ପୁଣି ଧମକାଇଲେ ପୁଟିନ : ରୁଷ ଉପରେ କଟକଣା ଲଗାଇବା ଅର୍ଥ ହେଉଛି ଯୁଦ୍ଧ ଘୋଷଣା କରିବା

ମସ୍କୋ : ପାଶ୍ଚାତ୍ୟ ଦେଶମାନଙ୍କୁ ପୁଣି ଧମକାଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେ କହିଛନ୍ତି ଯେ ରୁଷ ଉପରେ ଆର୍ଥିକ କଟକଣା ଲଗାଇବା ଅର୍ଥ ହେଉଛି ଯୁଦ୍ଧ ଘୋଷଣା କରିବା । ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁକ୍ରେନ ଆକାଶକୁ ନୋ-ଫ୍ଲାଇ ଜୋନ ଘୋଷଣା କରିବା ଅର୍ଥ ହେଉଛି ଏହି ବିବାଦରେ ପ୍ରବେଶ କରିବା ।

ସୂଚନାଯୋଗ୍ୟ ଯେ, ୟୁକ୍ରେନ ଆକାଶକୁ ନୋ-ଫ୍ଲାଇ ଜୋନ ଘୋଷଣା କରିବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ନାଟୋକୁ ଅନୁରୋଧ କରିଥିଲେ ବି ନାଟୋ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା । ନାଟୋର ଏହି ନିଷ୍ପତ୍ତିକୁ ଜେଲେନସ୍କି ସମାଲୋଚନା କରିଥିଲେ । ସୂଚନାଯୋଗ୍ୟ ଯେ, ଗୋଟିଏ ଦେଶର ବାୟୁସୀମାକୁ ନୋ-ଫ୍ଲାଇ ଜୋନ ଘୋଷଣା କରିବା ଅର୍ଥ ହେଉଛି ଉକ୍ତ ଆକାଶରେ କୌଣସି ପ୍ରକାରର ବିମାନ, ଡ୍ରୋନ ଆଦିର ଉଡ଼ାଣକୁ ନିଷିଦ୍ଧ କରିବା । ଅର୍ଥାତ ଯଦି କୌଣସି ବିମାନ ବା ଡ୍ରୋନ ପ୍ରବେଶ କରେ ତାହାକୁ କ୍ଷେପଣାସ୍ତ୍ର ମାରି ଧ୍ବଂସ କରିଦିଆଯିବ ।

ପୁଟିନ ଆହୁରି ମଧ୍ୟ କହିଛନ୍ତି ରୁଷର ସୈନ୍ୟମାନଙ୍କୁ ଯେଉଁ ଲକ୍ଷ୍ୟ ଦିଆଯାଇଛି, ସେମାନେ ତାହାକୁ ଅବଶ୍ୟ ପୂରଣ କରି ଫେରିବେ । ସେଥିରେ କୌଣସି ସଂଦେହ ନାହିଁ । ୟୁକ୍ରେନରେ ଥିବା ରୁଷ ଭାଷାଭାଷୀ ଲୋକଙ୍କ ସୁରକ୍ଷା ପାଇଁ ଏହି ମିଲିଟାରୀ ଅପରେସନ କରାଯାଉଛି ।

ସମ୍ବନ୍ଧିତ ଖବର