‘ସରକାର ବିଚାରପତିମାନଙ୍କୁ ବଦନାମ କରିବାର ନୂତନ ଧାରା ଆରମ୍ଭ କରିଛନ୍ତି’: ପ୍ରଧାନ ବିଚାରପତି ଏନଭି ରମଣା

ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା ଶୁକ୍ରବାର ଦିନ କହିଛନ୍ତି ଯେ ସରକାରରେ ଏବେ ଏକ ନୂତନ ଧାରା ଆରମ୍ଭ ହୋଇଛି। ସରକାର ବିଚାରପତିମାନଙ୍କୁ ବଦନାମ କରିବା ଆରମ୍ଭ କରିଛନ୍ତି। ଏହା ଦୁର୍ଭାଗ୍ୟଜନକ ବୋଲି ଆଜି ସୁପ୍ରିମ୍‌ କୋର୍ଟରେ ଏକ ତିନି ଜଣିଆ ଖଣ୍ଡପୀଠର ଅଧ୍ୟକ୍ଷତା କରୁଥିବା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ରମଣା ଏହା କହିଛନ୍ତି। ଆମେ ଅଦାଲତରେ ମଧ୍ୟ ଦେଖୁଛୁ। ଆଜିକାଲି ଏହା ଏକ ନୂତନ ଧାରା ଭାବେ ଆରମ୍ଭ ହୋଇଛି।

ପ୍ରଧାନ ବିଚାରପତି ଜଷ୍ଟିସ ରମଣା, ଜଷ୍ଟିସ କୃଷ୍ଣ ମୁରାରୀ ଏବଂ ଜଷ୍ଟିସ୍‌ ହିମା କୋହଲିଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଛତିଶଗଡ଼ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଆଗତ ଏକ ଆବେଦନର ଶୁଣାଣି କରୁଥିବା ସମୟରେ ପ୍ରଧାନ ବିଚାରପତି ଏହି ମନ୍ତବ୍ୟ ଦେଇଥିଲେ। ଛତିଶଗଡ଼ ହାଇକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ପ୍ରମୁଖ ସଚିବ ଅମନ ସିଂ ଏବଂ ତାଙ୍କ ପତ୍ନୀ ୟାସମିନ ସିଂଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଦାଖଲ ହୋଇଥିବା ଏଫଆଇଆରକୁ ୨୦୨୦ରେ ରଦ୍ଦ କରିଦେଇଥିଲା। ଏହା ପରେ ବିଜେପି ରାଜ୍ୟର ଶାସନ କ୍ଷମତାରୁ ଅପସାରିତ ହୋଇଥିଲା ଏବଂ କଂଗ୍ରେସ ଦଳ ରାଜ୍ୟରେ କ୍ଷମତାକୁ ଆସିଥିଲା।

ରାଜ୍ୟ ପୁଲିସର ଅର୍ଥନୈତିକ ଅପରାଧ ୱିଙ୍ଗ ସେମାନଙ୍କ ବିରୋଧରେ ଫେବ୍ରୁଆରି ୨୫, ୨୦୨୦ରେ ଏଫଆଇଆର ଦାଖଲ କରିଥିଲା। ଜନୈକ ଉଚିତ ଶର୍ମାଙ୍କ ଅଭିଯୋଗ ଆଧାରରେ, ଜଣେ ସାମାଜିକ ଏବଂ ଦୁର୍ନୀତି ନିରୋଧୀ କାର୍ଯ୍ୟକର୍ତ୍ତା, ଅମନ ସିଂ ଏବଂ ତାଙ୍କ ପତ୍ନୀ ୟାସମିନ ଦ୍ୱାରା ଜମା ହୋଇଥିବା ଆୟ ବର୍ହିଭୂତ ସମ୍ପତ୍ତିର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଆଗତ କରିଥିଲେ।

ଫେବ୍ରୁଆରି ୨୮, ୨୦୨୦ରେ, ଛତିଶଗଡ଼ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶରେ ନିର୍ଦ୍ଦେଶ ଦେଇଥିଲେ ଯେ ଏହି ଦମ୍ପତିିଙ୍କ ବିରୋଧରେ କୌଣସି ବାଧ୍ୟତାମୂଳକ ପଦକ୍ଷେପ ନିଆଯିବ ନାହିଁ। ପରବର୍ତ୍ତୀ ସମୟରେ ଜାନୁଆରି ୧୦, ୨୦୨୨ର ଆଦେଶ ଅନୁଯାୟୀ, ଛତିଶଗଡ଼ ହାଇକୋର୍ଟ ଏଫଆଇଆରକୁ ରଦ୍ଦ କରି କହିଥିଲେ ଯେ ଆବେଦନକାରୀଙ୍କ ବିରୋଧରେ ଆରୋପିତ ସମସ୍ତ ଅଭିଯୋଗ ସମ୍ଭାବନା ଉପରେ ଆଧାର କରି ପ୍ରାଥମିକ ଅଟେ ଏବଂ ଏ ପରିସ୍ଥିତିରେ କୌଣସି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ। ହାଇକୋର୍ଟ ତାଙ୍କ ଆଦେଶରେ ଏହା ମଧ୍ୟ ଉଲ୍ଲେଖ କରଥିଲେ ଯେ ଶର୍ମାଙ୍କ ଅଭିଯୋଗକୁ ନିଜେ ମୁଖ୍ୟମନ୍ତ୍ରୀ ସମର୍ଥନ କରିଥିଲେ।
ଏହା ପରେ ନଭେମ୍ବର ୧୧, ୨୦୧୯ରେ ସିଂଙ୍କ ବିରୋଧରେ ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରାଯାଇଥିଲା। ଉଭୟ ଶର୍ମା ଏବଂ ରାଜ୍ୟ ସରକାର ସୁପ୍ରିମ୍‌ କୋର୍ଟଙ୍କ ସମ୍ମୁଖରେ ହାଇକୋର୍ଟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ଅପିଲଗୁଡିକ ଅନୁଧ୍ୟାନ କରିବା ସମୟରେ, ପ୍ରଧାନ ବିଚାରପତି ଏନଭି ରମଣା ବିରକ୍ତ ହୋଇ ଏହି ମନ୍ତବ୍ୟ ଦେଇଥିଲେ। ତେବେ, ପ୍ରକୃତରେ କୋର୍ଟକୁ କ’ଣ ବିରକ୍ତ କରିଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର