ମୋଟର ଯାନ ଆଇନ କୋହଳ ନକରିବା ପାଇଁ ରାଜ୍ୟମାନଙ୍କୁ ଅନୁରୋଧ

ନୂଆଦିଲ୍ଳୀ : ଦେଶବ୍ୟାପୀ ଏବେ ନୂଆ ମୋଟର ଯାନ ଆଇନ ବଳରେ କଡ଼ା ଜରିମାନା ଲାଗୁ ହେଉଥିବା‌ରୁ ଏହାକୁ ନେଇ ତୀବ୍ର ଅସନ୍ତୋଷ ମଧ୍ୟ ଦେଖାଦେଇଛି। ତେବେ ଦେଶର ସବୁ ରାଜ୍ୟରେ ନୂଆ ମୋଟର ଯାନ ଆଇନ ଅଧୀନରେ କାର୍ଯ୍ୟାନୁଷ୍ଠାନ ହେଉଥିଲେ ସୁଦ୍ଧା ଗୁଜରାଟରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ନୂଆ ମୋଟର ଯାନ ଆଇନ ଅଧୀନରେ ଜରିମାନା ହ୍ରାସ କରିଛନ୍ତି। ତେବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏହାକୁ ବିରୋଧ କରିଛନ୍ତି। କୌଣସି ରାଜ୍ୟ ନୂଆ ମୋଟର ଯାନ ଆଇନକୁ କୋହଳ ନ କରିବାପାଇଁ ଗଡ଼କରୀ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଏହା ଏକ ରାଜସ୍ବ ଆୟ ଯୋଜନା ନୁହେଁ। ଗୁଜରାଟ ସରକାରଙ୍କ ନାମ ନନେଇ ଗଡ଼କରୀ କହିଛନ୍ତି, ସଡ଼କ ଦୁର୍ଘଟଣାରେ ୧,୫୦,୦୦୦ ଲୋକଙ୍କ ମୃତ୍ୟୁ ନେଇ କ’ଣ ଆପଣମାନେ ଚିନ୍ତିତ ନୁହନ୍ତି। ଯଦି ସରକାର ଜରିମାନା କମାଇବାକୁ ଚାହୁଛନ୍ତି ତାହାଲେ ଲୋକମାନେ ନୂଆ ଆଇନ କ’ଣ ଜାଣିପାରିବେ ନାହିଁ କି ନୂଆ ଆଇନକୁ ଭୟ ମଧ୍ୟ କରିବେ ନାହିଁ। ସମସ୍ତ ରାଜ୍ୟ ତାମିଲନାଡ଼ୁଠାରୁ ଶିକ୍ଷା ଗ୍ରହଣ କରିବା ଉଚିତ୍‌ ବୋଲି ଗଡ଼କରୀ କହିଛନ୍ତି। ତାମିଲନାଡ଼ୁରେ ସଡ଼କ ଦୁର୍ଘଟଣା ୨୮ ପ୍ରତିଶତ କମିଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ରାଜ୍ୟରେ ଜୋରିମାନା କମାଇଥିବାରୁ ଏହାକୁ ନେଇ ଗଡ଼କରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର