ସିଙ୍ଗାପୁର ଜାତୀୟ ସଂସ୍ଥାର ନୂଆ ଅନୁଧ୍ୟାନ, ଆରୋଗ୍ୟର ୧୧ ଦିନ ପରେ ବି ଆବିର୍ଭୂତ ଭୂତାଣୁ ସଂକ୍ରମଣ କରୁନି

ସିଙ୍ଗାପୁର: କୌଣସି କୋଭିଡ୍-୧୯ ପୀଡି଼ତ ଆରୋଗ୍ୟଲାଭ କଲା ପରେ ଯଦି ପୁଣି କରୋନାଭୂତାଣୁ ପଜିଟିଭ୍ ଥିବା ଜଣାପଡ଼େ ତେବେ ତାଙ୍କଠାରେ ଥିବା ସେହି ଭୂତାଣୁ ସେତେ ସଂକ୍ରାମକ ନୁହନ୍ତି। ନମୁନା ପରୀକ୍ଷଣରୁ କେବଳ ଭୂତାଣୁର ଉପସ୍ଥିତି ପଜିଟିଭ୍ ହେଲେ ଯେ ତାହା ସଂକ୍ରମଣଶୀଳ, ସେଭଳି ଧାରଣା ଠିକ୍ ନୁହେଁ। ସିଙ୍ଗାପୁରର ଜାତୀୟ ସଂକ୍ରାମକ ରୋଗ ଓ ଔଷଧ କେନ୍ଦ୍ର(ସିଆଇଡିଏଏମ୍)ପକ୍ଷରୁ କରାଯାଇଥିବା ଅନୁଧ୍ୟାନରୁ ଏପରି ନିର୍ଯାସ ମିଳିପାରିଛି।

ଏହି ଅନୁଧ୍ୟାନରେ ସାମିଲ ୭୩ ଜଣ କୋଭିଡ୍ ରୋଗୀ ସୁସ୍ଥ ହେବାର ୧୧ ଦିନ ପରେ ମଧ୍ୟ ସେମାନଙ୍କ ଠାରେ କରୋନାଭୂତାଣୁ ଚିହ୍ନଟ କରାଯାଇଥିଲେ ହେଁ ସେହି ସମୟ ଭିତରେ ସେମାନେ କୌଣସି ପ୍ରକାର ସଂକ୍ରମଣ କରିନଥିବା ଜଣାଯାଇଛି। ବର୍ତ୍ତମାନ କରୋନା ରୋଗୀମାନେ ସୁସ୍ଥ ହୋଇ ଘରକୁ ଯିବା ପୂର୍ବରୁ ସେମାନେ ସଂକ୍ରମଣଶୀଳ କି ନୁହେଁ ତାହା ଜାଣିବା ଅପେକ୍ଷା ସେମାନଙ୍କ ନମୁନାରେ କରୋନାଭୂତାଣୁ ନେଗେଟିଭ୍ ବାହାରିଛି ବୋଲି ପ୍ରମାଣପତ୍ର ଦାଖଲ କରିବା ଜରୁରୀ ହୋଇଛି। ମାତ୍ର ସିଆଇଡିଏଏମ୍‌ର ସଦ୍ୟ ନିଷ୍କର୍ଷ ଅନୁସାରେ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ଉପରେ ଲାଗୁଥିବା ବିଭିନ୍ନ କଟକଣାରେ ଏଣିକି ପରିବର୍ତ୍ତନ ଅଣାଯାଇପାରିବ।

ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟା ସୁଦ୍ଧା ସିଙ୍ଗାପୁରରେ ଦେଖାଦେଇଥିବା ମୋଟ ୩୧,୭୦୦ କୋଭିଡ୍ ରୋଗୀଙ୍କ ମଧ୍ୟରୁ ୪୪ ପ୍ରତିଶତ ବା ୧୩,୮୮୨ ଜଣ ଆରୋଗ୍ୟ ଲଭିଛନ୍ତି। ୭୩ ଜଣଙ୍କୁ ସଂପୂର୍ଣ୍ଣ ସୁସ୍ଥ ଘୋଷଣା କରାଯାଇ ଡାକ୍ତରଖାନାରୁ ଛଡା଼ଯାଇଥିଲେ ବି ପରେ ସେମାନଙ୍କ ନମୁନା ପରୀକ୍ଷାରେ କରୋନାଭୂତାଣୁ ଥିବା ଜଣାପଡି଼ଥିଲା।

ସମ୍ବନ୍ଧିତ ଖବର