ଜାତୀୟ ରାଜନୀତିରେ ନୂଆ ଧାରା: କର୍ଣ୍ଣାଟକରୁ ବିହାର…

ମହମ୍ମଦ ହିଫ୍‌ଜୁର ରହେମାନ

ନୂଆଦିଲ୍ଳୀ: ୨୦୧୯ରୁ ଭାରତୀୟ ରାଜନୀତିରେ ଏକ ନୂଆ ଧାରା ଆରମ୍ଭ ହୋଇଛି। ତାହା ହେଲା ଆଇନ ଗଳାବାଟରେ ଗୋଟିଏ ନିର୍ବାଚିତ ସରକାରକୁ କେମିତି ଗାଦିଚ୍ୟୁତ କରାଯାଇପାରିବ ତାହାର ପରୀକ୍ଷା କର୍ଣ୍ଣାଟକରୁ ଆରମ୍ଭ ହୋଇଥିଲା। ନିର୍ବାଚିତ ସରକାରକୁ ଅସ୍ଥିର କରିବା ଲାଗି ହେଉଥିବା ଦଳବଦଳକୁ ‌ ରୋକିବା ଲାଗି ସମ୍ବିଧାନରେ ଯେଉଁ ବ୍ୟବସ୍ଥାଟି କରାଯାଇଥିଲା ତାହା କର୍ଣ୍ଣାଟକରେ ଫେଲ୍ ମାରିଲା। ଦଳବଦଳ ବିରୋଧୀ ଆଇନ ଅନୁଯାୟୀ ଗୋଟିଏ ଦଳର ଦୁଇ ତୃତୀୟାଂଶରୁ କମ୍ ବିଧାୟକ/ସାଂସଦ ଦଳବଦଳ କଲେ ସେମାନେ ଅଯୋଗ୍ୟ ଘୋଷିତ ହେ‌ବେ ଏବଂ ପାଞ୍ଚ ବର୍ଷ ଲାଗି ନିର୍ବାଚନ ଲଢ଼ିପାରିବେ ନାହିଁ। ଏହାକୁ ଏଡ଼ାଇବାକୁ ଯାଇ କର୍ଣ୍ଣାଟକରେ ଭିନ୍ନ ଫମୁର୍ଲା ପ୍ରସ୍ତୁତ ହୋଇଥିଲା। ଶାସକ ଦଳରେ ଫାଟ ସୃଷ୍ଟି କରି କିପରି କ୍ଷମତା ହାସଲ କରାଯାଇପାରିବ ସେଥିଲାଗି ବିଜେପି ପକ୍ଷରୁ ଏକ ସ୍ବତନ୍ତ୍ର ରଣନୀତି କରାଯାଇଥିଲା।

ରାଜ୍ୟରେ ସେତେବେଳେ କୁମାରସ୍ବାମୀଙ୍କ ନେତୃତ୍ବରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଚାଲିଥିଲା। କୁମାରସ୍ବାମୀ ସରକାରକୁ ହଟାଇ ରାଜ୍ୟରେ ବିଜେପିକୁ କ୍ଷମତାସୀନ କରାଇବା ଲାଗି କଂଗ୍ରେସ ଓ ଜେଡିଏସ୍‌ର ୧୫ ଜଣ ବିଧାୟକ ବିଧାନସଭାରୁ ଇସ୍ତଫା ଦେଇଥିଲେ। ଫଳରେ ମେଣ୍ଟ ସରକାର ସଖ୍ୟାଗରିଷ୍ଠତା ହରାଇଥିଲା। ଅନାସ୍ଥାରେ ହାରିବା ପରେ କୁମାରସ୍ବାମୀ ସରକାର ବିଦା ହୋଇଥିଲା ଏବଂ ୟେଦୁରପ୍ପାଙ୍କ ନେତୃତ୍ବ‌େରେ ବିଜେପି ସରକାର କ୍ଷମତାକୁ ଆସିଥିଲା। ଯଦିଓ ଏହି ୧୫ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ବାଚସ୍ପତି ଜିଦରେ ରହିଥିଲେ, କିନ୍ତୁ ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ପରେ ବିଧାୟକମାନେ ବର୍ତ୍ତି ଯାଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ବିଜେପିରେ ଯୋଗଦେଇଥିଲେ। ଏହାକୁ ନେଇ ହୋଇଥିବା ରାଜନୈତିକ ନାଟକବାଜି ସେତେବେଳେ ସମଗ୍ର ଜାତୀୟ ରାଜନୀତିରେ ରୋମାଞ୍ଚ ସୃଷ୍ଟି କରିଥିଲା। କର୍ଣ୍ଣାଟକରେ ବିଜେପିର ଏହି ଖେଳକୁ ବିରୋଧୀମାନେ ‘ଅପ‌ରେସନ ଲୋଟସ’ର ନାମ ଦେଇଥିଲେ।

କର୍ଣ୍ଣାଟକରେ ସଫଳତା ମିଳିବା ପରେ ବିଜେପି ଏହି ଫର୍ମୁଲା ୨୦୨୦ରେ ପ୍ରଥମେ ମଧ୍ୟ ପ୍ରଦେଶ ଏବଂ ପରେ ରାଜସ୍ଥାନରେ ଆପଣାଇଥିଲା। ଏହି ଦୁଇ ରାଜ୍ୟରେ କଂଗ୍ରେସର ଶାସନ ଚାଲିଥିଲା। ମଧ୍ୟ ପ୍ରଦେଶରେ ବିଜେପିର ‘ଅପରେସନ୍ ଲୋଟସ୍‌’ ସଫଳ ହୋଇଥିଲେ ମଧ୍ୟ ରାଜସ୍ଥାନରେ ଫେଲ୍ ମାରିଥିଲା। ଏହି ଦୁଇ ରାଜ୍ୟରେ ବିଜେପିର ଟାର୍ଗେଟରେ ଥିଲେ କଂଗ୍ରେସର ଦୁଇ ଅସନ୍ତୁଷ୍ଟ ନେତା ତଥା ମୁଖ୍ୟମନ୍ତ୍ରୀ ଆଶାୟୀ। ମଧ୍ୟ ପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ କଂଗ୍ରେସ ଦଳର ୨୨ ଜଣ ବିଧାୟକଙ୍କୁ ନେଇ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ସେମାନେ ବିଧାନସଭାରୁ ଇସ୍ତଫା ଦେଇ ବିଜେପିରେ ଯୋଗ‌େଦଲେ। ଇସ୍ତଫା ପରେ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ହରାଇଥିଲା ଏବଂ ଅନ୍ୟ ଉପାୟ ନପାଇ କମଲନାଥ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ସେଠାରେ ଶିବରାଜ ସିଂହ‌ ଚୌହ୍ବାନଙ୍କ ନେତୃତ୍ବରେ ବିଜେପି ସରକାର କ୍ଷମତାକୁ ଆସିଥିଲା। ପୁରସ୍କାର ସ୍ବରୂପ କେନ୍ଦ୍ରରେ ମୋଦୀ ମନ୍ତ୍ରିମଣ୍ଡଳରେ ସିନ୍ଧିଆଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଥିଲା। ରାଜସ୍ଥାନରେ ପିସିସି ସଭାପତି, ଉପମୁଖ୍ୟମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଆଶାୟୀ ରାଜେଶ ପାଇଲଟଙ୍କୁ ଧରି ବିଜେପି ଅପରେସନ୍ ଲୋଟସ୍ ଆରମ୍ଭ କରିଥିଲେ ମଧ୍ୟ ସଫଳତା ମିଳିନଥିଲା। ପାଇଲଟ୍ ୧୯ ଜଣ ଦଳୀୟ ବିଧାୟକଙ୍କୁ ନେଇ ବିଦ୍ରୋହ କରିଥିଲେ। କିନ୍ତୁ ବରିଷ୍ଠ ନେତାମାନଙ୍କ ହସ୍ତକ୍ଷେପ ପରେ ସେ ଓ ତାଙ୍କ ଗେ‌ାଷ୍ଠୀର ବିଧାୟକ କଂଗ୍ରେସକୁ ଫେରି ଆସିଥିଲେ। ଏଠି ବିଜେପିର ଅପରେସନ୍ କାମ ଦେଲାନି।

