ନୂଆଦିଲ୍ଲୀ : ଦେଶରେ ସଡ଼କ ସୁରକ୍ଷାକୁ ବଢ଼ାଇବା ପାଇଁ ଉଦ୍ଦିଷ୍ଟ ମୋଟର ଯାନ (ସଂଶୋଧନ) ବିଲ୍ ୨୦୧୯କୁ ଆଜି ରାଜ୍ୟସଭାରେ ମଞ୍ଜୁରି ଦିଆଯାଇଛି। ବିଲ୍ ସପକ୍ଷରେ ୧୦୮ ଭୋଟ୍ ମିଳିଥିବା ବେଳେ ବିପକ୍ଷରେ ୧୩ଟି ଭୋଟ୍ ମିଳିଛି। ଏହି ବିଲ୍‌ରେ ବେପରୁଆ ଗାଡ଼ି ଚାଳନା କରୁଥିବା ବ୍ୟକ୍ତିମାନଙ୍କ ପାଇଁ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ଏଥିସହିତ ଜରିମାନା ରାଶିକୁ ବହୁଗୁଣ ବଢ଼ାଇ ଦିଆଯାଇଛି। ମଦ କିମ୍ବା ନିଶା ସେବନ କରି ଗାଡ଼ି ଚଳାଇଲେ ଜରିମାନା ରାଶି ୫ ଗୁଣ ଅଧିକ ଦେବାକୁ ପଡ଼ିବ। ବର୍ତ୍ତମାନ ଏ ବାବଦରେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ୁଛି। ନୂଆ ବିଲ୍‌ରେ ରାଷ୍ଟ୍ରପତିଙ୍କ ମୋହର ଲାଗିଲେ ବେପରୁଆ ଗାଡ଼ି ଚାଳକଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ସେହିଭଳି ମଦ କିମ୍ବା ନିଶା ସେବନକାରୀଙ୍କ ପାଇଁ ମଧ୍ୟ ଜରିମାନା‌ ରାଶିରେ ଉପରୋକ୍ତ ପରିମାଣର ବୃଦ୍ଧି କରାଯାଇଛି।

Advertisment

ନାବାଳକ ଗାଡ଼ି ଚଳାଇଲେ, ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ, ବିପଜ୍ଜନକ ଭାବେ ଡ୍ରାଇଭିଂ କରିଲେ, ଦ୍ରୁତ ଗତିରେ ଗାଡ଼ି ଚଳାଇଲେ, ଓଭରଲୋଡ଼ ହୋଇଥିଲେ ମଧ୍ୟ ବିଲ୍‌ରେ କଠୋର ଦଣ୍ଡ ଏବଂ ଅଧିକ ଜରିମାନାର ବ୍ୟବସ୍ଥା ରହିଛି। କେବଳ ଗାଡ଼ି ଚାଳକ ନୁହନ୍ତି, ଗାଡ଼ି ନିର୍ମାତା, ସଡ଼କ ନିର୍ମାଣ କରୁଥିବା ଠିକାଦାରମାନଙ୍କ ପାଇଁ ମଧ୍ୟ ଏଥିରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ମୋଟର ଯାନ ମାନଦଣ୍ଡ ପୂରଣ କରିବାରେ ବିଫଳ ହେଲେ ଗାଡ଼ି ନିର୍ମାତାଙ୍କୁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ କିମ୍ବା ବର୍ଷେ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ କିମ୍ବା ଉଭୟ ଦଣ୍ଡ ହୋଇପାରେ। ସେହିଭଳି ଜଣେ ଠିକାଦର ସଡ଼କ ଡିଜାଇନରେ ତ୍ରୁଟି କରିଲେ ତାଙ୍କୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଜରିମାନା ରାଶିକୁ କେନ୍ଦ୍ର ସରକାର ପ୍ରତିବର୍ଷ ୧୦ ପ୍ରତିଶତ ଲେଖାଏଁ ବୃଦ୍ଧି କରିବା ବ୍ୟବସ୍ଥା ଏହି ବିଲ୍‌ରେ ରହିଛି।

ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଗୋଲଡେନ ଆୱାର ଭାବେ ବିବେଚିତ ସମୟରେ ଚିକିତ୍ସା ଆବଶ୍ୟକ କରୁଥିବା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ କ୍ୟାସଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା ଏହି ବିଲ୍‌ରେ ରହିଛି। ଡ୍ରାଇଭରଙ୍କ ଆଟେଣ୍ଡାଣ୍ଟଙ୍କୁ ତୃତୀୟ ପକ୍ଷ ବୀମା ପରିସରଭୁକ୍ତ କରାଯିବ। ବୀମା କ୍ଷତିପୂରଣ ରାଶି ୫୦ ହଜାର ଟଙ୍କାରୁ ୧୦ ଗୁଣ ବୃଦ୍ଧି କରାଯାଇ ୫ ଲକ୍ଷ ଟଙ୍କା ରଖାଯାଇଛି। ଦାବି ପ୍ରଦାନ ପ୍ରକ୍ରିୟାକୁ ସହଜ କରାଯାଇଛି। ପ୍ରଭାବିତ ବ୍ୟକ୍ତି ଯଦି ୫ ଲକ୍ଷ ଟଙ୍କାର କ୍ଷତିପୂରଣ ନେବାକୁ ରାଜି ଥା’ନ୍ତି ତା’ହେଲେ ବୀମା କମ୍ପାନି ଗୁଡ଼ିକ ମାସକ ମଧ୍ୟରେ କ୍ଷତିପୂରଣ ଦେବେ। ହିଟ୍ ଆଣ୍ଡ୍ ରନ୍ ଘଟଣାରେ ସର୍ବନିମ୍ନ କ୍ଷତିପୂରଣ ରାଶି ବିଲ୍‌ରେ ବୃଦ୍ଧି କରାଯାଇଛି। ଏ କ୍ଷେତ୍ରରେ ଯଦି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିର ମୃତ୍ୟୁ ଘଟେ ତାହେଲେ ତାଙ୍କ ସମ୍ପର୍କୀୟଙ୍କୁ ୨୫ ହଜାର ଟଙ୍କା ପରିବର୍ତ୍ତେ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ। ଗୁରୁତର ଆହତ ହେଲେ ତାଙ୍କୁ ୧୨ ହଜାର ୫୦୦ ଟଙ୍କା ପରିବର୍ତ୍ତେ ୫୦ ହଜାର ଟଙ୍କା କ୍ଷତିପୂରଣ ବାବଦରେ ଦେବାକୁ ହେବ।

ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ହେଉଥିବା ଅନିୟମିତତାକୁ ରୋକିବା ପାଇଁ ଏହାକୁ ଅନଲାଇନ୍ କରାଯିବ। ଅନଲାଇନରେ ପରିଚୟପତ୍ର ଯାଞ୍ଚ କରାଯାଇ ଅନଲାଇନ ଲର୍ଣ୍ଣନ୍ସ ଲାଇସେନ୍ସ ପ୍ରଦାନ କରାଯିବ। ନକଲି ଡ୍ରାଇଭିଂ ଲାଇସେନ୍ସକୁ ରୋକିବା ପାଇଁ ଡ୍ରାଇଭିଂ ‌ଟେଷ୍ଟକୁ କମ୍ପ୍ୟୁଟରାଇଜଡ୍ କରାଯିବ। କମର୍ସିଆଲ ଡ୍ରାଇଭିଂ ଲାଇସେନ୍ସ ୩ ବର୍ଷ ପରିବର୍ତ୍ତେ ୫ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ। ନବୀକରଣ ଲାଇସେନ୍ସ ପାଇଁ ଆବେଦନ ଅବଧି ଶେଷ ହେବାର ଏକ ବର୍ଷ ପୂର୍ବରୁ କିମ୍ବା ପରେ କରାଯାଇ ପାରିବ।

ଦେଶରେ ଉତ୍ତମ ଡ୍ରାଇଭର ସୃଷ୍ଟି କରିବା ପାଇଁ ଡ୍ରାଇଭର ଟ୍ରେନିଂ ସ୍କୁଲ ଖୋଲାଯିବ। ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଗୃହୀତ ହୋଇଥିବା ମୋଟର ଯାନ ବିଲ୍‌ରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନକାରୀଙ୍କ ଅନଲାଇନ୍ ବା ଆଧାର ଯାଞ୍ଚକୁ ବାଧ୍ୟତାମୂଳକ କରାଯିବ। ଜାଲ୍ ଲାଇସେନ୍ସକୁ ହଟାଇବା ପାଇଁ ଏଭଳି ପଦକ୍ଷେପ ନିଆଯିବ। ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କାରୀ କହିଛନ୍ତି, ଦେଶରେ ଥିବା ମୋଟ ଡ୍ରାଇଭିଂ ଲାଇସେନ୍ସ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ଜାଲ୍‌। ଏହି ବିଲ୍ ପୂର୍ବରୁ ଗତ ୨୩ ତାରିଖରେ ଲୋକସଭାରେ ଗୃହୀତ ହୋଇସାରିଛି। ତେବେ ଟାଇପଗତ ତ୍ରୁଟି ରହିଥିବାରୁ ଏହାକୁ ପୁନର୍ବାର ଲୋକସଭାକୁ ପଠାଯିବ। ରାଷ୍ଟ୍ରପତି ଏହି ବିଲରେ ମୋହର ମାରିଲେ ଏହା ଆଇନରେ ପରିଣତ ହେବ।