ନୂଆଦିଲ୍ଲୀ: ନୂଆ ଟେଲିକମ ଆଇନ-୨୦୨୩ ଲାଗୁ ହେବାକୁ ଯାଉଛି । ଏହି ନୂଆ ଟେଲିକମ୍ ଆଇନରେ ସିମ୍ କାର୍ଡ କିଣିବା ଏବଂ ନକଲି ସଂଯୋଗ, କଲ୍ ଟ୍ୟାପିଂ ପାଇଁ କଠୋର ବ୍ୟବସ୍ଥା ରହିଛି। ଗତବର୍ଷ ଡିସେମ୍ବରରେ କେନ୍ଦ୍ର ସରକାର ନୂଆ ଟେଲିକମ୍ ବିଲ୍ ଲୋକସଭାରେ ଆଗତ କରିଥିଲେ। ଏହି ବିଲ୍ ଆଗତ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିଥିଲା। ଏବେ ଏହି ଆଇନର କିଛି ଧାରା ଜୁନ୍ ୨୬ରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ନୂଆ ଟେଲିକମ୍ ଆଇନ ୯ରୁ ଅଧିକ ସିମ୍ କାର୍ଡ କିଣୁଥିବା ଲୋକଙ୍କ ପାଇଁ ଅସୁବିଧା ଆଣିପାରେ।

Advertisment

ଯଦି କୌଣସି ଉପଭୋକ୍ତାଙ୍କ ଆଧାର କାର୍ଡରୁ ୯ରୁ ଅଧିକ ସିମ୍ କାର୍ଡ ଜାରି ହୋଇଛି ତେବେ ପ୍ରଥମ ଭୁଲ ପାଇଁ ୫୦ ହଜାର ଟଙ୍କା ଜରିମାନା ଏବଂ ବାରମ୍ବାର ଭୁଲ କଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇପାରିବ । ଏହାବ୍ୟତୀତ ଯଦି ୟୁଜର ଆଇଡିକୁ ସିମ୍ କାର୍ଡ କିଣିବା ପାଇଁ ଜାଲିଆତି କରି ବ୍ୟବହାର କରାଯାଏ ତେବେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ କିମ୍ବା ଉଭୟ ଜେଲ ଓ ଜରିମାନା ହୋଇପାରେ । ଏଥିରେ ସିମ୍ କାର୍ଡ ସ୍ପୁଫିଂ ଅର୍ଥାତ୍ ରିସିଭରଙ୍କଠାରୁ ଆପଣଙ୍କ ପରିଚୟ ଲୁଚାଇବା ଅନ୍ତର୍ଭୁକ୍ତ । ଏହାବ୍ୟତୀତ ଟେଲିକମ୍ ଅପରେଟରମାନଙ୍କୁ କେବଳ ବାୟୋମେଟ୍ରିକ୍ ଆଧାରିତ ପରିଚୟ ଅର୍ଥାତ୍ ଆଧାର କାର୍ଡ ଜରିଆରେ ବ୍ୟବହାରକାରୀଙ୍କୁ ଯାଞ୍ଚ କରିବାକୁ ପଡ଼ିବ।