କିନ୍ତୁ ଏହାର ୨ ବର୍ଷ ପରେ ମହାରାଷ୍ଟ୍ରରେ ବିଜେପିକୁ ଏହି ମିସନରେ ଐତିହାସିକ ସଫଳତା ମିଳିଲା। ୨୦୧୯ରେ ବିଜେପି ହାତ ଛାଡ଼ି ଶିବସେନା ରାଜ୍ୟରେ କଂଗ୍ରେସ ଏବଂ ଏନ୍‌ସିପି ସହ ମିଶି ସରକାର ଗଠନ କରିଥିଲା। ମୁଖ୍ୟମନ୍ତ୍ରୀ ହୋଇଥିଲେ ଶିବ ସେନା ନେତା ଉଦ୍ଧବ ଠାକରେ। ବିଜେପି ଏହାକୁ ସହଜରେ ହଜମ କରି ପାରିନଥିଲା। ଏହି ସରକାରକୁ ଭାଙ୍ଗିବା ଲାଗି ଗତ ୨ ବର୍ଷ ଧରି ଉଦ୍ୟମ ଚଳାଇଥିଲା। ଶେଷରେ ୨୦୨୨ ଜୁନରେ ଏହାକୁ ସଫଳତା ମିଳିଥିଲା। ବିଜେପିର ଏହି ଅପରେସନ୍ ଥିଲା ଏକ ନିଆରା ଢଙ୍ଗରେ। ଶିବ ସେନାରେ ଏମିତି ଫାଟ ସୃଷ୍ଟି କଲା ଯେ ମନ୍ତ୍ରୀ ସିନ୍ଦେଙ୍କ ନେତୃତ୍ବରେ ଜଣେ ପରେ ଜଣେ ବିଧାୟକ ଠାକରେଙ୍କ ହାତ ଛାଡ଼ି ଗୌହାଟୀରେ ଏକାଠି ହେ‌‌ଲେ। ଏହି ବିଦ୍ରୋହ‌େ‌ର ବିଚିତ୍ର ପରିସ୍ଥିତି ଦେଖିବାକୁ ମିଳିଥିଲା। ଅନେକ ମନ୍ତ୍ରୀ ଠାକରେଙ୍କ ହାତ ଛାଡ଼ିବାକୁ ପଛାଇଲେ ନାହିଁ। ଏପରିକି ଉଦ୍ଧବଙ୍କ ଖାସ ଲୋକ ମଧ୍ୟ ତାଙ୍କୁ ଛାଡ଼ିଦେଲେ। ପରିସ୍ଥିତି ଏମିତି ହେଲା ଯେ ଦଳର ଦୁଇ ତୃତୀୟାଂଶରୁ ଅଧିକ ସଂଖ୍ୟକ ବିଧାୟକ ଏକଜୁଟ୍ ହୋଇ ବିଜେପି ସହ ମେଣ୍ଟ କଲେ। ତେଣୁ ସେମାନଙ୍କୁ ଆଉ ବିଧାନସଭାରୁ ଇସ୍ତଫା ଦେବାକୁ ପଡ଼ିଲାନି। ତେବେ ଏଠାରେ ଆଉ ଏକ ବ୍ୟତିକ୍ରମ ଦେଖାଦେଲା। ତାହା ହେଲା ରାଜ୍ୟରେ ବିଜେପି ‌ନେତା ନୁହେଁ, ଶିବ ସେନା ନେତା ସିନ୍ଦେ ମୁଖ୍ୟମନ୍ତ୍ରୀ ହେଲେ।

ମହାରାଷ୍ଟ୍ର ସଫଳତା ପରେ ବିଜେପିର ଅନେକ ନେତା ଉତ୍ସାହିତ ହୋଇ ଏବେ ସେମାନଙ୍କ ଟା‌ର୍ଗେଟରେ ଟିଏମସି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପଶ୍ଚିମ ବଙ୍ଗ, ଜେଏମଏମ ମୁଖ୍ୟମନ୍ତ୍ରୀ ସୋରେନଙ୍କ ଝାଡ଼ଖଣ୍ଡ ଏବଂ କଂଗ୍ରେସ ମୁଖ୍ୟମନ୍ତ୍ରୀ ବାଘେଲଙ୍କ ଛତିଶଗଡ଼ ବୋଲି ଖୋଲାଖୋଲି କହିବାକୁ ଲାଗିଲେ। ବିହାରରେ ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମେଣ୍ଟ ସରକାରରେ ବିଜେପି ବଡ଼ ଅଂଶୀଦାର ଥିଲେ ମଧ୍ୟ ଜେଡିୟୁରେ ଫାଟ ସୃଷ୍ଟି କରିବ‌ା ସହିତ ନୀତୀଶଙ୍କୁ ହଟାଇ କ୍ଷମତା ଦଖଲ କରିବା ଲାଗି ବିଜେପି ଭିତିରି ଉଦ୍ୟମ ଚଳାଇଥିଲା। ଏଥିପାଇଁ ଜେଡିୟୁ ନେତା ଆରସିପି ସିଂହଙ୍କୁ ଅସ୍ତ୍ର କରିଥିଲା ବିଜେପି। କିନ୍ତୁ ନୀତୀଶ ଖେଳର ମୋଡ଼ ବଦଳାଇଦେଲେ। ‌େସ ବିଜେପି ସହ ମେଣ୍ଟ ଭାଙ୍ଗି ଆରଜେଡି ସହ ମିଶି ସରକାର ଗଠନ କରିଛନ୍ତି। ତାଙ୍କ ଦଳରେ ଅମିତ ଶାହ ଫାଟ ସୃଷ୍ଟି କରିବାକୁ ଚକ୍ରାନ୍ତ କରିଥିଲେ ବୋଲି ସେ ସିଧାସଳଖ ଅଭିଯୋଗ କରିଥିଲେ। ଏହି ସରକାର କେତେ ଦିନ ତିଷ୍ଠିବ, ତାହା ଅଲଗା କଥା। କିନ୍ତୁ ଏହି ରଣନୀତି ନୀତୀଶଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିଛି।

