ଅହମଦାବାଦ୍‌ : ଚଳିତ ମାସ ୧ ତାରିଖରେ ମୋଟର ଯାନ (ସଂଶୋଧନ) ଆଇନ ୨୦୧୯ କାର୍ଯ୍ୟକାରୀ ହେବା ପରଠାରୁ ବିଭିନ୍ନ ରାଜ୍ୟରେ ଟ୍ରାଫିକ୍‌ ପୁଲିସ ନିୟମ ଉଲ୍ଲଂଘନ କରୁଥିବ‌ା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡ଼ା ଜରିମାନା ବ୍ୟବସ୍ଥା ଲାଗୁ କରୁଛି। କିନ୍ତୁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ନୂଆ ମୋଟର ଯାନ ଆଇନ ଅଧୀନରେ ଜରିମାନା ହ୍ରାସ କରିଛନ୍ତି। ମୋଟର ଯାନ ଆଇନ ଅଧୀନରେ ଜଣେ ବ୍ୟକ୍ତି ହେଲମେଟ୍‌ ନ ପିନ୍ଧିଲେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ୁଥିବାବେଳେ ଗୁଜରାଟ ସରକାର ଏହାକୁ ୫୦୦କୁ କମାଇ ଦେଇଛନ୍ତି। ସେହିପରି ସିଟ୍‌ ବେଲ୍ଟ୍‌ ନପିନ୍ଧିଲେ ମଧ୍ୟ ଜରିମାନା ୧ ହଜାର ଟଙ୍କାରୁ ୫୦୦କୁ କମାଯାଇଛି। ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ଚଳାଉଥିବା ବ୍ୟକ୍ତି ତଥା ଦୁଇ ଚକିଆ ଚାଳକଙ୍କୁ ୨,୦୦୦ ଟଙ୍କାର ଜରିମାନା ଏବଂ ଅନ୍ୟ ଗାଡ଼ି ଚାଳକମାନଙ୍କୁ ୩,୦୦୦ ଟଙ୍କାର ଜରିମାନା ଦେବାକୁ ପଡ଼ିବ ବୋଲି ଗୁଜରାଟ ସରକାର ଘୋଷଣା କରିଛନ୍ତି।