ବାଲେଶ୍ବର/ବାହାନଗା: ବାହାନଗା ଟ୍ରେନ୍‌ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଟିମ୍‌ ଆଜି ୩ ଜଣ କର୍ମଚାରୀଙ୍କୁ ଉଠାଇ ନେଇଛନ୍ତି। ଏମାନଙ୍କ ମଧ୍ୟରେ ଷ୍ଟେସନ୍‌ମାଷ୍ଟର ରହିଥିବା ବେଳେ ଜଣେ ଟେକ୍ନିସିଆନ୍‌ ଓ ଅନ୍ୟ ଜଣେ କର୍ମଚାରୀ ଥିବା ଜଣାପଡ଼ିଛି। ଏହି ତିନିଜଣଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ସିବିଆଇ ପଚରାଉଚୁରା କରୁଛି।

Advertisment

ଜୁନ୍‌ ୨ ତାରିଖରେ କଲିକତାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌ ବାହାନଗା ବଜାର ଷ୍ଟେସନ୍‌ଠାରେ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଏହିସମୟରେ ଭଦ୍ରକ ପଟୁ ଆସୁଥିବା ଯଶବନ୍ତପୁର-ହାୱାଡା ସୁପରଫାଷ୍ଟର ୨ଟି ବଗି କରମଣ୍ଡଳର ବଗି ସହିତ ଧକ୍କା ହୋଇ ଲାଇନ୍‌ଚ୍ୟୁତ ହୋଇ ଯାଇଥିଲା। ଦୁର୍ଘଟଣାରେ ଉଭୟ ଟ୍ରେନ୍‌ର ୨୮୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହିତ ୧୨ ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ସିଗ୍‌ନାଲ ତ୍ରୁଟି ସାଙ୍ଗକୁ ଇଣ୍ଟରଲକିଂ ବ୍ୟବସ୍ଥା ଫେଲ୍‌ ମାରିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଯାଞ୍ଚ ବେଳେ ଏକ ବଡ଼ ତଥ୍ୟ ସିବିଆଇ ହାତରେ ଲାଗିଛି। କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ ହେବାପୂର୍ବରୁ ସିଗ୍‌ନାଲ ତ୍ରୁଟି ବିଷୟରେ ଜଣାପଡ଼ିଥିଲା। ଜୁନ ୨ ତାରିଖ ସକାଳେ ବାହାନଗା ବଜାର ଷ୍ଟେସନର ଆସିଷ୍ଟାଣ୍ଟ ଷ୍ଟେସନ୍‌ ମାଷ୍ଟର (ଏଏସ୍‌ଏମ)ଙ୍କୁ ଏହି ତ୍ରୁଟି ବିଷୟରେ କର୍ମଚାରୀ ଅବଗତ କରାଇଥିଲେ।

ପରେ ଏଏସ୍‌ଏମ ଟେକ୍ନିସିଆନ୍‌ଙ୍କୁ ଡାକିଥିଲେ, ମାତ୍ର ସେ ଆସିବାରେ ବିଳମ୍ବ କରିବାରୁ ତାଙ୍କୁ ଫୋନ୍ କରି ଟ୍ରେନ୍‌ ଚଳାଚଳ ପାଇଁ ସିଗନାଲ୍‌ ବ୍ୟବସ୍ଥା ଠିକ୍ କରିବାକୁ କହିଥିଲେ। ଦିନ ପ୍ରାୟ ୧୧ଟା ବେଳକୁ ଟେକ୍ନିସିଆନ ସିଗ୍‌ନାଲ ସିଷ୍ଟମକୁ ଠିକ୍ କରି ଦେଇଥିଲେ। ତେବେ ଉକ୍ତ ସିଗନାଲ ବ୍ୟବସ୍ଥା ଠିକ୍ ଭାବେ କାମ କରୁଛି ନା ନାହିଁ, ସେ ବାବଦରେ ଏଏସ୍‌ଏମ୍‌ ଆଉ କିଛି ଯାଞ୍ଚ କରିନଥିଲେ। ସନ୍ଧ୍ୟାରେ ସେଥିରେ ପୁଣି ଗଡ଼ବଡ଼ ଦେଖା ଦେଇଥିଲା ଓ ଏତେବଡ଼ ଦୁର୍ଘଟଣା ଘଟିଥିଲା ବୋଲି ସିବିଆଇ ହାତରେ ପ୍ରମାଣ ଲାଗିଥିବା ଜାଣିବାକୁ ମିଳିଛି। ଏହି ତ୍ରୁଟି କାରଣରୁ କରମଣ୍ଡଳ ମେନ୍ ଲାଇନ୍‌ରେ ନଯାଇ ମାଲବାହୀ ଟ୍ରେନ୍ ଥିବା ଲୁପ୍ ଲାଇନକୁ ପଶିଯାଇଥିଲା।