ଏହି ସମଗ୍ର ଘଟଣାକୁ ଯଦି ବିଚାରକୁ ନିଆଯାଏ, ତାହା ସ୍ପଷ୍ଟ କରୁଛି ଯେ ଦେଶ‌େର ରାଜନୈତିକ ପରିବେଶ ଆଉ ସୁସ୍ଥ ଓ ସ୍ବଚ୍ଛ ନୁହେଁ। ଗଣତନ୍ତ୍ର ଓ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମତସାବ୍ୟସ୍ତ କରୁଥିବା ମତଦାତା ଯେମିତି ଗୁରୁତ୍ବହୀନ ହୋଇପଡ଼ିଛନ୍ତି। ଶାସନ କ୍ଷମତାରେ ଥିବା ନେତାମାନେ ନିଜ ଢଙ୍ଗରେ ଓ ନିଜ ସ୍ବାର୍ଥ ଅନୁଯାୟୀ ଶାସନ ଚଳାଇବାକୁ ବ୍ୟଗ୍ର। ସେମାନଙ୍କ ପାଖରେ ଆଦର୍ଶ ଓ ମୂଲ୍ୟବୋଧର କୌଣସି ଅର୍ଥ ନାହିଁ। ନିର୍ବାଚିତ ସରକାରକୁ ଅସ୍ଥିର କରିବା ଲାଗି ଅପରେସନ୍ ଲୋଟସ ଯେପରି ପରିବେଶକୁ କଳୁଷିତ କରୁଛି, କ୍ଷମତାକୁ ଜାବୁଡ଼ି ଧରିବା ଲାଗି ନୀତୀଶଙ୍କର ବାରମ୍ବାର ସହଯୋଗୀ ପରିବର୍ତ୍ତନ ମଧ୍ୟ ସୁସ୍ଥ ଗଣତନ୍ତ୍ର ପାଇଁ ଅଶୁଭ ହୋଇପଡ଼ିଛି। ୨୦୧୯‌େର ମହାରାଷ୍ଟ୍ରରେ ଶିବସେନା ଓ ବିଜେପି ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ ଏବଂ ଏହି ମେଣ୍ଟ ବିଜୟୀ ମଧ୍ୟ ହୋଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ‌େଲାଭରେ ଶିବ ସେନା ବିଜେପି ହାତ ଛାଡ଼ି କଂଗ୍ରେସ ଓ ଏନ୍‌ସିପି ଭଳି ବି‌େରାଧୀ ଦଳଙ୍କ ସହ ମିଶି ସରକାର ଗଠନ କରିଥିଲା। ସେନାର ପ୍ରମୁଖ ଉଦ୍ଧବ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ଯେ ଜନାଦେଶର ଅପମାନ ଥିଲା, ସେଥିରେ ଦ୍ବିମତ ନାହିଁ। କିନ୍ତୁ ରାଜନୀତିରେ କେହି ସ୍ଥାୟୀ ମିତ୍ର/ଶତ୍ରୁ ନାହାନ୍ତି ଏବଂ ଏଥିରେ ସବୁକିଛି ଯଥାର୍ଥ ବୋଲି ଯୁକ୍ତି ଦର୍ଶାଇ ନେତାମାନେ ଭୋଟରମାନଙ୍କ ପ୍ରତି ଆଉ କେତେ ବିଶ୍ବାସଘାତକତା କଲେ ସେମାନଙ୍କର ମନ ଭରିବ?

ସମ୍ବନ୍ଧିତ ଖବର