ମସ୍କୋ: ଇସ୍ରାଏଲ-ଇରାନ ଯୁଦ୍ଧରେ ଆମେରିକାର ଅଚାନକ ପ୍ରବେଶ ଏବେ ନୂଆ ରଣନୀତିକ ସମୀକରଣ ସୃଷ୍ଟି କରିଛି। ରୁଷ୍‌ ଓ ଚୀନ୍‌ ଇରାନ ପ୍ରତି  ସମର୍ଥନ ପ୍ରକଟ କରୁଥିବା ବେଳେ ତୁର୍କୀ, ଇଜିପ୍ଟ, ଇରାକ ଓ ‌ଲେବାନନ ଆଦି ରାଷ୍ଟ୍ର ଆମେରିକା ବିରୋଧରେ ଏକଜୁଟ ହେଉଛନ୍ତି। ସାଉଦି ଆରବ ଓ ୟୁଏଇର ଆଭିମୁଖ୍ୟ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଇରାନ ଉପରେ ଆକ୍ରମଣ ଇସ୍‌ଲାମିକ ରାଷ୍ଟ୍ରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଭଳି ସ୍ଥିତିରେ ଆମେରିକା ଏବେ ବ୍ରିଟେନ ଏବଂ ଅନ୍ୟ ୟୁରୋପୀୟ ସହଯୋଗୀଙ୍କ ସହ ସମନ୍ବୟ ବଢ଼ାଇ ମଧ୍ୟପ୍ରାଚ୍ୟରେ ନିଜର ସୁରକ୍ଷା ବଳୟକୁ ସୁଦୃଢ଼ କରୁଛି।  ରୁଷ୍‌ର ପୂର୍ବତନ ରାଷ୍ଟ୍ରପତି ତଥା ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଦିମିତ୍ରୀ ମେଦଭେଦେଭ   ଆଜି କହିଛନ୍ତି, ଅନେକ ଦେଶ ସେମାନଙ୍କର ପରମାଣୁ ଅସ୍ତ୍ର ସିଧାସଳଖ  ଇରାନକୁ ଦେବାପାଇଁ ପ୍ରସ୍ତୁତ ଅଛନ୍ତି। ଆଜି ଆମେରିକା ଇରାନର ତିନୋଟି ପରମାଣୁ ପ୍ରତିଷ୍ଠାନ ଫୋର୍ଡୋ, ନାତାଞ୍ଜ ଏବଂ ଇସ୍ଫାହାନ୍‌କୁ ଛାରଖାର କରିଦେବା ପରିପ୍ରେକ୍ଷୀରେ ଦିମିତ୍ରୀଙ୍କ ଏହି ବୟାନ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଆମେରିକାର ଏହି ଆକ୍ରମଣ ଏକ ବିରାଟ ଭୁଲ୍‌ ଏବଂ ଏହାର ମୂଲ୍ୟ ଆମେରିକାକୁ ଦେବା ପଡ଼ିବ ବୋଲି ସେ କହିଛନ୍ତି।     ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଏହି ଆକ୍ରମଣ ଇରାନର ପରମାଣୁ କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବାରୁ ଆମେ ଉଦ୍ଦେଶ୍ୟ ହାସଲରେ ସଫଳ ହୋଇଛୁ। 
ଦିମିତ୍ରୀ ଟ୍ରମ୍ପଙ୍କ ଦାବିକୁ  ଖଣ୍ଡନ କରି କହିଛନ୍ତି ଯେ ଆକ୍ରମଣ ବିଫଳ ହୋଇଛି ଏବଂ ଏହାର ଗମ୍ଭୀର ପରିଣାମ ଖୁବ୍‌ଶୀଘ୍ର ଦେଖିବାକୁ ମିଳିବ। ଆକ୍ରମଣ ନେଇ ଇରାନ କହିଛି ଯେ ଫୋର୍ଡୋ, ନାତାଞ୍ଜ ଏବଂ ଇସ୍ଫାହାନ୍ ପରମାଣୁ ପ୍ରତିଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଢାଞ୍ଚା ପ୍ରଭାବିତ ହୋଇନାହିଁ କିମ୍ବା ସାମାନ୍ୟ କ୍ଷୟକ୍ଷତି ହୋଇଛି। ଅନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନ୍ସି (ଆଇଏଇଏ) ନିଶ୍ଚିତ କରିଛି ଯେ କୌଣସି ରେଡିଓଆକ୍ଟିଭ୍ ଲିକେଜ୍ ହୋଇନାହିଁ। ମାତ୍ର ୬ଟି କୋଠା କ୍ଷତିଗ୍ରସ୍ତ ହୋଇଛି।  ସମୃଦ୍ଧ ୟୁରାନିୟମକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ମଧ୍ୟ ଇରାନ ଦାବି କରିଛି।  ଏହି ଦାବି ଉପରେ ଦିମିତ୍ରୀ କହିଛନ୍ତି ଯେ ଇରାନର ୟୁରାନିୟମ ସମୃଦ୍ଧି କାର୍ଯ୍ୟକ୍ରମ ବନ୍ଦ କରିବାର ସାମର୍ଥ୍ୟ ଆମେରିକାର ନାହିଁ ଏବଂ ଅନେକ ଦେଶ ଇରାନକୁ ନିଜର ପରମାଣୁ ଅସ୍ତ୍ର ଦେବାକୁ ପ୍ରସ୍ତୁତ ଅଛନ୍ତି । ତେବେ ସେ ଏହି ଦେଶଗୁଡ଼ିକର ନାଁ ନେଇ ନାହାନ୍ତି। ଏଭଳି ଦାବି ପରମାଣୁ ଅପ୍ରସାରଣ ଚୁକ୍ତି (ଏନପିଟି) ପାଇଁ ବିପଦ ଏବଂ  ବିଶ୍ୱ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିପାରେ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।