମିଳନୀରେ ମୋଦୀ ଏବଂ ଜିନପିଙ୍ଗ ପରସ୍ପର ସହ ହାତ ମିଳାଇନାହାନ୍ତି କି କୌଣସି ଅନୌପଚାରିକ କଥାବାର୍ତ୍ତା ହୋଇନାହାନ୍ତି।

ସମ୍ବନ୍ଧିତ ଖବର