ଆତ୍ମନିର୍ଭର ଭାରତ ଦିଗରେ ନୂଆ ପଦକ୍ଷେପ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ସୋମବାର ଦିନ ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନର ଉନ୍ମୋଚନ କରିଛନ୍ତି । ପିଷ୍ଟିନ ଇଞ୍ଜିନ ବିଶିଷ୍ଟ ବିମାନ ଏବଂ ମାନବ ବିହୀନ ବିମାନ ପାଇଁ ଏହି ସ୍ୱତନ୍ତ୍ର ବିମାନ ଦେଶରେ ଉପଲବ୍ଧ ହେବ । ଇନ୍ଧନ ଉନ୍ମୋଚନ ଅବସରରେ ଶ୍ରୀ ପୁରୀ କହିଛନ୍ତି ଯେ, ଆମେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଇ ଗତି କରୁଛୁ ଯାହାକି ପ୍ରାୟତଃ ବୈପ୍ଲବାତ୍ମକ । ଆମେ ଜୈବ ଇନ୍ଧନ ମିଶ୍ରଣ, ସବୁଜ ହାଇଡ୍ରୋଜେନ ଏବଂ ବିଦ୍ୟୁତ ଚାଳିତ ବାହନକୁ ପ୍ରୋତ୍ସାହନ ଦେବା ଜରିଆରେ ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରୁଛୁ ।

ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନର ଉନ୍ମୋଚନ ଅବସରରେ ବେସାମରିକ ବିମାନ ଚଳାଚଳ ଓ ସଡ଼କ ପରିବହନ ଏବଂ ରାଜପଥ ରାଷ୍ଟ୍ର ମନ୍ତ୍ରୀ ଜେନେରାଲ ଭି.କେ. ସିଂ ଉପସ୍ଥିତ ଥିଲେ । ବର୍ତ୍ତମାନ ଭାରତ ଏହି ଉତ୍ପାଦ ୟୁରୋପୀୟ ରାଷ୍ଟ୍ରରୁ ଆମଦାନୀ କରୁଛି । ହିଣ୍ଡନ ବାୟୁସେନା ଷ୍ଟେସନ ଠାରେ ଇଣ୍ଡିଆନ ଅଏଲ ପକ୍ଷରୁ ଉନ୍ମୋଚନ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭାରତୀୟ ବାୟୁସେନା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହାଛଡ଼ା ବିମାନ ଚଳାଚଳ ପ୍ରଶିକ୍ଷଣ ସଂଗଠନ (ଏଫଟିଓ)ର ଅଧିକାରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନର ଗୁରୁତ୍ବ ବିଷୟରେ ଉଲ୍ଲେଖ କରି, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ କହିଥିଲେ ଯେ, ସ୍ୱଦେଶୀ ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନ ଦେଶରେ ଉପଲବ୍ଧ ହେବା ପରେ ବିମାନ ଚଳାଚଳ ଉଦ୍ୟୋଗର ଆବଶ୍ୟକତା ପୂରଣ ହୋଇପାରିବ । ଏହା ବିମାନ ବନ୍ଦରରେ ଯାତ୍ରୀ ସଂଖ୍ୟା ବଢ଼ାଇବ । ବିମାନ ଏବଂ ବିମାନ ପ୍ରଶିକ୍ଷଣ ସଂଗଠନର ସଂଖ୍ୟା ବୃଦ୍ଧି କରିବା ସହିତ ଭବିଷ୍ୟତରେ ପାଇଲଟଙ୍କ ତାଲିମ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ । ଆଗାମୀ ଦିନରେ ଭାରତରେ ବିମାନ ପରିବହନର ଚାହିଦା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ପ୍ରଶିକ୍ଷିତ ପାଇଲଟମାନଙ୍କର ଚାହିଦା ମଧ୍ୟ ବଢ଼ିବ ।

ଇଣ୍ଡିଆନ ଅଏଲର ଅଧ୍ୟକ୍ଷ ଶ୍ରୀକାନ୍ତ ମାଧବ ବୈଦ୍ୟ କହିଥିଲେ ଯେ, ‘‘ଆମର ବିଶୋଧନ ସାମର୍ଥ୍ୟ ଏବଂ ଅନ୍ତରୀଣ ବିଶେଷଜ୍ଞତାକୁ ଉପଯୋଗ କରି ଏହି ସ୍ୱତନ୍ତ୍ର ଇନ୍ଧନ ବିକଶିତ କରିବାରେ ଆମେ ସଫଳ ହୋଇପାରିଛୁ । ଆମଦାନୀ ହେଉଥିବା ଇନ୍ଧନ ତୁଳନାରେ ସ୍ୱଦେଶୀ ଇନ୍ଧନ ଅଧିକ କ୍ଷମତାସମ୍ପନ୍ନ । ଏଭିଜିଏଏସ ବଜାରର ଆକାର ବର୍ତ୍ତମାନ ୧.୯୨ ବିଲିୟନ ଆମେରିକୀୟ ଡଲାର ଥିବା ବେଳେ ୨୦୨୦ ସୁଦ୍ଧା ଏହା ୨.୭୧ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର